ବର୍ଷା ଭିଜା ସଂଧ୍ୟାରେ ଦର୍ଶକଙ୍କୁ ବାନ୍ଧିଲା, ବାଦ୍ୟ ପଲ୍ଲବୀ ‘ପରିରମ୍ଭଣମ୍ ୨୦୨୬’ ଉଦଘାଟିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବର୍ଷା ଭିଜା ସଂଧ୍ୟାକୁ ମନୋରମ କରିଲା ଓଡିଶୀ ନୃତ୍ୟର ମନଛୁଆଁ ପରିବେଷଣ । ଓଡ଼ିଶାର ଏକ ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟ ଉପାସନା ପୀଠ ପକ୍ଷରୁ ଆୟୋଜିତ ୧୬ତମ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ଉତ୍ସବ ‘ପରିରମ୍ଭଣମ୍ ୨୦୨୬’ ଆଜି ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚ ଠାରେ ଆରମ୍ଭ ହୋଇ ଯାଇଛି। ଉତ୍ସବର ପ୍ରଥମ ସନ୍ଧ୍ୟାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ନବପ୍ରତିଭାମାନେ ଓଡିଶୀ ନୃତ୍ୟ ପରିବେଷଣ ମାଧ୍ୟମରେ ନିଜର କଳାନୈପୁଣ୍ୟତାର ପରିଚୟ ଦେଇଥିଲେ। ବିଶିଷ୍ଠ ଓଡିଶୀ ନୃତ୍ୟଗୁରୁ ତଥା ଆନୁଷ୍ଠାନର ସଂପାଦିକା , ଗୁରୁ ସୋନାଲି ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ‘ନମାମି ବନ୍ଦେ ’ରେ ଶିଳ୍ପୀ ମାନଙ୍କର ପରିବେଷଣ ଦର୍ଶକ ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା । ପରେ ପରେ ‘କି ଶୋଭା’, ‘ହାଏଗୋ ଯଶୋଦା ରାଣୀ’ ଓ ‘ସଜେଇବୁ ନାହିଁ ବଉଳ ମାଳ’ ଆଦି ନୃତ୍ୟାଭିନୟ ପରିବେଷିତ ହୋଇଥିଲା। ଏହା ସହିତ ‘ବାଦ୍ୟ ପଲ୍ଲବୀ’ ଓ ‘ଆହେ ନୀଳଶୈଳ’ ଭଳି ଶାସ୍ତ୍ରୀୟ ଓ ଭକ୍ତିଭାବପୂର୍ଣ୍ଣ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଭାବବିହ୍ୱଳ କରିଥିଲା। ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ସୋନାଲି ମହାପାତ୍ରଙ୍କ ପ୍ରତ୍ୟକ୍ଷ ନତ୍ୟ ନିର୍ଦ୍ଦେଶନାରେ ପ୍ରତ୍ୟେକ ପରିବେଷଣରେ ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା। ସେହିପରି ସମ୍ୱଲପୁରୀ ଓ ଜନଜାତୀୟ ଲୋକ ନୃତ୍ୟ ଆଦି ପରିବେଷଣ ବେଶ୍ ଦର୍ଶକାଦୃତି ଲାଭ କରିପାରିଥିଲା। ସମ୍ବଲପୁରୀ ନୃତ୍ୟ ପରିବେଷଣ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ପରମ୍ପରାର ମନୋରମ ଝଲକ ଦେଖିବାକୁ ମିଳିଥିଲା। ଏହି ପରିବେଷଣଗୁଡ଼ିକ ଓଡ଼ିଶାର ଲୋକକଳାର ବିବିଧତା ଓ ସୌନ୍ଦର୍ଯ୍ୟକୁ ମଞ୍ଚ ଉପରେ ଜୀବନ୍ତ କରିଥିଲା। ଉତ୍ସବର ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଗୁରୁ ଶ୍ରୀମତୀ ମିନତୀ ପ୍ରଧାନ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଓଲିଉଡ୍ ଅଭିନେତ୍ରୀ ଗୁରୁ ଶ୍ରୀମତୀ ପ୍ରତିଭା ପଣ୍ଡା ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀମତୀ ରାଜଶ୍ରୀ ଚିନ୍ତକ ବେହେରା ଅତିଥି ଭାବେ ଯୋଗଦେଇଥିଲେ। ସେମାନଙ୍କ ଉପସ୍ଥିତି ଉତ୍ସବର ଗାରିମା ବୃଦ୍ଧି କରିବା ସହ ଯୁବ ନୃତ୍ୟଶିଳ୍ପୀମାନଙ୍କୁ କଳା ସାଧନା ଦିଗରେ ଅନୁପ୍ରାଣିତ କରିଥିଲା। ସଭାପତି ଶ୍ରୀ ସୁଦର୍ଶନ ଦାଶଙ୍କ ସଭାପତିତ୍ୱରେ ଉତ୍ସବର ଶୁଭାରମ୍ଭ ହୋଇଥିଲା। ବିଶିଷ୍ଟ ବଂଶୀ ବାଦକ ଗୁରୁ ଅଭିରାମ ନନ୍ଦ ସହଯୋଗ କରିଥିଲେ । ଏହି ଉତ୍ସବର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ନୂତନ ପିଢ଼ିର ନୃତ୍ୟଶିଳ୍ପୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ସୁଯୋଗ ଓ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା। ନୃତ୍ୟ ଶିକ୍ଷା ସହିତ ମଞ୍ଚ ଅଭିଜ୍ଞତା, ଶୃଙ୍ଖଳା ଓ କଳା ପ୍ରତି ନିଷ୍ଠା ହିଁ ଜଣେ ଶିଳ୍ପୀର ସାମଗ୍ରିକ ବିକାଶରେ ସହାୟକ ହେବା ହିଁ ଏହି ଉତ୍ସବର ଆଭିମୁଖ୍ୟ ଯାହା ଗୁରୁ ସୋନାଲି ମହାପାତ୍ର ମତବ୍ୟକ୍ତ କରିଥିଲେ । ଏହି ଦୃଷ୍ଟିରୁ ଶାସ୍ତ୍ରୀୟ ଓ ଲୋକନୃତ୍ୟର ଏପରି ସମନ୍ୱିତ ପରିବେଷଣ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାର କଳା ଓ ସଂସ୍କୃତି ସହ ସେମାନଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ସଂରକ୍ଷଣ, ପ୍ରଚାର ଓ ପ୍ରସାର ଦିଗରେ ନୃତ୍ୟ ଉପାସନା ପୀଠ ନିରନ୍ତର କାର୍ଯ୍ୟ କରିଆସୁଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ତଥା ସଂପାଦିକା ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଶ୍ରୀମତୀ ସୋନାଲି ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ଶାସ୍ତ୍ରୀୟ କଳାର ପରମ୍ପରାକୁ ଆଗକୁ ବଢ଼ାଇବା ସହ ନବପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବାର ଏକ ଉଲ୍ଲେଖନୀୟ ପ୍ରୟାସ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଖୁବ୍ ସମୃଦ୍ଧ କରି ପାରିଥିଲା। ‘ପରିରମ୍ଭଣମ୍ ୨୦୨୬’ର ଦ୍ୱିତୀୟ ସନ୍ଧ୍ୟା ଆସନ୍ତା କାଲି ଆୟୋଜିତ ହେବ , ଏହି ଉତ୍ସବରେ ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯିବ ।

powered by social2s