ଅଟିଜିମ ଯୁବକ ଆଶୁତୋଷଙ୍କର ଆନ୍ତର୍ଜାତୀୟ ରେକର୍ଡ ହାସଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜାମସେଦପୁରର ଅଟିଜିମ ଯୁବକ ଆଶୁତୋଷ ପାଣିଗ୍ରାହୀ ଶାସ୍ତ୍ରୀୟ ସଙ୍ଗୀତ ଷେତ୍ରରେ ଆନ୍ତର୍ଜାତୀୟ ରେକର୍ଡ ହାସଲ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ସମ୍ପ୍ରତି ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ନିଜ ନାମ ପଞ୍ଜୀକୃତ କରିଛନ୍ତି।୨୦ ବର୍ଷୀୟ ଶ୍ରୀ ପାଣିଗ୍ରାହୀ ୩ ମିନିଟ୍ ୪୭ ସେକେଣ୍ଡ ମଧ୍ୟରେ ୫୦ଟି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ରାଗର ପକଡ଼ ଚିହ୍ନଟ କରି ଏବଂ ଗାଇ ଏହି ଅସାଧାରଣ ସଫଳତା ଲାଭ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଗତ ୩ ବର୍ଷ ଧରି ସେ ୬୦ଟି ରାଗ ଶିକ୍ଷା କରିଛନ୍ତ। ଏଥିମଧ୍ୟରୁ ସେ ରେକର୍ଡ ପାଇଁ ୫୦ଟି ରାଗକୁ ବାଛିଛନ୍ତି। ଏସିଆ ବୁକ୍ ପ୍ରତିଯୋଗିତାରେ ଯୋଗଦେବା ପାଇଁ ଚୟନିତ ହେବାର ସମସ୍ତ ଶ୍ରେୟ ଆଶୁତୋଷଙ୍କର ଗୁରୁଜୀ, ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ପବନ କୁମାର ଚୌବେଙ୍କୁ ଯାଉଛି। ଆଶୁତୋଷଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ଜାଣି ମଧ୍ୟ ସେ ବହୁତ ଧୈର୍ଯ୍ୟ, ଯତ୍ନ ଓ ଆନ୍ତରିକତା ସହ ତାଙ୍କୁ ତାଲିମ ଦେଇଛନ୍ତି।ଏସିଆ ରେକର୍ଡର ପରିକଳ୍ପନା ତାଙ୍କରହିଁ ଥିଲା। ଶ୍ରୀ ଚୌବେ ଏନେଇ ସମସ୍ତ ଯୋଜନା ନିଜେ ପ୍ରସ୍ତୁତ କରିଛନ୍ତି ଏବଂ ରେକର୍ଡ ପରୀକ୍ଷା ପୂର୍ବରୁ ଆଶୁତୋଷଙ୍କ ଅଭ୍ୟାସ ଅଧିବେଶନଗୁଡ଼ିକୁ କଠୋର ଭାବେ ମାର୍ଗଦର୍ଶନ ଦେଇଛନ୍ତି। ଆଶୁତୋଷଙ୍କ ନାମ ପୂର୍ବରୁ ୨୦୨୩ ମସିହାରେ ଆବାକସ୍ ବିଭାଗରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ପଞ୍ଜୀକୃତ ହୋଇସାରିଛି। ସେ ମାତ୍ର ୧୫ ମିନିଟ୍‌ରେ ୨୦୮ଟି ଯୋଗ, ବିୟୋଗ ଓ ଗୁଣନ ସମାଧାନ କରି ପାରିଥିଲେ। ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ପ୍ରଥମ ଶ୍ରେଣୀରେ ଡିଷ୍ଟିଙ୍କସନ୍ ସହ ବିଶାରଦ ହାସଲ କରିଛନ୍ତି। ୨୦୨୪ ମସିହାରେ ସେ କାନପୁରଠାରେ ଅନୁଷ୍ଠିତ ସ୍ପେସିଆଲ୍ ଅଲିମ୍ପିକ୍ସ ଭାରତରେ ପାୱାର ଲିଫ୍ଟିଙ୍ଗ୍‌ କରି ୩ଟି ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୨୫ ମସିହାରେ ବିଶ୍ୱ ଅଟିଜମ୍ ଦିବସ ଅବସରରେ ସୁବାହ୍‌-ଏ-ବନାରସ୍ ମଞ୍ଚରେ ସେ ପ୍ରଥମ ନିଉରୋଡାଇଭର୍ଜେଣ୍ଟ କଳାକାର ଭାବରେ ପ୍ରଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ। ୨୦୨୬ ମସିହାରେ ରାଜ୍ୟସ୍ତରୀୟ ଦୌଡ଼ରେ ୨ଟି ସ୍ୱର୍ଣ୍ଣ ଓ ୧ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ଦୁଇ ବର୍ଷର କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି ଏବଂ ବର୍ତ୍ତମାନ ଉଚ୍ଚତର କମ୍ପ୍ୟୁଟର କୋର୍ସରେ ଭର୍ତ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଦିବ୍ୟ କଳା ମଞ୍ଚରେ ଦିଲ୍ଲୀ, ରାୟପୁର, ରାଞ୍ଚି, ଭୁବନେଶ୍ୱର ଓ ବିଶାଖାପାଟଣା ଠାରେ ୫ ଥର ପ୍ରଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବର୍ତ୍ତମାନ ଆଶୁତୋଷ ନିୟୁୟର୍କର ଭାବନା ସୁଧୀରଙ୍କ ତତ୍ତ୍ୱାବଧାନରେ ସ୍କାପ ନାମକ ଏକ ଅନ୍ତର୍ଜାତୀୟ ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି। ଆଶୁତୋଷ ଓମେଗା ଲିଓ କ୍ଲବ୍‌ର ଅଧ୍ୟକ୍ଷ ଭାବେ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ସଫଳତାର ସହ ସମାପ୍ତ କରି ଏବେ ତୃତୀୟ ଥର ପାଇଁ ଅଧ୍ୟକ୍ଷ କାର୍ଯ୍ୟ ଜାରି ରଖିବାର ବିରଳ ସୁଯୋଗ ପାଇଛନ୍ତି। ଜାମସେଦପୁର ମ୍ୟୁଜିକ୍ ସର୍କଲ୍‌ ପକ୍ଷରୁ ଆୟୋଜିତ ବହୁ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଆଶୁତୋଷ ବେଶ ପ୍ରଶଂସା ପ୍ରାପ୍ତ କରିଛନ୍ତି। ଆଶୁତୋଷଙ୍କୁ ୯ ବର୍ଷ ବୟସରେ ଅଟିଜିମ ସ୍ପେକ୍ଟ୍ରମ୍ ଡିଜଅର୍ଡର୍ ନିର୍ଣ୍ଣୟ କରାଯାଇଥିଲା। ଏହି ରୋଗର ଉପଚାର ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ଆବିଷ୍କୃତ ହୋଇନାହିଁ। ଆଶୁତୋଷ ଅନେକ ନିଉରୋଡାଇଭର୍ଜେଣ୍ଟ ସନ୍ତାନ ଥିବା ପିତାମାତାଙ୍କ ପାଇଁ ଏକ ଆଦର୍ଶ। ଆଶୁତୋଷ ଜଣେ ସରଳ, ସୁଧୀର, ସୁଶୀଳ ଓ ସ୍ନେହୀ ଯୁବକ। ନିଜର ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତି ସହିତ ସେ ତାଙ୍କର ଜୀବନ ଯାତ୍ରା ଜାରୀ ରଖିଛନ୍ତି। ଆଶୁତୋଷ ପାଣିଗ୍ରାହୀଙ୍କ ସଫଳତାର କାହାଣୀ ଅନ୍ୟ ଅଟିଜିମ ଯୁବକ ଓ ବାଳକ ମାନଙ୍କ ପାଇଁ ଏକ ପ୍ରକୃଷ୍ଟ ଉଦାହରଣ ହୋଇପାରେ, ଯେଉଁମାନଙ୍କ ସଂଖ୍ୟା ଭାରତରେ ପ୍ରତି ଶହେ ଜଣରେ ଜଣେ। ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ସମର୍ଥନ, ପ୍ରୋତ୍ସାହନ, ସମୟୋପଯୋଗୀ ପୃଷ୍ଠପୋଷକତା ଓ ପ୍ରେରଣା ମିଳିପାରିଲେ, ଅସମ୍ଭବ କଥା ମଧ୍ୟ ସମ୍ପୂର୍ଣ୍ଣ ସମ୍ଭବ ହୋଇପାରିବ ବୋଲି ଆଶୁତୋଷ ପ୍ରମାଣିତ କରି ଦେଖାଇଛନ୍ତି। ଆଶୁତୋଷ ବର୍ତ୍ତମାନ ଜଣେ ସଙ୍ଗୀତ ଶିକ୍ଷକ ହେବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ଭବିଷ୍ୟତରେ କମ୍ପ୍ୟୁଟର କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବାକୁ ଚାହାନ୍ତି। ଆଶୁତୋଷ ଙ୍କର ଗର୍ବିତ ପିତାମାତା, ତାଙ୍କର ଅସାଧାରଣ ପ୍ରତିଭା ଓ ଅସାମାନ୍ୟ ପାରଦର୍ଶିତାକୁ ପ୍ରଦର୍ଶନ କରିବା ପାଇଁ ଉପଯୁକ୍ତ ମଞ୍ଚ ଓ ପ୍ରଚୁର ସୁଯୋଗ ସୃଷ୍ଟି କରି ପାରି ଥିବାରୁ ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର । ତାଙ୍କ ପିତା ବିଶ୍ୱଜିତ ପାଣିଗ୍ରାହୀ ନାଗପୁର ପରମାଣୁ ଶକ୍ତି ବିଭାଗରେ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ମାତା ଡକ୍ଟର ନିବେଦିତା କର ଗତ ୧୦ ବର୍ଷ ଧରି ଜାମସେଦପୁରରେ ନିଉରୋଡାଇଭର୍ଜେଣ୍ଟ ବ୍ୟକ୍ତିଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି। ଡକ୍ଟର କର ବର୍ତ୍ତମାନ ପ୍ରୟାସ ଏକ ପହଲ ନାମକ ଏନ୍‌ଜିଓର ଅଧ୍ୟକ୍ଷା ଅଛନ୍ତି।

powered by social2s