ନୂଆଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ସମାରୋହର ଭବ୍ୟ ଆୟୋଜନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ପ୍ରଥମ ଥର ପାଇଁ ଇନ୍ଦ୍ରପ୍ରସ୍ଥ ସମାରୋହ ଅତ୍ୟନ୍ତ ଭବ୍ୟତାର ସହିତ ଅନୁଷ୍ଠିତ ହୋଇ ଯାଇଥିବା ଜଣାଯାଇଛି। ବିଶ୍ୱ ଭାରତ କେନ୍ଦ୍ର (ବିଭାକେ)ର ସହଯୋଗରେ ୱାର୍ଲଡ୍ ଓଡିଶା ସୋସାଇଟି (ୱାଓସୋ) ଦ୍ୱାରା ପ୍ରେସ କ୍ଲବ ଅଫ ଇଣ୍ଡିଆ ଠାରେ ଆୟୋଜିତ ଏହି ମହାସମାରୋହରେ ଭାରତର ଉତ୍କୃଷ୍ଟ କଳା, ସମୃଦ୍ଧ ସଂସ୍କୃତି ଓ ଉତ୍ତୁଙ୍ଗ ପରମ୍ପରାର ସାରତତ୍ତ୍ୱ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀରେ ସ୍ୱାଗତ ଭାଷଣ ପ୍ରଦାନ କରି ୱାର୍ଲଡ୍ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଭାରତର ଅମୂଲ୍ୟ ଐତିହ୍ୟ ଓ ଅନନ୍ୟ ମୂଲ୍ୟବୋଧକୁ ବିଶ୍ୱବ୍ୟାପୀ ପ୍ରୋତ୍ସାହିତ କରିବା ପାଇଁ ୱାଓସୋର ଦୃଢ଼ ପ୍ରତିବଦ୍ଧତା ବିଷୟରେ ଉଲ୍ଲେଖ କରିଥିଲେ।ୱାଓସୋର ପ୍ରତିଷ୍ଠାତା ଟ୍ରଷ୍ଟି ସୁଧୀର କୁମାର ଦାଶ ଦେଶର ସଚେତନ ନାଗରିକମାନଙ୍କୁ ଆମର ସୁବର୍ଣ୍ଣ ପରମ୍ପରାକୁ ସୁରକ୍ଷା ଓ ସଂରକ୍ଷଣ କରିବା ସହିତ ଯୁବ ପିଢୀକୁ ଏହି ଅଭିଯାନ‌କୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେବାକୁ ଆହ୍ୱାନ ଜଣାଇ ଥିଲେ। ବିଶ୍ୱ ଭାରତ କେନ୍ଦ୍ରର ପରାମର୍ଶଦାତା ପ୍ରସିଦ୍ଧ ଆଇନଜୀବୀ ଅବନୀ ସାହୁ, ବିଶ୍ୱ ଭାରତ କେନ୍ଦ୍ର ଭାରତର ସୁବର୍ଣ୍ଣ ଐତିହ୍ୟ ଓ ଭାରତୀୟତାର ଗୌରବମୟ ପରିଚୟକୁ ବିଶ୍ୱବ୍ୟାପୀ ଆଗକୁ ବଢ଼ାଇବାରେ ସକ୍ରୀୟ ଭାବେ ଲାଗିରହି ଥିବା ପ୍ରକାଶ କରିଥିଲେ। ସଭାକୁ ୱାଓସୋର ଉପାଧ୍ୟକ୍ଷ ପ୍ରଦୀପ କୁମାର ରଥ, ସାଧାରଣ ସମ୍ପାଦକ ଉମାକାନ୍ତ ଜେନା,ବରିଷ୍ଠ ସଦସ୍ୟ ହୃଷିକେଶ ପାତ୍ର, ଦିଲ୍ଲୀ ଏବଂ ଏନସିଆର ଶାଖାର ଅଧ୍ୟକ୍ଷ ବିମଳ ଭଲ ଓ ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା ମଧ୍ୟ ସମ୍ବୋଧନ କରିଥିଲେ। ସମାବେଶରେ ଉଦବୋଧନ ଦେଇ ବରେଣ୍ୟ ଅତିଥି ଗଣ ଯଥା :- ରାଜ୍ୟସଭା ସାଂସଦ ସୁଜୀତ କୁମାର, ନୂଆଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଓ ପ୍ରସିଦ୍ଧ ଇଏନ୍ ଟି ବିଶେଷଜ୍ଞ ଡଃ ରମେଶ ଚନ୍ଦ୍ର ଡେକା ତଥା ବିଶିଷ୍ଟ କୂଟନୀତିଜ୍ଞ ଡଃ ଅମରେନ୍ଦ୍ର ଖଟୁଆ ଇନ୍ଦ୍ରପ୍ରସ୍ଥ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ “ବସୁଧୈବ କୁଟୁମ୍ବକମ୍”ର ମହାନ ସନ୍ଦେଶକୁ ବିଶ୍ୱବ୍ୟାପୀ ପ୍ରଚାର କରିବା ବୋଲି ଉଲ୍ଲେଖ କରିଥିଲେ। ସେମାନେ ଭାରତର ପ୍ରାଚୀନ ରୀତିନୀତି ଏବଂ ପ୍ରତିଷ୍ଠିତ ଲୋକାଚାରକୁ ଆନ୍ତର୍ଜାତିକ ଦରବାରରେ ପ୍ରଦର୍ଶିତ ଓ ପ୍ରତିପାଦିତ କରିବା ପାଇଁ ୱାଓସୋ ଏବଂ ବିଭାକେର ନିରବଚ୍ଛିନ୍ନ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ୧୯ ଜଣ ବ୍ୟକ୍ତିଙ୍କୁ ଇନ୍ଦ୍ରପ୍ରସ୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା।ସେମାନଙ୍କ ମଧ୍ୟରେ ସାଂସଦ ଓ ଓଡ଼ିଶା ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ଦିଲ୍ଲୀପ ରାୟ,ରାଜ୍ୟସଭା ସାଂସଦ ସୁଜୀତ କୁମାର,ନୂଆଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡଃ ଆର.ସି. ଡେକା,ବିଶିଷ୍ଟ ଶିକ୍ଷାବିଦ୍ ଡଃ ଦୀନବନ୍ଧୁ ସାହୁ,ଏସବିଆଇ ଫଣ୍ଡସ ମ୍ୟାନେଜମେଣ୍ଟ ଲିମିଟେଡ୍‌ର ଏମଡ଼ି ଓ ସିଇଓ ଦେବାଶିଷ ମିଶ୍ର, ହର୍ଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡଃ ଶିବ ପ୍ରସାଦ ମହାନ୍ତି,ଏନଏସଆଇସିର ସିଏମଡ଼ି ଡଃ ସୁଭ୍ରାଂଶୁ ଶେଖର ଆଚାର୍ଯ୍ୟ, ଇରେଡ଼ାର ସିଏମଡ଼ି ଡଃ ବିଜୟ କୁମାର ମହାନ୍ତି, ଏଚପିସିଏଲର ସିଜିଏମ ରମେଶ ଚନ୍ଦ୍ର ବାଘ,ପ୍ରସିଦ୍ଧ ସ୍ପାଇନ ସର୍ଜନ ଡଃ ପ୍ରଫେସର ଶଙ୍କର ଆଚାର୍ଯ୍ୟ,ଦରଭଙ୍ଗା ଏମ୍ସର ନିର୍ଦ୍ଦେଶକ ଡଃ ମାଧବାନନ୍ଦ କର, ଗ୍ଲୋବାଲ ନ୍ୟୁଟ୍ରିସନ ଚମ୍ପିୟନ ବସନ୍ତ କୁମାର କର, ସୁପ୍ରିମକୋର୍ଟର ଆଇନଜୀବୀ ସସ୍ମିତା ତ୍ରିପାଠୀ,ଉତ୍କଳ ଗ୍ରୁପର ଅଧ୍ୟକ୍ଷ ସୁରେଶ ମିଶ୍ର, ଆକାଶବାଣୀର ନିର୍ଦ୍ଦେଶକ ସୁଭଶ୍ରୀ ମହାପାତ୍ର,ସାହିତ୍ୟ ଆଜତକର ସମ୍ପାଦକ ଜୟ ପ୍ରକାଶ ପାଣ୍ଡେ, ରୁଟ୍ସ ଅଫ ଓଡ଼ିଶା ଫାଉଣ୍ଡେସନର ପ୍ରତିଷ୍ଠାତା ଓ ପ୍ରସିଦ୍ଧ ଚାର୍ଟର୍ଡ ଏକାଉଣ୍ଟାଣ୍ଟ ସୁଧୀର କୁମାର ଦାଶ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ମଞ୍ଚେଷ୍ଟରରୁ ୱାର୍ଲଡ୍ ଓଡ଼ିଶା ସୋସାଇଟିର ମହାସଚିବ ଶିବରଞ୍ଜନ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସୁଚାରୁ ରୂପେ ସଂଚାଳନା କରିଥିଲେ। ନନ୍ଦନ ଦ୍ୱିବେଦୀ ଓ ଅଙ୍କିତ ମୌର୍ଯ୍ୟ ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ। ସୁଧୀର କୁମାର ଦାଶ ଓ ତାଙ୍କ ଦଳ ଅନେକ ଲୋକପ୍ରିୟ ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶ୍ରୀ ଦାଶଙ୍କ ଦଳରେ ରାକ୍ଷୀ ଅଗ୍ରୱାଲ, ବୀରେନ୍ଦ୍ର ସିଂହ, ଶୋଭା ନାରଙ୍ଗ ଓ ସଚିନ ରସ୍ତୋଗି ଙ୍କ ଭଳି ସୁନାମଧନ୍ୟ କଣ୍ଠଶିଳ୍ପୀ ମାନେ ସାମିଲ ଥିଲେ। ଇନ୍ଦ୍ରପ୍ରସ୍ଥ ବିଷୟବସ୍ତୁ ଆଧାରିତ ଡ଼ଃ କୁଳମଣି ବିଶ୍ୱାଳ ଓ ଲକ୍ଷ୍ମୀକାନ୍ତ ଦାସ ଙ୍କର କବିତା ଆବୃତ୍ତି ମଧ୍ୟ ଉଚ୍ଚ କୋଟିର ଥିଲା।

powered by social2s