କୋରାପୁଟ: ପବିତ୍ର କାର୍ତ୍ତିକ ମାସ ତଥା ପବିତ୍ର ବୋଇତ ବନ୍ଦାଣ ଓ ଡଙ୍ଗା ଭସା ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି କୋରାପୁଟର ପ୍ରସିଦ୍ଧ ଶାବର ଶ୍ରୀକ୍ଷେତ୍ର। ଚାରିଆଡ଼େ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନାର ପରିବେଶ ସୃଷ୍ଟି ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପ୍ରକାଶ ପାଇଛି l କାର୍ତ୍ତିକ ମାସ ହିନ୍ଦୁ ଧର୍ମର ଏକ ପବିତ୍ର ମାସ ହୋଇଥିବାରୁ ଏହି ସମୟରେ ଭକ୍ତମାନେ ପ୍ରାତଃ ସ୍ନାନ, ଦୀପଦାନ, ତୁଳସୀ ପୂଜା ଓ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ମହାପ୍ରଭୁଙ୍କ ଆରାଧନା କରିଥାନ୍ତି l ଅନ୍ୟପକ୍ଷରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପାଳିତ ହେଉଥିବା ଡଙ୍ଗା ଭସା ପର୍ବ ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସାହସିକ ଇତିହାସକୁ ମନେ ପକାଇଦିଏ l ଏହି ଅବସରରେ ଶ୍ରଦ୍ଧାଳୁମାନେ ଭୋରୁ ଭୋରୁ ଆଜି କୋରାପୁଟ ସ୍ଥିତ ନରେନ୍ଦ୍ର ସରୋବରଠାରେ କଦଳୀ ପାଟୁକା, ସୋଲ ଓ ରଙ୍ଗବେରଙ୍ଗର କାଗଜରେ ତିଆରି ଛୋଟ ଡଙ୍ଗାରେ ଦୀପ ଜାଳି ଜଳାଶୟରେ ଭସାଇଥିବା ଦେଖିବାକୁ ମିଳିଅଛି l ଡଙ୍ଗାରେ ପାନ, ଗୁଆ, ଧୂପ, ଦୀପ ଓ ଫୁଲ ରଖି 'ଆ କା ମା ବୈ, ପାନ ଗୁଆ ଥୋଇ' ଗୀତ ଗାଇବାର ପରମ୍ପରା ଓଡ଼ିଆ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ l ଶାବର ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ଓ ମହାପ୍ରଭୁଙ୍କ ଦର୍ଶନ ଭକ୍ତମାନଙ୍କ ମନରେ ଅପାର ଆନନ୍ଦ ଓ ଶାନ୍ତି ଭରିଦେଉଛି। ଜଗନ୍ନାଥ ସଂସ୍କୃତି ସହ ଓଡ଼ିଆ ଜାତିର ପାରମ୍ପରିକ ଐତିହ୍ୟକୁ ସ୍ମରଣ କରି ଏହି ପର୍ବକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରୁଛନ୍ତି ଅଞ୍ଚଳବାସୀ l ପବିତ୍ର କାର୍ତ୍ତିକ ମାସ ଓ ଡଙ୍ଗା ଭସା ପର୍ବ କୋରାପୁଟର ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ନୂତନ ଉତ୍ସାହ ଭରିଦେଇଛି। ଜୟ ଜଗନ୍ନାଥ ଧ୍ୱନିରେ ଶାବର ଶ୍ରୀକ୍ଷେତ୍ରର ପରିବେଶ ଭକ୍ତିମୟ ହୋଇଉଠିଛି l
ପବିତ୍ର କାର୍ତ୍ତିକ ମାସ ଓ ଡଙ୍ଗା ଭସା ପର୍ବ ପାଇଁ ଚଳଚଞ୍ଚଳ କୋରାପୁଟ ଶାବର ଶ୍ରୀକ୍ଷେତ୍ର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

