ଛ’ଟି ପୁସ୍ତକର ଲୋକାର୍ପଣ ଓ ଏକାଡେମୀ ଅଫ୍ ସାଇକୋଲୋଜି ଗଠନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ମନସ୍ତାତ୍ତ୍ଵିକ ସମ୍ବଳକୁ ଆଧାର କରି ଲୋକଜୀବନକୁ ଶ୍ରୀମୟ କରିବା ଉଦ୍ଦେଶ୍ୟରେ ଏକ ଅନୁଷ୍ଠାନ ‘ଏକାଡେମୀ ଅଫ୍ ସାଇକୋଲୋଜି’ର ଗଠନ ଓ ବିକାଶ ପାଇଁ ନଭେମ୍ବର ୨୩ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ସି.ଓ୍ବାଇ.ଏସ୍.ଡି. ପ୍ରେକ୍ଷାଳୟରେ ଏକ ସାରସ୍ଵତ ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ମନସ୍ତତ୍ତ୍ବବିଦ୍ ଡ. ଫକୀର ମୋହନ ସାହୁଙ୍କ ରଚିତ ଛ’ଟି ପୁସ୍ତକର ଲୋକାର୍ପଣ ସମେତ ତାଙ୍କ ଉଦ୍ୟମରେ ଗଠିତ ଏକାଡେମୀ ଅଫ୍ ସାଇକୋଲୋଜିର ଗଠନ ଓ ଭବିଷ୍ୟତ ରୂପରେଖ ଘୋଷଣା କରାଗଲା। ବିଶିଷ୍ଟ ସାହିତ୍ୟକ ଯତୀନ୍ଦ୍ର କୁମାର ନାୟକ ଅଧ୍ୟକ୍ଷତା କରି ଓଡ଼ିଆ ଭାଷା ମାଧ୍ୟମରେ ଆଧୁନିକ ଜ୍ଞାନବିଜ୍ଞାନକୁ ପ୍ରସାରିତ କରିବାର ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକମାନଙ୍କର ଉଦାସୀନତା କଟାଇ ସେମାନଙ୍କୁ ଭାଷା ଓ ସଂସ୍କୃତିର ଜାଗରଣ ଦିଗରେ ସକ୍ରିୟ ହେବାର ଆବଶ୍ୟକତା ଉପରେ ଗୁରୁତ୍ବଆରୋପ କରିଥିଲେ। ଡକ୍ଟର ଜଗଦାନନ୍ଦ ଓଡ଼ିଶାର ଯୁବଗୋଷ୍ଠୀର ନେତୃତ୍ବର ବିକାଶର ମାର୍ଗ ସଂପର୍କରେ ଆଲୋକପାତ କରିଥିଲେ । ଇଞ୍ଜିନିୟର୍‌ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଶ୍ରୀ ସତ୍ୟସାଇବାବାଙ୍କ ଜୀବନୀ ଓ ବାର୍ଭାକୁ ଆଧାର କରି ଲେଖାଯାଇଥିବା ଗୀତିକାବ୍ୟର ଦେବାର୍ପଣ କରିଥିଲେ। କଥାସାହିତ୍ୟର ଧୂରୀଣ ଲେଖକ ଡକ୍ଟର ଦୀପ୍ତିରଞ୍ଜନ ପଟ୍ଟନାୟକ ସେଦିନ ଲୋକାର୍ପିତ ହୋଇଥିବା ବହୁଚର୍ଚ୍ଚିତ ପୁସ୍ତକ ଡକ୍ଟର ଭିକ୍ଟର ଫ୍ରାଙ୍କଲ୍‌ଙ୍କ ପୁସ୍ତକର ଓଡ଼ିଆ ଅନୁବାଦ ‘ଚରମ ଜୀବନାର୍ଥ ସନ୍ଧାନରେ ମଣିଷ’ (ଅନୁବାଦକ: ଫକୀର ମୋହନ ସାହୁ) ପୁସ୍ତକର ନିର୍ଯ୍ୟାସ ଉପସ୍ଥାପନ କରିଥିଲେ। ଡକ୍ଟର ଆଦିତ୍ୟ କୁମାର ମହାନ୍ତି ମାନବୀୟ ଜୀବଯାତ୍ରାରେ ଈଶ୍ଵରୀୟତାର ପ୍ରାଧାନ୍ୟ ସୂଚାଇଥିଲେ। ଶେଷରେ ଡ. କଳ୍ପନା ସାହୁ ଧନ୍ୟବାଦ ଦେଇଥିଲେ ଏବଂ ଡ. ରମେଶ ଚନ୍ଦ୍ର ବେହେରା ସାମଗ୍ରିକ ପରିଚାଳନାର ଦାୟିତ୍ଵ ନିର୍ବାହ କରିଥିଲେ।

powered by social2s