କବି ନନ୍ଦକିଶୋର ସାମଲଙ୍କ ୯୭ତମ ଜୟନ୍ତୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: ‘ଆମ ଘର’ ପରି କବିତା ସର୍ଜନା ପାଇଁ ବିଶେଷ ପ୍ରସିଦ୍ଧି ଅର୍ଜନ କରିଥିବା କବି ନନ୍ଦକିଶୋର ସାମଲ ଶିଶୁସାହିତ୍ୟ ଜଗତର ଜଣେ ପ୍ରଖ୍ୟାତ ସ୍ରଷ୍ଟା । ମୌଳିକ ଚିନ୍ତା-ଚେତନା ଓ ବିବିଧ ଭାବଭୂମି ଉପରେ ଆଧାରିତ ତାଙ୍କର ବିପୁଳ ସୃଷ୍ଟିସମ୍ଭାର ଯେତିକି ସରଳ-ସାବଲୀଳ, ସେତିକି ମଧ୍ୟ ମନଛୁଆଁ ତଥା ହୃଦୟସ୍ପର୍ଶୀ । ଶିଶୁସାହିତ୍ୟ ସମେତ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସେ ଜଣେ ସଫଳ ସାରସ୍ୱତ ସ୍ରଷ୍ଟା ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି । ବିଶେଷକରି ଜଣେ ଉଚ୍ଚକୋଟୀର ଶିଶୁସାହିତ୍ୟ ସ୍ରଷ୍ଟା ଭାବରେ ସେ ଅଭୁଲା ହୋଇ ରହିବେ ବୋଲି କବିଙ୍କ ୯୭ତମ ଜୟନ୍ତୀ ଉତ୍ସବରେ ବହୁ ବିଶିଷ୍ଟ ସାହିତ୍ୟିକ ମତପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟାରେ ‘କବି ନନ୍ଦକିଶୋର ସାମଲ ସ୍ମୃତି ନ୍ୟାସ’ ଓ ‘କୋଠଘର ଆମ ସାହିତ୍ୟ ପରିବାର’ ମିଳିତ ଆନୁକୂଲ୍ୟରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ନ୍ୟାସର ସଭାପତି ଡକ୍ଟର ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ଶିଶୁସାହିତ୍ୟିକ ଓ ଶିକ୍ଷାବିତ୍ ଡକ୍ଟର ଦିଗରାଜ ବ୍ରହ୍ମା ମୁଖ୍ୟ ଅତିଥି, ବିଶିଷ୍ଟ ଲେଖିକା ଡକ୍ଟର ଶକୁନ୍ତଳା ବଳିଆରସିଂହ ମୁଖ୍ୟବକ୍ତା, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ବିଶିଷ୍ଟ ଅତିଥି, ବିଶିଷ୍ଟ ସାହିତ୍ୟିକା ଡକ୍ଟର ବୈଜୟନ୍ତୀ ମିଶ୍ର ସମ୍ମାନନୀୟା ଅତିଥି ଓ ଶିଶୁସାହିତ୍ୟ ଲେଖକ ସମ୍ମେଳନର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସମ୍ମାନନୀୟ ବକ୍ତା ଭାବରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ୍ତ କୁମାର ସାମଲ, ଜ୍ଞାନଚାନ୍ଦ ଶତପଥୀ, ଗୋଲାପ ନନ୍ଦ, ଅଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ଅରୁଣା ସାମନ୍ତରାୟ, ଅଧ୍ୟାପକ ଗଣେଶ୍ୱର ସ୍ୱାଇଁ ପ୍ରମୁଖ ନନ୍ଦକିଶୋରଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ନନ୍ଦକିଶୋରଙ୍କ ସ୍ମୃତିରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି କବିତାପାଠ କରିଥିଲେ । ପ୍ରାରମ୍ଭରେ କବିଙ୍କ ପୁତ୍ର ସୁକୁମାର ସାମଲ, ପୁତ୍ରବଧୂ ମମତା ସାମଲ, ନାତି ବ୍ୟୋମକେଶ ସାମଲ ଓ ନାତୁଣୀ ବର୍ଷା ସାମଲ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ‘ଶିଶୁବଜାର’ ସମ୍ପାଦକ ଦିବ୍ୟଜ୍ୟୋତି ପାଣି ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସ୍ମୃତି ନ୍ୟାସର ସମ୍ପାଦକ ଡକ୍ଟର ସୁନାମଣି ରାଉତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ବିବରଣୀ ଉପସ୍ଥାପନ କରିଥିଲେ । ବୈଷୟିକ ପରିଚାଳନା ତଥା ସଂଯୋଜନା କରିଥିଲେ ‘କୋଠଘର ଆମ ସାହିତ୍ୟ ପରିବାର’ ସଂପାଦିକା ଶ୍ରୀମତୀ ଅମ୍ବିକା ସ୍ୱାଇଁ । ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟିକ ବ୍ରହ୍ମାନନ୍ଦ ବିଶ୍ୱାଳ ।

 

 

powered by social2s