ଭୁବନେଶ୍ୱର: ଓଡିଶା କୃଷି କ୍ଷେତ୍ରରେ ଏକ ପ୍ରଗତିଶୀଳ ରାଜ୍ୟ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦିଗଦର୍ଶନ ଓ ଦୂରଦୃଷ୍ଟି ପାଇଁ ଓଡିଶା ବିଗତ ବର୍ଷମାନଙ୍କରେ କୃଷି କ୍ଷେତ୍ରରେ ଜାତୀୟ ସ୍ତରରେ ଅନେକ ପୁରଷ୍କାର ହାସଲ କରିଛି। ନିକଟରେ ଓଡିଶା ମାଣ୍ଡିଆ ସମେତ ଖୁଦ୍ରଶସ୍ୟ ଚାଷକୁ ପ୍ରୋତ୍ସାହନ କ୍ଷେତ୍ରରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି। ତେବେ ଆଧୁନିକ ଜ୍ଞାନକୌଶଳ ର ବ୍ୟବହାର ଓ ଦକ୍ଷତା ବିକାଶ ଜରିଆରେ ଆମେ କୃଷି କ୍ଷେତ୍ରରେ ଶୀର୍ଷ ସ୍ତରକୁ ପହଁଞ୍ଚିପାରିବା ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ, ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି।ଆଜି ରୋଜଗାର ଓ ଶିକ୍ଷିତ ଯୁବକଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ଓଡିଶା କୃଷି ଶିଳ୍ପ ନିଗମର ୱେବସାଇଟ ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଡ଼ ସାହୁ କହିଲେ ଯେ ବର୍ତ୍ତମାନ କୃଷି କ୍ଷେତ୍ରରେ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ରହିଛି। ନିଜର ଜ୍ଞାନ ଓ ଦକ୍ଷତା ବୃଦ୍ଧି ସହ ଶିକ୍ଷିତ ଯୁବକଯୁବତୀ ନିଜ ଅଞ୍ଚଳରେ ଅର୍ଥ ଉପାର୍ଜନ ସହ ସମ୍ମାନର ସହ ଜୀବନ ଜିଇଁ ପାରିବେ ବୋଲି କହିଥିଲେ।ବର୍ତ୍ତମାନ ସମୟରେ କୃଷି ଯନ୍ତ୍ରପାତିର ଚାହିଦା ବୃଦ୍ଧି ପାଇଥିବାବେଳେ ଏହା ଉପରେ ଅଧିକ ଜ୍ଞାନ ଆହରଣ ଯୁବବର୍ଗଙ୍କ ଆତ୍ମନିର୍ଭରଶୀଳ କରାଇପାରିବ ବୋଲି ମନ୍ତ୍ରୀ ଡ଼ ସାହୁ କହିଥିଲେ।ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କୃଷି ଏବଂ କୃଷି ଯନ୍ତ୍ରପାତି କ୍ଷେତ୍ରରେ ଅଧିକ ତାଲିମ କାର୍ଯ୍ୟକ୍ରମ ସହ ଶିକ୍ଷିତ ତାଲିମପ୍ରାପ୍ତ ମାନବସମ୍ବଳ ର ଏକ ଡାଟାବେସ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲେ।
powered by social2s

