ନୂଆ ଯୁଗର ଶିଶୁରେ ଆମେ ରେ ନୂଆ ଯୁଗର ଶିଶୁ,
ଆମେ ହସିଲେ ଦୁନିଆ ହସେରେ ସବୁରି ସାଥେ ମିଶୁ।
କୁନି ଓଠରୁ ଝରାଇ କଥା ପୁଲକ ଭରିଦେଉ,
କୁନି ଭାବନା କୁନି ଚେତନା ନୀତି ନୂଆ କଥା କହୁ।
ଛୋଟ ମନରେ ବଡ ବୁଦ୍ଧି ର କାମ ଯେ କେତେ କରୁ,
ବାର ବରଷ ଧରମାଗାଥା ପ୍ରମାଣ କୋଣାର୍କରୁ। ।
ପୁରାଣ ଯୁଗ ଆଦର୍ଶ ଶିଶୁ କାହାଣୀ ଆଜିଭବ୍ୟ,
ଉପମନ୍ୟୁ, ଆରୁଣୀ, ଆଉ ଧନ୍ୟ ଏକଲବ୍ୟ।
ବାଜିରାଉତ, ବିର୍ସାର ଡାକ ଏବେବି ଶୁଭେ କାନେ
ଆଖିରେ ଆସେ ଲୁହର ଝର ପଡ଼ଇ ଯେବେ ମନେ।
ଜାତି ପାଇଁ କେ ଦେଲା ଜୀବନ ଦେଲା ଦକ୍ଷୀଣା ଗୁରୁ ପାଇଁ,
ଦେଶ ପାଇଁ କେ ଜୀବନ ଦେଇ ଗଲେ ଅମର ହୋଇ।।
ନବୀନ ଜୀବନ ନବୀନ ସନ୍ଧାନ ନବୀନ ଆମ ଆଶା,
ନୂଆ ଜୀବନର ଆଲୋକ ଦେଖିବୁ ମନରେ ଅଛି ଭରସା।
ସମାଜ ବଦଳେ ସଂସାର ବଦଳେ ବଦଳୁଛି ଆମ ଭେକ,
କିଏ ଧନୀ ଶିଶୁ କିଏତ ଗରିବ ସବୁତ ଆମେ ଏକ।
ଧନୀ ଶିଶୁଟିଏ ପାଠ ପଢି ଯାଏ ଚଢି ମଟର ଗାଡିରେ,
ଗରିବ ଶିଶୁଟି ଆହାର ଖୋଜୁଛି ଅଳିଆ ଡବା ଭିତରେ।।
ଆଜିର ଏ ଶିଶୁ କାଲି ନାଗରିକ ଦେଶର ଯେ ଭବିଷ୍ୟତ,
ପେଟ ପାଇଁ ମା' ବିକୁଛି ତା ଛୁଆ କିଏ ବୁଝିଛି ମହତ।
କୁନି ଆମ ବହି ଖଣ୍ଡେ ନାହିଁ ସରାଗେ ପଢିବା ପାଇଁ,
କିଏ ମାଗେ ଭିକ, କିଏ ସେ ଶ୍ରମିକ ପେଟ ଚାଖଣ୍ଡକ ପାଇଁ।
ନିର୍ଯାତନା କେତେ ସହି ସହି ଆମେ କିଛି ଭଲ ହେଇଥାଉ,
ଆଉ କିଏ ପୁଣି ଚୋର ଡକାୟତ, ଖୁନି ହୋଇ ଜେଲ ଯାଉ।।
ଅନାଥ, ଅଭାବ, ଗହଳିରେ ହଜି ଆଜି ଆମେ ଏକୁଟାଆ,
ଖାଇବା, ପିନ୍ଧିବା ରହିବାକୁ ନାହିଁ ଆମେ ବଡଦାଣ୍ଡେ ଠିଆ।
ଆମପାଇଁ ଯେତେ ସରକାରୀ ଯୋଜନା ସବୁ ପ୍ରହେଳିକାମୟ,
ନେତା ମନ୍ତ୍ରୀ ଯେତେ ଭାଷଣ ଦିଅନ୍ତି ସବୁ ମିଛ ଅଭିନୟ।
ଆମେ ଚାହୁଁ ସେଇ ମା' ର ମମତା ବାପାଙ୍କ ସ୍ନେହ ଆଦର,
ମୀନତି ଆମର ହେ ମହା ଅନୁଭବୀ ଆମକୁ ନିଜର କର।
ବଡ ହୋଇ ଦିନେ ଭଲ କାମ କରି ଭରିଦେବୁ ଉଲ୍ଲାସ,
ବାପା ମା' ଗାଁ ଦେଶଜାତି ନାଆଁ ରଖିବୁ ସବୁରି ଯଶ।।
ଲେଖିକା- ଲକ୍ଷ୍ମୀପ୍ରିୟା ମଲ୍ଲ, ନିଆଳି, କଟକ
ଶିଶୁ ମୀନତି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

