ମହାମାରୀ ପରେ ବିଶ୍ୱ ସମୁଦାୟରେ ଭାରତର ବିଶ୍ୱସନୀୟତା ବୃଦ୍ଧି ପାଇଛି: ବୈଦେଶିକ ସଚିବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: 2020 ମସିହାରେ କୋଭିଡ-19 ମହାମାରୀ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଭାଙ୍ଗି ଦେଇଥିଲା। ଏହି ମହାମାରୀ ବିଶ୍ୱ ଅର୍ଥନୀତିକୁ ମଧ୍ୟ ଦୁର୍ବଳ କରିଦେଇଥିଲା। ମହାମାରୀ ପରବର୍ତ୍ତୀ ବାସ୍ତବତା ଯାହା ଲଗାତାର ବଢୁଥିବା କୋଭିଡର ପ୍ରଭାବ ମଧ୍ୟରେ ବିଶ୍ୱକୁ ଆସିଛି ତାହା ବିଶ୍ୱ ଶୃଙ୍ଖଳାର ମୂଳଦୁଆ ସୃଷ୍ଟି କରୁଛି। କୋଭିଡ ପରବର୍ତ୍ତୀ ସମୟରେ ଭାରତୀୟ ଅର୍ଥନୀତି କିପରି ସୁଧୁରୁଛି ଏବଂ ବିଶ୍ୱ ସମୁଦାୟରେ ଭାରତର ବିଶ୍ୱସନୀୟତା କିପରି ବୃଦ୍ଧି ପାଇଛି ସେ ସମ୍ପର୍କରେ ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏକ ଲେଖା ମାଧ୍ୟମରେ କହିଛନ୍ତି।

ବୈଦେଶିକ ସଚିବ ତାଙ୍କ ଲେଖାରେ ଲେଖିଛନ୍ତି, "ଅତୀତର ଅନୁଭବରୁ କହିବାକୁ ଗଲେ ମାନ୍ଦାବସ୍ଥା ପରେ ପୁନରୁଦ୍ଧାର ଘଟିଥାଏ। ଅର୍ଥନୈତିକ ଉତ୍ପାଦନ ଓ କାର୍ଯ୍ୟକଳାପ ବୃଦ୍ଧି ସହିତ ଭାରତୀୟ ଅର୍ଥନୀତି ପୁନର୍ବାର ବୃଦ୍ଧି ପାଉଛି।" ଭାରତର ବିଶାଳ ଟିକାକରଣ କାର୍ଯ୍ୟକ୍ରମରେ 10 ମାସରୁ କମ୍ ସମୟରେ 1 ବିଲିୟନ ଡୋଜ ଦିଆଯାଇଛି। ଏ ବିଷୟରେ ସେ ସ୍ପଷ୍ଟ କରିଛନ୍ତି ଯେ "ଏହି ଜଟିଳ ଟିକାକରଣ ଅଭିଯାନ ରେକର୍ଡ ସମୟରେ ସମାପ୍ତ ହୋଇଛି, ଯାହା ଅଭୂତପୂର୍ବ ଅଟେ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାରେ ଉନ୍ନତି ଆଣିବା ସହିତ ଦୁର୍ବଳତା ହ୍ରାସ କରିଛି। ସ୍ୱାଭାବିକ ପରିସ୍ଥିତି ଫେରିବା ପାଇଁ ତଥା ଆଗକୁ ବଢିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ତେଣୁ ଏହା ଏକ ସୁଯୋଗର ମୁହୂର୍ତ୍ତ। ଏହି ସମୟରେ ଭାରତ ଯାହା ଚୟନ କରିବ ତାହା ଉତ୍ତମ ଭବିଷ୍ୟତ ପାଇଁ ପ୍ରତିଶୃତିର ଏକ ସୂଚକ ଅଟେ।"

ବୈଦେଶିକ ସଚିବ ଶ୍ରୀଙ୍ଗଲା ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ଦର୍ଶାଇ ଦେଇଛି ଯେ ଆମକୁ ଅଧିକ ସଂଯୁକ୍ତ ବିଶ୍ୱ ଦରକାର। ସାଧାରଣ ସମସ୍ୟାର ସମାଧାନ ବିଷୟରେ ସେ କହିଛନ୍ତି। ଗତ କିଛି ମାସ ମଧ୍ୟରେ ବିଶ୍ୱସ୍ତରୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତା ବିଷୟରେ ସେ ଲେଖିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କିଛି ମାସ ମଧ୍ୟରେ ଜି7, ଜି20, ସିଓପି 26 ରେ, ପ୍ରଥମ କ୍ୱାଡ ସମ୍ମିଳନୀରେ, ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦ, ବ୍ରିକ୍ସ ଏବଂ ସାଂଘାଇ ସହଯୋଗ ସଂଗଠନ ପରିଷଦର ସରକାର ମୁଖ୍ୟମାନଙ୍କ ଅଧ୍ୟକ୍ଷ ଭାବରେ ଏକ ନୂତନ ବିଶ୍ୱ ଶୃଙ୍ଖଳାର ଦୃଷ୍ଟିକୋଣ ପ୍ରଦାନ କରିଛନ୍ତି ଯାହା ମହାମାରୀ ପରବର୍ତ୍ତୀ ବିଶ୍ୱର ସମସ୍ୟା ପାଇଁ ପ୍ରଯୁଜ୍ୟ। ସେ ମଧ୍ୟ ବିଭିନ୍ନ ଘରୋଇ ଓ ଆନ୍ତର୍ଜାତିକ ମଞ୍ଚ ମାଧ୍ୟମରେ ରଣନୀତି ଓ ଲକ୍ଷ୍ୟ ଉପସ୍ଥାପନା କରିଛନ୍ତି ଯାହା ସମସ୍ତଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏହି ଦୃଷ୍ଟିକୋଣ ସହିତ ଭାରତୀୟ ପ୍ରାଥମିକତାକୁ ଯୋଡିବ।"

ପରିବର୍ତ୍ତନ ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଶ୍ରୀଙ୍ଗଲା ଲେଖିଛନ୍ତି, "ଏକ ପ୍ରମୁଖ ବିଶ୍ୱସ୍ତରୀୟ ଆହ୍ୱାନ ଯେଉଁଥିରେ ଭାରତ ନେତୃତ୍ୱ ଓ ଦିଗ ପ୍ରଦାନ କରିବା ପାଇଁ କାର୍ଯ୍ୟ କରିଛି ତାହା ହେଉଛି ଜଳବାୟୁ ପରିବର୍ତ୍ତନ। ଆମର ବିକାଶମୂଳକ ଆବଶ୍ୟକତା ସତ୍ତ୍ୱେ ଆମେ ଜଳବାୟୁ ପରିବର୍ତ୍ତନକୁ ନେଇ କାର୍ଯ୍ୟ ପାଇଁ ଦୃଢ ପ୍ରତିବଦ୍ଧତା ଦେଖାଇଛୁ। ସମ୍ପ୍ରତି ଗ୍ଲାସଗୋଠାରେ ଅନୁଷ୍ଠିତ ସିଓପି26 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପଞ୍ଚାମ୍ରିତ ମାଧ୍ୟମରେ ଭାରତର ଜଳବାୟୁ ଲକ୍ଷ୍ୟକୁ ଉଲ୍ଲେଖ କରିଥିଲେ ଯାହା 2030 ସୁଦ୍ଧା ଜୀବାଶ୍ମ ବିହୀନ ଇନ୍ଧନ ଶକ୍ତି କ୍ଷମତାକୁ 500 ଗିଗାୱାଟକୁ ବୃଦ୍ଧି କରିବା ଏବଂ ଆମର 50% ଶକ୍ତି ଆବଶ୍ୟକତା ଅକ୍ଷୟ ଶକ୍ତିରୁ ପୂରଣ କରିବା ପାଇଁ ଭାରତକୁ ସକ୍ଷମ କରିବ।"

ବୈଦେଶିକ ସଚିବ ଶ୍ରୀଙ୍ଗଲା ତାଙ୍କ ଲେଖା ମାଧ୍ୟମରେ ସୂଚାଇ ଦେଇଛନ୍ତି ଯେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଦୁଇଟି ଆନ୍ତର୍ଜାତିକ ସଂଗଠନ ଯଥାକ୍ରମେ ଆନ୍ତର୍ଜାତିକ ସୌର ମେଣ୍ଟ ଓ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ଗଠବନ୍ଧନ ବିଶ୍ୱ ସ୍ତରରେ ଜଳବାୟୁ ପରିବର୍ତ୍ତନ ହ୍ରାସ ଓ ଉପଯୋଗୀକରଣ ପ୍ରୟାସରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଆରମ୍ଭ କରିଛି। ସେ ଲେଖିଛନ୍ତି, "ଏହି ସଂଗଠନଗୁଡ଼ିକ ଅଧୀନରେ ସିଓପି26 ରେ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ ପରସ୍ପର ସହ ସଂଯୁକ୍ତ ସୌର ଶକ୍ତି ଭିତ୍ତିଭୂମି ପାଇଁ ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ୍’ ଏବଂ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଜଳବାୟୁ ଓ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ପାଇଁ ‘ସ୍ଥିର ଦ୍ୱୀପ ରାଷ୍ଟ୍ର ପାଇଁ ଭିତ୍ତିଭୂମି’ ଆରମ୍ଭ କରିଛନ୍ତି।''

 

powered by social2s