ଦୃଷ୍ଟିହୀନତା ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌କୁ ମିଳିଲା ଅନ୍ତର୍ଜାତୀୟ ଗ୍ରୀନବର୍ଗ ପୁରସ୍କାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: ଦୃଷ୍ଟିହୀନତା ଦୂର କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟକୁ ଅନ୍ତର୍ଜାତୀୟ ସ୍ତରର ସମ୍ମାନଜନକ ‘ଗ୍ରୀନବର୍ଗ ପୁରସ୍କାର’ ମିଳିଛି । ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ଗୁଲ୍ଲାପାଲ୍ଲି ଏନ୍ ରାଓଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
 
‘ଦୃଷ୍ଟିହୀନତା ଦୂରୀକରଣ’ ଭଳି ଏକ ମହତ୍ ଆନ୍ଦୋଳନ ଆରମ୍ଭ କରିଥିଲେ ଡାକ୍ତର ସାନଫୋର୍ଡ ଗ୍ରୀନବର୍ଗ, ଯିଏ ମାତ୍ର ୧୯ ବର୍ଷ ବୟସରେ ନିଜ ଦୃଷ୍ଟି ଶକ୍ତି ହରାଇଥିଲେ । ଏପରିକି ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଦୃଷ୍ଟିଶକ୍ତି ନ ଥିଲା । ଡାକ୍ତର ଗ୍ରୀନବର୍ଗ ୨୦୧୨ରେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅଧୀନ ୱିଲମର ଆଇ ଇନଷ୍ଟିଚ୍ୟୁଟର ପରିଚାଳନା ପରିଷଦର ଅଧ୍ୟକ୍ଷ ଥିବାବେଳେ ‘ଗ୍ରୀନବର୍ଗ ପୁରସ୍କାର’ର ଘୋଷଣା କରାଯାଇଥିଲା । ଦୃଷ୍ଟିହୀନତା ଦୂରୀକରଣ ଦିଗରେ ଅଗ୍ରଣୀ ଭୂମିକା ନେଇଥିବା ବୈଜ୍ଞାନିକ ତଥା ଡାକ୍ତରୀ କ୍ଷେତ୍ରର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଉଛି । 
 
“ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ୩ ହଜାର ସଦସ୍ୟ ଥିବା ପରିବାର ତଥା ଏହାର ଶୁଭେଚ୍ଛୁଙ୍କ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରି ମୁଁ ବେଶ୍ ଆନନ୍ଦିତ ତଥା ଗର୍ବିତ ହେବି । ଆଖିର ଯତ୍ନ ନେଇଆସୁଥିବା ବିଶ୍ୱର ସମସ୍ତ ଅନୁଷ୍ଠାନ ପାଇଁ ‘ଦୃଷ୍ଟିହୀନତା ଦୂରୀକରଣ’ ଲକ୍ଷ୍ୟକୁ ହାସଲ କରିବା ଗତ ଦୁଇ ଦଶନ୍ଧି ଧରି ଏକ ସ୍ୱପ୍ନ ହୋଇ ରହିଆସିଥିଲା । ଏ ଦିଗରେ ଆମର ଅବଦାନକୁ ସ୍ୱୀକୃତି ଦେଇଥିବାରୁ ଆମେ ସାନଫୋର୍ଡ ଆଣ୍ଡ ସୁସାନ ଗ୍ରୀନବର୍ଗ ଏଣ୍ଡ ବ୍ଲାଇଣ୍ଡନେସ୍ ଫାଉଣ୍ଡେସନକୁ କୃତଜ୍ଞତା ଜଣାଉଛୁ” କହିଛନ୍ତି ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଗୁଲ୍ଲାପାଲ୍ଲି ଏନ୍ ରାଓ ।
 
ଗ୍ରୀନବର୍ଗ ପୁରସ୍କାର ପାଇଥିବା ବିଜେତାମାନେ ବୈଜ୍ଞାନିକ ଓ ଡାକ୍ତରୀ କ୍ଷେତ୍ରର ବ୍ୟକ୍ତିବିଶେଷ ଯେଉଁମାନେ ଗୋଟିଏ ଦୁର୍ବଳ ସ୍ଥିତିରେ ନିରବଚ୍ଛିନ୍ନ ସଂଗ୍ରାମ କରିବାରେ ଅଗ୍ରଣୀ ଭୂମିକା ନେଇଆସିଛନ୍ତି । ୩ ମିଲିୟନ ଡଲାର (୨୨ କୋଟି ଟଙ୍କାରୁ ଅଧିକ) ଅର୍ଥରାଶି ଦିଆଯାଉଥିବା ଗ୍ରୀନବର୍ଗ ପୁରସ୍କାର ହେଉଛି ଏକ ମିଳିତ ଉଦ୍ୟମର ଐତିହାସିକ ନିଦର୍ଶନ । ଏହି ଉଦ୍ୟମ ପଛରେ ପ୍ରତିଷ୍ଠିତ ବୈଜ୍ଞାନିକ, ବାଣିଜ୍ୟ, ରାଜନୀତି, ସଂସ୍କୃତି, କଳା, ସଙ୍ଗୀତ ଓ ମନୋରଞ୍ଜନ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ରହିଛନ୍ତି । 
 
୧୯୮୭ରେ ପ୍ରତିଷ୍ଠା ହୋଇଥିବା ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ଅଗ୍ରଣୀ ଚକ୍ଷୁ ଯତ୍ନ ସେବା ପ୍ରଦାନକାରୀ ସଂସ୍ଥା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସହଯୋଗରେ ଏହି ସଂସ୍ଥା ଦୃଷ୍ଟିହୀନତା ଦୂରୀକରଣ ପାଇଁ କାମ କରୁଛି ଏବଂ ‘ଭିଜନ ୨୦୨୦ : ଦୃଷ୍ଟିର ଅଧିକାର’ ଭଳି କାର୍ଯ୍ୟକ୍ରମ ପାଇଁ ଏହା ଏକ ବୈଶ୍ୱିକ ଗବେଷଣା ସଂସ୍ଥା ଭାବେ ଉଭା ହୋଇଛି । ପିରାମିଡ୍ ମଡେଲରେ କାମ କରୁଥିବା ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ଚକ୍ଷୁ ଯତ୍ନ କ୍ଷେତ୍ରରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ କର୍ଣ୍ଣାଟକ ଭଳି ୪ଟି ରାଜ୍ୟର ଉପାନ୍ତ ଗ୍ରାମୀଣ ଅଂଚଳରେ ସେବା ଯୋଗାଉଛି ।
powered by social2s