କୋରାପୁଟର ଆଦିବାସୀ କହିଲେ ଆଦିମ ଅଧିବାସୀ l ଦ୍ରାବିଡ଼ ଆର୍ଯ୍ୟମାନଙ୍କ ପୂର୍ବରୁ ଏମାନଙ୍କର ଭାରତରେ ବସବାସ ରହିଆସିଛି l ହଜାର ହଜାର ବର୍ଷ ତଳେ ଏଇ କୋରାପୁଟର ଦଣ୍ଡକାରଣ୍ୟରେ ବନବାସ ଜୀବନ ବିତାଇଥିଲେ ରାମାୟଣର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର l କିଂବଦନ୍ତୀର କଥନ ଏହି କଥା ଉଲ୍ଲେଖ ରହିଅଛି l ମହାଭାରତରେ ଶ୍ରୀକୃଷ୍ଣଙ୍କୁ ଜରା ଶବର ତୀର ମାରିଥିବା କଥା ଆମ ଚଉଦ ପୁରୁଷର ଚିତ୍ରପଟ କଥା କହୁଅଛି । ରାମାୟଣର ସୀତାକୁଣ୍ଡ, ବଣ୍ଡାପାହାଡ଼, ମାଲ୍ୟବନ୍ତଗିରି ଦଣ୍ଡକାରଣ୍ୟ, ମହେନ୍ଦ୍ରଗିରି, ଗନ୍ଧମାର୍ଦ୍ଦନ ପାହାଡ଼ ସେ ଚିତ୍ରପଟର ଚେନାଏ ଚେନାଏ ଚିହ୍ନବର୍ଣ୍ଣ । ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରି ଫେରିଲାବେଳେ ଏଇ କୋରାପୁଟିଆ ତାଙ୍କ ହାତରୁ ମା’ ଦୁର୍ଗାଙ୍କର ପ୍ରତିମୂର୍ତ୍ତି ଛଡ଼ାଇ ନେଇଥିଲେ l ଦେଶର ପାର୍ବତ୍ୟାଞ୍ଚଳରେ ୪୩୨ ପ୍ରକାର ଜନଜାତି l ମଧ୍ୟପ୍ରଦେଶ ପରେ ଓଡ଼ିଶା ୨ୟ ଆଦିବାସୀବହୁଳ ରାଜ୍ୟ । ଓଡ଼ିଶାର ୧ ଲକ୍ଷ ୫୫ ହଜାର ବର୍ଗ କି.ମି. କ୍ଷେତ୍ରଫଳ ଭିତରୁ ୭୦ ହଜାର ବର୍ଗକିଲୋମିଟର ଜନଜାତି ବହୁଳ l ମୁଖ୍ୟତଃ ୬୨ଟି ଜନଜାତି ଓଡ଼ିଶାରେ । ଏଠି କ’ଣ ନାହିଁ – ଖଣିଜ, ଜଳଜ, ବନଜ ସଂପଦର ଅସରନ୍ତି ଉତ୍ସଭୂମି ଏଇଠି ରହିଅଛି l ଦିଗନ୍ତ ବିସ୍ତାରୀ ସବୁଜ ଅରଣ୍ୟରାଜି, ବିସ୍ତୀର୍ଣ୍ଣ ବୀଥିକା ଓ ନଦୀ ଉପତ୍ୟକା, ଅତ୍ୟୁଚ୍ଚ ପର୍ବତମାଳା, ସୁଦୀର୍ଘ ଡଂଗର ଭୂଇଁ, ଅସଂଖ୍ୟ କଳନିନାଦିନୀ ବନ୍ୟଝରଣାକୁ ନେଇ ଏ ଦ୍ୟାବାପୃଥିବୀ ହେଉଛି ଓଡ଼ିଶାର ଭୂସ୍ୱର୍ଗ । ଏହାର ଚତୁର୍ଦିଗ ଉନ୍ମୁକ୍ତ । ଏ ଆଦିଭୂମିର ଇତିହାସ ଅତଳ ଅତୀତର ଅତରଭିଜା ପୃଷ୍ଠାରେ ପୂର୍ଣ୍ଣ । ଆମ ସଭ୍ୟତାର ପାଞ୍ଚହଜାର ବର୍ଷରୁ ଆହୁରି ପୁରୁଣା ଏଠାକାର ସଂସ୍କୃତି । ଆମ ତଥାକଥିତ ତତ୍ତ୍ୱଗତ ବୁନିଆଦିଠୁ କାହିଁକେତେଗୁଣ ବୟୋଜ୍ୟେଷ୍ଠ ଏ ମଣିଷମାନଙ୍କ ପ୍ରକୃତିଦତ୍ତ ବୁନିଆଦି । ଅଥଚ ଏମାନେ ଆଜି ବି ଅବହେଳିତ । ନିଷ୍ପେଷିତ, ନିର୍ଯାତିତ, ଶୋଷିତ । ଏମାନଙ୍କ ଆଖିରୁ କିଏ ଲୁହ ପୋଛିବ? ମୁଁ ସେମାନଙ୍କୁ କହିଲି – ମୋତେ ଟୋପେ ଲୁହ ଦିଅ – ମୁଁ ତୁମକୁ ଦେବି ଗୋଟାଏ କୋହପାଶୋରା ସୁନାର କୋରାପୁଟ । ଅନେକ ଥର ଦକ୍ଷିଣ ଓଡ଼ିଶା ପରିକ୍ରମା ଆମେ କରିଅଛୁ କିନ୍ତୁ କୋରାପୁଟରେ ପାଦ ଦେବା କ୍ଷଣି ହୃଦୟରେ ଗୁଣୁଗୁଣୁ କଣ୍ଠରେ ଗାଇ ହୋଇଯାଏ – ‘ମାଆ ତୁଝେ ସଲାମ ।’ ବାଲିରାଜା, ଶର୍ବରୀ, ହାଅନ୍ନ, ତମସାତୀରେ, ପରଜା, ଅମୃତର ସନ୍ତାନ, ମାଟିମଟାଳ … ଓଡ଼ିଶାର ଦୁଇ ବରପୁତ୍ର ପ୍ରଥିତଯଶା ଔପନ୍ୟାସିକ କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି – ଏ ଦୁଇଭାଇଙ୍କର ଏ ସବୁ ଉପନ୍ୟାସ ଆମ୍ଭଙ୍କୁ ଦୂରଭୂମି ସୁଦୂର-ସମୟ ପ୍ରତି ଆମ୍ଭ ପିଲାଦିନର ମନରେ ଜଗାଇଥାଏ ଅନେକ ରଙ୍ଗର ସ୍ୱପ୍ନ l ଘଂଚବନସ୍ଥ ଭୂମିର ଜନଜାତି-ଜୀବନଶୈଳୀ ପ୍ରତି ଉତ୍ତରୋତ୍ତର ଉତ୍କଣ୍ଠା ବିଶେଷତଃ ଗିରିକନ୍ଦରମୟ କୋରାପୁଟ ଜିଲ୍ଲା ଆମ୍ଭ ପାଇଁ ଗୋଟିଏ ସୁନ୍ଦର ଓଡ଼ିଶୀ ଗୋଧୂଳିର ଶେଷଭୂମି ଯାହାର ଅକ୍ଷାଂଶ ଦ୍ରାଘିମା ପରେ ଆରମ୍ଭ ହୁଏ ଆନ୍ଧ୍ରର ଇଲାକା l କେବେ ମୋ ସ୍ୱପ୍ନର କୋରାପୁଟ ମାଟିକୁ ମଥାନୁଆଇଁ ଓଳଗି ହେବି l ଏଇ ଚିନ୍ତା ସେଇ ପିଲାବେଳୁ ମୋ ମର୍ମଚକ୍ଷୁରେ ନାଚୁଥିଲା l ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ 24 ଶତାଂଶ ହେଉଛନ୍ତି ଏହି ଆଦିମ ଅଧିବାସୀ l ଆମ ଦକ୍ଷିଣ ଓଡିଶା କୋରାପୁଟ ଜିଲାରେ ପ୍ରାୟତଃ ସାଧାରଣତଃ କନ୍ଧ ଜାତିର ଲୋକ ଦଶ ଲକ୍ଷରୁ ଅଧିକ l କୋରାପୁଟର ଗିରିବାସୀ ଆଦିବାସୀଙ୍କ ମଧ୍ୟରେ ବଣ୍ଡା ହେଉଛନ୍ତି ବେଶ୍ ଜଣାଶୁଣା l ଖରା,ବର୍ଷା, ଶୀତ ପ୍ରାୟ ସବୁବେଳେ ପ୍ରକୃତି ସହିତ ପ୍ରକୃତିର ସନ୍ତାନ ଭଳି ପ୍ରକୃତି ସହ ବିଶ୍ୱସ୍ତ l ଦେହରେ ବସ୍ତ୍ର ନଥାଏ କି ମନରେ ନଥାଏ ଵିନ୍ଦୁଏ ମଳିନତା l ପୂର୍ଣ୍ଣ ଉଲଗ୍ନ ଏହି ଆଦିବାସୀ ସମାଜ ଆମ ପୋଷାକୀ ସମାଜର କୋଳାହଳ ଠାରୁ ଅନେକ ଦୂରରେ ଥାଇ ନିଘଞ୍ଚ ବନଭୂମିର ଉଚ୍ଚ ଗିରି ପର୍ବତ ଅଞ୍ଚଳରେ ବିଚରଣଶୀଳ lସାଧାରଣତଃ ୨ ଭିନ୍ନ କିସମର ବଣ୍ଡା ଜାତି ଏହି କୋରାପୁଟ ଅଞ୍ଚଳରେ ବହୁ ପୁରୁଣା କାଳରୁ ଦେଖା ଯାଉଥିଲେ l ଭାରତୀୟ ମୁଖ୍ୟ ସାମାଜିକ ସ୍ରୋତରୁ ନିରବଛିନ୍ନ ଉପର ବଣ୍ଡା ଘନ ଅରଣ୍ୟର ଅଭ୍ୟନ୍ତରୀୟ ଅଞ୍ଚଳରେ,ପାହାଡ଼ଚୂଡ଼ା ପାଖାପାଖି ଗୁହାଗୁଡିକରେ l ଏମାନଙ୍କ ସଂଖ୍ୟା ପାଖାପାଖି ୭000 ହେବ l ମାତ୍ର ପ୍ରାୟ ୧୭000 ତଳୁଆ ବଣ୍ଡାଙ୍କୁ ଆମେ ବିସ୍ତିର୍ଣ୍ଣ ମାଳଭୂମିରେ ଚି଼ହ୍ନଟ କରିପାରିବା l ଏମାନେ ମୁଣ୍ଡା ସମ୍ପ୍ରଦାୟର ଆଦିବାସୀ ହେଲେ ହେଁ ଏମାନଙ୍କର ଆଚାର, ବିଚାର, ସଂସ୍କାର, ଜୀବନଶୈଳୀରେ ଭରିରହିଛି ଗୋଟିଏ ପ୍ରକାର ବିଜନତାପ୍ରେମୀ ସ୍ୱତନ୍ତ୍ର ଜୀବନଶୈଳୀ l ମାତ୍ର ଧୀରେଧୀରେ ଏହି ବଣ୍ଡାମାନେ ଏବେ ବଂଶବିଲୁପ୍ତିର ଆଶଙ୍କାରେ ଥିବାର ଅନୁମାନ ହେଉଅଛି l ୬୨ ପ୍ରକାର ଆଦିବାସୀଙ୍କ ଭିତରୁ କନ୍ଧ, ସଉରା,ଗଣ୍ଡ,ସାନ୍ତାଳ,ପରଜା, ଗଦବା,କୋୟା,ଭୂଇଁଜ,ବଣ୍ଡା, ଜୁଆଙ୍ଗ,ଲୋଧା, ଶବର,ଭୂୟାଁ, ହୋ,ମୁଣ୍ଡାରି ଏହିଭଳି ଆହୁରି ଅନେକ ଆଦିମ ଜନଜାତି ଅଛନ୍ତି ଯେଉଁମାନଙ୍କ ସମ୍ପର୍କରେ ଆମ ସଭ୍ୟ ତଥାକଥିତ ସଭ୍ୟ ଶିକ୍ଷିତ ସମାଜ କେବଳ ଅଜ୍ଞ ନୁହେଁ ସମ୍ପୂର୍ଣ ତଥ୍ୟହୀନ l ମୁଁ ଜାଣିଶୁଣି ଭାରତ କଥା କହୁନାହିଁ, ଓଡିଶାର ଆଦିବାସୀ ପ୍ରସଙ୍ଗ ଉଠାଉଛି ଏଇଥିପାଇଁ ଯେ ଓଡିଶା ଏ ଦେଶର ଏକ ନମ୍ବର ଆଦିବାସୀ ରାଜ୍ୟ lଏଠାରେ ଆଦିବାସୀମାନଙ୍କ ଜୀବନଶୈଳୀକୁ ଅନ୍ତର୍ଭୁକ୍ତ କରିବା ଯଦି ସେମାନଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବରେ ଟିକିଏ ସ୍ୱତନ୍ତ୍ର ଏବଂ କେଡେ ନିଆରା ଆମେ ବିସ୍ତୃତ ଭାବେ ନିମ୍ନରେ ଆଲୋଚନା କରିବା lଅତୀତ ଆଦିମ ଅଧିବାସୀଙ୍କ ଭିତରୁ ଡ଼ମ୍ବ, ଗାଦବା ଏବଂ ପରଜା ଅଧିବାସୀଙ୍କ ଜୀବନ ଚର୍ଯ୍ୟା ଏବଂ ସମାଜରେ ଏମାନଙ୍କ ନିଚ୍ଛକ ରୂପରାଜିକୁ ମୁଁ ସାହିତ୍ୟି ପୃଷ୍ଠାରେ ସ୍ଥାନ ଦେବାକୁ ପଛେଇନାହିଁ l ବାସ୍ତବ ପକ୍ଷେ ଏହି ଆଦିବାସୀଙ୍କ ଚରିତ୍ର କେତେ ନିରୀହ ଓ ନିଷ୍କପଟ ଯାହା ବର୍ଣ୍ଣନାଯୋଗ୍ୟ ହୋଇଅଛି l ଏହି ଆଦିମ ଅଧିବାସୀ ଧାଡି ଧାଡି ହୋଇ ନିଜସ୍ୱ ଘର କରି ରହିଥିବା ଦେଖିବାକୁ ମିଳିଅଛି l ଏମାନେ ଭାରି ପରିଶ୍ରମୀ l ଏମାନଙ୍କ ମନରେ ରାଗ ରୁଷା ଅଭିମାନ ନଥାଏ l ଏମାନଙ୍କ ମଧ୍ୟରେ ଏକତା ଭରି ରହିଛି l ପରିଶ୍ରମ କରି ପାହାଡ଼ ଖୋଳି ବଣ ଜଙ୍ଗଲ ସଫା କରି ଚାଷଵାସ କରିଥାନ୍ତି l ଏମାନେ ଭାରି ନିରୀହ ଏବଂ ନିଷ୍କପଟ l ଦୁଃଖସୁଖରେ ଦିନ କାଟନ୍ତି l ଖଟି ଖାଆନ୍ତି l ପାହାଡ଼ ପରେ ପାହାଡ଼ ବଣ ପରେ ପ ବଣ ସଫା କରି ଏମାନେ ଚାଷ କରନ୍ତି l ପାଞ୍ଚ ଛଅ ଘଣ୍ଟା ଏମାନେ କାନ୍ଧରେ କୁରାଢ଼ି ଏବଂ ହାତରେ କୋଡ଼ି ଧରି କାମ କରିଚାଲନ୍ତି l ହିଂସାବାଦ ଏମାନଙ୍କ ମନରେ ନଥାଏ l ଭାଈ ଭଉଣୀ ଅନାବିଳ ସ୍ନେହରେ ବାନ୍ଧି ହୋଇଥାନ୍ତି l ମାଣ୍ଡିଆ ଯାଉ, ଶାଗ ଇତ୍ୟାଦି ଖାଇ ଦିନ କାଟନ୍ତି l ଅଭାବ, ଅନଟନକୁ ଏମାନେ ଭୁକ୍ଷେପ କରନ୍ତି ନାହିଁ l ଏମାନଙ୍କ ମଧ୍ୟରେ ଏକତା ରହିଥାଏ l ଏହି ଆଦିମ ଅଧିବାସୀ ଝିଅମାନେ ମୁଣ୍ଡରେ ନାଲିଫୁଲ ମରିଥାନ୍ତି l ବିଭିନ୍ନ ସ୍ଥାନକୁ ଯାଇ ଶାଗ ଆଣି ଘରେ ରୋଷେଇ ଵାସ କରନ୍ତି l ପାହାଡ଼ ତଳ ଝରଣାରୁ ପାଣି ଆଣି ମାଠିଆ କାଖେଇ ନସର ପସର ହୋଇ ଚାଲିଥାନ୍ତି l ସେଥିରେ ହସ,ଥଟ୍ଟା, ମଜ୍ଜା କେତେ ଚାଲିଥାଏ l ଝରଣାରେ ସେମାନେ ସ୍ନାନ କରିଥାନ୍ତି l ଖଟା ଚିଲିଫଳର ସାବୁନ ଫେଣରେ ମୁଣ୍ଡ ସଫା କରିଥାନ୍ତି l ଏମାନେ ଜଙ୍ଗଲରେ ଗୋରୁ ଚରାଇବା, ପୋଡୁଚାଷ ପାଇଁ ଜୋରିମାନା ବା ଟିକସ ଦେଇଥାନ୍ତି l ସଭ୍ୟଲୋକମାନଙ୍କୁ ସେମାନେ ମହାପ୍ରଭୁ ବୋଲି ଭାବିଥାନ୍ତି l ଏମାନେ ଜଙ୍ଗଲ ଜମାନଙ୍କ ନିକଟରେ କାକୁତି ମିନତି ହୋଇ ଲାଞ୍ଚ ଦେଇ ଚାଷ ଚାଷ କରିବା ପାଈଁ ଜମି ନେଇଥାନ୍ତି l ଏହି ଜନଜାତିର ଲୋକମାନେ ବଳକୁ ଚିହ୍ନନ୍ତି l ଏମାନେ ମାଟି ସହ ମାଟି ହୋଇ ଖଟନ୍ତି l କୋଶେ ଯାଇ ପଇସାଟିଏ ରୋଜଗାର କରିଥାନ୍ତି l ଏମାନଙ୍କୁ କେତେବେଳେ ବେମାର ନାହିଁ କିମ୍ବା ଅଳସ କ'ଣ ସେ ଜାଣନ୍ତି ନାହିଁ l ଲାଉତୁମ୍ବାରେ ମାଣ୍ଡିଆ ଜାଉ ପୂରାଇ ବିଲକୁ ନେଇ କାମ କରିବାକୁ ଯାଆନ୍ତି l ଏମାନେ ଡୁମ୍ବାଙ୍କ ଉପରେ ବିଶ୍ୱାସ ରଖିଥାନ୍ତି l ମଣିଷ ମରିଗଲେ ତାରି ନାମରେ ଏକ ଗୋଜିଆ ପଥର ପୋତା ହୋଇଥାଏ l ଏମାନଙ୍କ ବିଶ୍ୱାସ ରହିଛି ଯେ ବଡ଼ ଗୋଜିଆ ପଥର ଭିତରେ ଏମାନଙ୍କର ଆତ୍ମା ଗୋଟିଏ ଡୁମ୍ବା ହୋଇ ଭବିଷ୍ୟତର ପୁଅନାତିଙ୍କ ସୁଖ ସୌଭାଗ୍ୟକୁ ମିଟିମିଟି କରି ଅନେଇ ରହିଥିବ l ଏହା ଜନଜାତିର ଲୋକମାନେ ଘର କରିବେ, ପୁଅ ଝିଅ ବାହା କରିବେ, ପୁଅ ବାହା କରିବେ, ଜଙ୍ଗଲ ସଫା କରି ଜମି କରିବେ ଏହା ତାଙ୍କ ସମାଜର ଏକ ରୀତି l ଏହି ଜନଜାତିର ଲୋକେ କାହାଠାରୁ ଲାଞ୍ଚ ନିଅନ୍ତି ନାହିଁ l ଏମାନେ ଭାରି ସରଳ ବିଶ୍ୱାସୀ, ଯିଏ ଯାହା କହିଲା, ଏମାନେ ଅଚିରେ ବିଶ୍ୱାସ କରିନିଅନ୍ତି l ବାହୁଙ୍ଗୀ କରି ବଡ଼ ବଡ଼ ସାହେବଙ୍କ ବୋଝ କାହିଁ କେତେ ଦୂରକୁ ଏହି ଅଧିବାସୀମାନେ ବୁହାଇ ନେଇଥାନ୍ତି l ଏଥିରୁ ଏମାନେ କୋଶେ ଗଲେ ପଇସାଟିଏ ପାଇଥାନ୍ତି l *ଅଧିବାସୀଙ୍କ କଳା* ------------------------ କୋରାପୁଟ ମାଟିରେ ଆଦିବାସୀ ମଣିଷ ମାନଙ୍କ ମଧ୍ୟରେ ଏପରି କଳା କୁଶଳତା ପ୍ରଦର୍ଶନର ଦକ୍ଷତା ରହିଛି ଯାହାକୁ ଅନୁଧ୍ୟାନ କଲେ ଜଣାଯାଏ – ଏହା କେବଳ ଆଜିର ନୁହେ, କାହିଁ କେଉଁ ପ୍ରାଚୀନ କାଳରୁ ସୃଷ୍ଟି ହୋଇଛି | ଯାହା ସହିତ ଧର୍ମ, ଦର୍ଶନ ଓ ମାନବିକ ବିଶ୍ୱାସର ନିବିଡ ସମ୍ପର୍କ ଲହିଛି | ଏହି କଳା, ଯାହା ମଣିଷର ସର୍ବୋତ୍ତମ ପ୍ରଚେଷ୍ଟା ବଳରେ ସୃଷ୍ଟି ହୋଇ ମଣିଷକୁ ଉତ୍କର୍ଷ ସାଧନ ସହିତ ତାକୁ ସଭ୍ୟତାଭିମୁଖି କରି ପାରିଛି | ତାହା ହେଉଛି ମାନବ ସଭ୍ୟତାର ଆଦିମତମ ଅଭିବ୍ୟକ୍ତି ଭାବେ ପରିଚିତ ଚିତ୍ର କଳା | କୋରାପୁଟରେ ସାଂସ୍କୃତିକ ପରମ୍ପରାର ପ୍ରତିଫଳନ ଆମେ ଦେଖିବାକୁ ପାଇଥାଉ ତାର ସ୍ୱତନ୍ତ୍ର ଚିତ୍ରକଳା, ଭାସ୍କର୍ଯ୍ୟ, ହସ୍ତଶିଳ୍ପ, ନୃତ୍ୟ, ସଂଗୀତ, ବାଦ୍ୟ ଇତ୍ୟାଦିର ଧାରାରେ | କୋରାପୁଟ ତାର ଅତି ପ୍ରାଚୀନ କାଳରୁ ପ୍ରଚଳିତ ସମୃଦ୍ଧ କଳା ସଂସ୍କୃତିକୁ ନେଇ ବେଶ୍ ଗର୍ବ ଅନୁଭବ କରିଥାଏ | *ଅଧିବାସୀଙ୍କ ସଂସ୍କୃତି ଏବଂ ପରମ୍ପରା* ------------------------------ ନୃତ୍ୟ ସଂଗୀତର ଏକ ସମୃଦ୍ଧ ପରମ୍ପରାକୁ ନେଇ କୋରାପୁଟ ଆଦିବାସୀ ସମାଜ ବଞ୍ଚେ ଓ ପ୍ରକୃତି ସହିତ ଏକାକାର ହୋଇ କ୍ଳାନ୍ତି ଅପନୋଦନ ପାଇଁ ଦୁଃଖ କଷ୍ଟର ଚୌହଦି ମଧ୍ୟରେ ଜୀବନକୁ ମନଭରି ଉପଭୋଗ କରିବା ପାଇଁ ଗୀତ, ବାଦ୍ୟ ଓ ନୃତ୍ୟର ତାଳେ ତାଳେ ନିଜକୁ ହଜେଇ ଦିଏ | ଏହି ନୃତ୍ୟ ସଙ୍ଗୀତ ହେଉଛି ଆଦିବାସୀ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ | ଏ କଳା ଆଦିବାସୀ ସଂସ୍କୃତିର ରକ୍ଷା କବଚ | ଏମାନଙ୍କ ନୃତ୍ୟର ସମ୍ଭାର ବହୁବିଧ | ଜନ୍ମୋତ୍ସବ, ବିବାହ, ପୂଜା ପାର୍ବଣ ଆଦି ଅବସରରେ ପ୍ରତ୍ୟେକ ବିଧାନପାଇଁ ଏମାନଙ୍କର ରହିଛି ସ୍ୱତନ୍ତ୍ର ନୃତ୍ୟ ଗୀତର ପରମ୍ପରା | ଏମାନେ ସୌନ୍ଦର୍ଯ୍ୟ ପ୍ରିୟ | ନୃତ୍ୟବଳେ ଏମାନେ ମୁଣ୍ଡରେ ପତ୍ର, ଫୁଲ, ପକ୍ଷୀର ପର ଇତ୍ୟାଦି ପିନ୍ଧିଥାନ୍ତି l ଆଦିବାସୀ ପରମ୍ପରା ଏବଂ ସଂସ୍କୃତିକୁ ବଜାୟ ରଖିବା ପାଇଁ ଏହି ଆଦିମ ଅଧିବାସୀଙ୍କ ଆଦିମ କାଳରୁ ଡୁଡୁଙ୍ଗା ବାଦ୍ୟ ବ୍ୟବହାର କରି ଆସୁଛନ୍ତି। ଏମାନଙ୍କର ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଓ ଯାନି ଯାତରାରେ ଡୁଡୁଙ୍ଗା ବାଦ୍ୟ ବଜାଇଥାନ୍ତି। ଦଶହରା, ପୁଷପୁନି, ଲନ୍ଦା ପରବ, ନୂଆ ହଳ ଆଦିରେ ନିଶ୍ଚିତ ଭାବେ ଡୁଡୁଙ୍ଗା ବାଜେ l ଆଉ ଏହାର ତାଳେ ତାଳେ ଆଦିବାସୀ ଯୁବକଯୁବତୀମାନେ ନୃତ୍ୟ କରିଥାନ୍ତି। ଏହି ବାଦ୍ୟର ମଧୁର ସ୍ବରରେ ସମସ୍ତେ ସମ୍ମୋହିତ ହୋଇ ପାରମ୍ପରିକ ନୃତ୍ୟ ଗୀତ କରିଥାନ୍ତି। ଧାଙ୍ଗଡାମାନେ ଡୁଡୁଙ୍ଗା ବଜାଉଥିଲାବେଳେ ଧାଙ୍ଗଡିମାନେ ଗୀତ ଗାଇଥାନ୍ତି। ଏମିତି ନାଚଗୀତରେ ରାତି ପାହି ଚାଲେ l ଆଉ ଏମାନେ ଦୁଃଖ, କଷ୍ଟ ସବୁ କିଛି ଭୂଲି ଯାଆନ୍ତି l ଆଦିବାସୀ ସମାଜ ନିକଟରେ ଆମ ଅଧିବାସୀସମାଜ ଏହି ଦୃଷ୍ଟିରୁ ମାନୁ ବା ନ ମାନୁ ବହୁଳାଂଶରେ ଋଣୀ। ଆମର ତଥାକଥିତ ଧର୍ମ, ସଂସ୍କୃତି, କଳା, ସାହିତ୍ୟ ସେମାନଙ୍କ ମୂଳସ୍ପଂଦନରୁ ଆମଦାନି କରିଛି କେତେ ସ୍ୱର, କେତେ ଉଚ୍ଚାରଣ – ଯଦିବା କୃତଜ୍ଞତା ନିବେଦନ କ୍ଷେତ୍ରରେ ଆମେ ନିତାନ୍ତ କୃପଣ। ଆମ ସମାଜ-ବିକାଶର ଭିତ୍ତିପତ୍ରରେ ଆଦିବାସୀ ଅବଦାନକୁ ଆମେ ଯେପରି ସ୍ୱୀକୃତି ଦେବା କଥା ଦେଇନାହୁଁ, ଜୀବନର ଅନେକକ୍ଷେତ୍ରରେ ଆମେ ବରଂ ସେମାନଙ୍କ ଋଣସ୍ୱୀକାରପ୍ରାପ୍ତି ବେଳକୁ ଅତିମାତ୍ରାରେ କୁଣ୍ଠିତ। ଏପରିକି ଆମର ଅନେକ କୃଷିଜାତ ଓ ଔଷଧୀୟ ବୃକ୍ଷଲତାଗୁଳ୍ମର ଚେର ଆମେ ସାଉଁଟି ଆଣିଛୁ ସେମାନଙ୍କ ପାଖରୁ, ମାତ୍ର ଏବେ ବି ସେମାନଙ୍କୁ ଛାଡ଼ିଦେଇଛୁ ଭୋକଉପାସରେ ଶଢ଼ିବାକୁ ଆଉ ରୋଗବ୍ୟାଧିରେ ଦରମରା ଜୀବନଟାଏ କାଟିବାକୁ। ଏ ରାଜ୍ୟର ମୂଳବାସିନ୍ଦା ସେମାନେ, ଅଥଚ ଆମେ ଏଠି ରାଜଧାନୀଟାଏ ଗଢ଼ିଦେଇ ସେମାନଙ୍କ ଗାଆଁଗଡ଼ଜାତକୁ ଦେଖାଉଛୁ ଆମ ନାଟକବାଜି l ଆମେ କେବେ ଭୁଲି ନ ଯିବା ଏମାନଙ୍କ ଉପସ୍ଥିତି ହିଁ ଆମ୍ଭ ପରମ୍ପରା ଏବଂ ଆଭିଜାତ୍ୟକୁ ବଜାୟ ରଖିଛି l ଅତୀତର ସେହି ଆଦିମ ମହାପୁରୁଷ ସ୍ୱାଧୀନତା ସଂଗ୍ରାମୀ ସେହି ଏହି ମାଟିର ପୁଅ ହିଁ ଏହି ଆଦିବାସୀଙ୍କ ପରିଚୟ ପ୍ରଦାନ କରିଥିଲେ ଯାହା ଯୋଗୁଁ ଆମେ ଆଜି ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିପାରୁଅଛୁ l ପର ଆପଣାର ଭେଦଭାବକୁ ଏମାନେ ଭୁଲି ଯାଇ ସମସ୍ତଙ୍କୁ ଏକ ତୁଲ୍ୟ ଏମାନେ ବିବେଚନା କରନ୍ତି l ଗୁପ୍ତେଶ୍ୱର ଭଳି ପବିତ୍ର ଶୈବ ପୀଠକୁ ଏମାନେ ଆଦି ପୁତ୍ର ଭାବେ ପୂଜା ଆରାଧନା କରନ୍ତି ଏବଂ ଆମ୍ଭେ ସଭିଏଁ ଏମାନଙ୍କ ନିକଟରୁ ଆଶୀର୍ବାଦ ଲାଘବ କରିଥାଉ l ଦେଓମାଳି ଭଳି ଉଚ୍ଚତମ ଶୃଙ୍ଗ ଏହି ଏହି ଏହି ଜନଜାତିଙ୍କ ଛାପରେ ଉଚ୍ଚ ପର୍ବତରେ ଶୋଭା ପାଉଅଛି ଏହି ସମସ୍ତ କୀର୍ତ୍ତିଙ୍କୁ ଆମେ କେବେ ହେଁ ନଯିବା ଭୁଲି l ଏମାନେ ସର୍ବଦା ମୁଣ୍ଡ ଝାଳ ତୁଣ୍ଡେ ମାରି ଚାଷ କରି ଏମାନେ କୋଟି ଜନତାରେ ଭୋକ ପିପାସାକୁ ମେଣ୍ଟାଇନେବାରେ ଏହି ଜନଜାତିଙ୍କ ଅବଦାନ ଚିର ସ୍ମରଣୀୟ ହୋଇରହିବ ଏଥିରେ ସନ୍ଦେହ ନାହିଁ l ଏହି ଅଧିବାସୀଙ୍କ ଅବଦାନ ତଥା ମହାନତାକୁ ଆମେ କେବେହେଁ ଭୁଲି ଯିବା ନାହିଁ l ତ୍ରିନାଥ ପଟ୍ଟନାୟକ (ଅଧ୍ୟାପକ ତଥା ପ୍ରାବନ୍ଧିକ) ଗ୍ରାମ : ଗାନ୍ଧୀ ନଗର ପୋ:/ଜିଲ୍ଲା - କୋରାପୁଟ ଓଡିଶା ମୋ :9438362172
କୋରାପୁଟର ଆଦିମ ଅଧିବାସୀଙ୍କ ଜୀବନ ଶୈଳୀ, କଳା,ସଂସ୍କୃତି ଏବଂ ପରମ୍ପରା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

