ସତେ ଅବା କୋରାପୁଟ ମୋତେ ଲାଗେ ବହୁ ସୁନ୍ଦର,ମନୋରମ ଏହାର ପରିବେଶ ନିଆରା ଏହାର ଅନୁଭୂତି l ମୁଁ ବଡ଼ ହୋଇଛି ଏହି କୋରାପୁଟ ପାଦଭୂମି ଶାବର ଶ୍ରୀକ୍ଷେତ୍ରଠାରେ l କୋରାପୁଟ ମାନବର୍ ପଞ୍ଚାୟତ ଗୌଡ଼ଗୁଡା ଗ୍ରାମରେ ମୋର ଜନ୍ମ ହୋଇଅଛି ବର୍ତ୍ତମାନ ମୁଁ ଗାନ୍ଧୀ ନଗରଠାରେ ରହଣୀ ତଥା ବାସସ୍ଥଳୀ l ବାପାଙ୍କ ପୋଷ୍ଟିଂ ସର୍ବପ୍ରଥମ କୋରାପୁଟ ଜିଲ୍ଲା ଗୌଡ଼ଗୁଡା ବିଦ୍ୟାଳୟ ଏବଂ ପରବର୍ତ୍ତୀ ପର୍ଯ୍ୟାୟ କୋରାପୁଟ ଜିଲ୍ଲା ମୁଖ୍ୟାଳୟଠାରେ କଟିଥାଏ l ମୁଁ ପରା ଛୋଟ ବେଳଠୁ ହିଁ ଏହି କୋରାପୁଟର ମନୋରମ ପରିବେଶ ମଧ୍ୟରେ ମୋର ପିଲାଠୁଁ ଏ ପର୍ଯ୍ୟନ୍ତ କଟିଅଛି l ମୋର ପାଠପଢା ସମସ୍ତ ଏହି ସ୍ଥାନରେ ହିଁ ସମାପ୍ତି ହୋଇଅଛି l ଖରା ଦିନ ବୋଲି ସେମିତି କିଛି ଅନୁଭୂତ ହେଲା ଭଳି ଲାଗି ନଥାଏ l ବର୍ଷା ଓ ଶୀତର ଅନୁଭବ ହେଉଥାଏ lବର୍ଷା ପ୍ରବଳ ହୁଏ l ପାହାଡ଼ ପାଦଦେଶରେ ଘର l ଘର ଏ ପାଖ ଏବଂ ସେ ପାଖ ପୂର୍ବ, ପଶ୍ଚିମ ହୋଇ ପାହାଡ଼ ବେଷ୍ଟିତ ହୋଇରହିଛି l ଝରକାର ଛିଦ୍ର ଦେଇ ଆଖି ପକେଇଲେ କେତେ ଛୋଟ ଛୋଟ ଝରଣା ଏବଂ ଛୋଟ ଛୋଟ ନଦୀ ଅବବାହିକାଗୁଡିକ କୂଳୁ କୂଳୁ ନାଦ କରି ବହିଯିବାର ଦୃଶ୍ୟମାନ ମନର ଖୁସିକୁ ଦ୍ବିଗୁଣିତ କରିଥାଏ lଶୀତ ଋତୁ ଆସିଲେ ହାତ ମୋଜା, ପାଦ ମୋଜା, ସ୍ଵେଟର ଚବିଶ ଘଣ୍ଟା ଦେହରେ l ସକାଳ କାକର ବର୍ଷା ଶିଶିର ବିନ୍ଦୁ l ଘନ କୁହୁଡିରେ ହାତେ ଦୂରତାର ଜିନିଷ ଭି ଦେଖା ଯାଇନଥାଏ l ବସନ୍ତ ଋତୁର ମଜା ବହୁ ନିଆରା l ରଙ୍ଗୀନ ଫୁଲରେ ଚାରିଆଡ ଶୋଭା ବିରାଜେ l ମନେ ପଡୁଛି ଝାପସା ଡାଲଚିନି ଗଛରୁ ଖୋଳପା ଛଡେଇବା, ତେଜପତ୍ର ତୋଳିବା, ଗୁଜୁରାତି,ଲବଙ୍ଗ, ଅଳେଇଚ ସବୁ ହାତ ପାହାନ୍ତରେ ଥିଲା l ଖାଲି ଯାହା ବାଘ ଭାଲୁ ଡର ଟିକେ ରହିଥାଏ l ସଞ୍ଜ ନଇଁଲେ ପାହାଡ଼ ଗୁମ୍ଫାରୁ ଭାଲୁ ବାହାରିବା ଭି ଦେଖିଛି l ରାସ୍ତା ଉପରକୁ ସୁଦୂର ଚିନ୍ଦ୍ରି ଗ୍ରାମଆଡରୁ ଭାଲୁ ବାହାରିବା ଏବଂ ଏହି ଏହି ଆଦିବାସୀ ଗାଉଁଲି ଜନଜାତିଙ୍କ ସହ ସଂସ୍ପର୍ଶରେ ଆସିବା ବହୁ ନିଆରା ସେ ଅନୁଭୂତି lଏ କୋରାପୁଟର ରୂପରାଜି ମଧ୍ୟରେ ପ୍ରକୃତିର ଶୀତୁଆ କ୍ଷେତର ଧାନବିଲ ସୂର୍ଯ୍ୟଙ୍କ ସୁନେଲି କିରଣରେ ଚକଚକ୍ କରେ ପୁଣି ବୁନ୍ଦା ବୁନ୍ଦା ଜଳବିନ୍ଦୁ ଛିଟା ମୁକ୍ତା ପରି ଚମକେ l ମନେ ପଡ଼ିଯାଏ ହଜାର ବର୍ଷର କୋରାପୁଟିଆ ଢାଙ୍ଗଡା ଢାଙ୍ଗଡି ବସାର ପ୍ରତିଛବି ଏ ଶରୀର ଲୋମକୁ ଆକର୍ଷିତ କରି ପକାଏ l ଶୀତୁଆ ସଞ୍ଜବେଳର ଡ଼ିବିରୀ ବତୀ ଆଲୁଅର ମିଞ୍ଜିମିଞ୍ଜି ଦିକଦିକ ଆଲୁଅ ରଶ୍ମି ମନରେ ଚଞ୍ଚକତା ତଥା ଅସୁମାରୀ ସ୍ବପ୍ନ ରାଇଜରେ ଘୁରି ବୁଲିବାକୁ ଇଛା ଶକ୍ତି ଜାଗ୍ରତ ହୁଏ l ବିଳମ୍ବିତ ରାତ୍ରିର ପ୍ରହରରେ ବାହାରେ ମାନେ ସୁଦୂର ବୈପାରୀଗୁଡା ଏବଂ ବନ୍ଧୁଗାଁ ଆଡରୁ ମହାବଳ ବାଘର ଗର୍ଜନ ଶୁଭେ l ଡରରେ ନିଦ ହୋଇଯାଏ l ଟିକେ ବଡ଼ ଯେତେବେଳେ ହେଲି ସେତେବେଳେ ବାବାଙ୍କ ପୋଷ୍ଟିଂ କୋରାପୁଟ ଟାଉନରେ ହେଲା l ସ୍କୁଲ ଏବଂ କଲେଜର ପ୍ରଥମାର୍ଦ୍ଧ l ରେନିଡେ ବୋଲି କେତେ ସ୍କୁଲ ଭି ବନ୍ଦ ରହେ l ଯେଉଁଦିନ ସ୍କୁଲରେ ଥିବୁ ବର୍ଷା ହେବ l ଫେରିଲା ବେଳକୁ ଛତା ଓ ପବନ ବର୍ଷା ମଧ୍ୟରେ ଯୁଦ୍ଧ ଲାଗେ l ବେଳେ ବର୍ଷାର ରିମଝିମ ଶବ୍ଦରେ ନିଜକୁ ସ୍ୱଚ୍ଛ ଅନୁଭବ କରିବାକୁ ବର୍ଷାରେ ଟିକେ ଭିଜିବାକୁ ମଜା ଲାଗେ l ପାଣିର ଧାର ବୋହି ଯାଉଥିବ, ମୁହଁରେ ବର୍ଷାର ଚାଇଁ ଚାଇଁ ମାଡ଼ ଭାରି ମଜା ଲାଗେ l ଶୀତ ଦିନେ ଶନିବାର ମର୍ଣ୍ଣିଙ୍ଗ ସ୍କୁଲ l ଘନ କୁହୁଡିରେ ସ୍କୁଲ ଯିବା ମଜା ଥିଲା ସତେ ଅବା ନିଆରା l ଦଶଟା ପାଖାପାଖି ସୂର୍ଯ୍ୟ କିରଣ ଟିକେ ପଡେ l ସେତେବେଳେ ଦୂର ପାହାଡ଼କୂ ଚାହିଁଲେ କୁହୁଡି ଭିତରୁ ପାହାଡ଼ ପରୀ ରାଇଜର ଇଲାକା ପରି ଲାଗେ l କଲେଜ ଦିନ ମନେ ପଡିଗଲେ ମନେ ପଡ଼ିଯାଏ ଟାଉନ୍ ଠାରୁ ପ୍ରାୟ ୬ କି.ମି ଦୂର ଲାଣ୍ଡିଗୁଡା ଡି.ଏ.ଭି କଲେଜ ପୂର୍ଣ୍ଣ ଭାବେ ଜଙ୍ଗଲ ଘେରା ପରିବେଷ୍ଟନୀ ଏପରିକି କୋଲାବ ଜଳଭଣ୍ଡାରର ବିସ୍ତୃତ ଜଳରାଶି ପାଦ ଛୁଇଁଛି l କଲେଜ ବସରେ ଯିବାକୁ ହୁଏ l ଅଙ୍କାବଙ୍କା ସର୍ପିଳ ରାସ୍ତା, ଦୁଇପଟେ ପାହାଡ଼ ଆଉ ଜଙ୍ଗଲ, କି ମନଲୋଭା ଦୃଶ୍ୟ ସତରେ l ଅଳ୍ପ ଦୂରରେ ବହି ଯାଏ କୋଲାବ ନଦୀ l ଖରା ଦିନରେ ଟିକେ ପଛକୁ ଫେରି ଯାଇଥାଏ l ବର୍ଷା ହେଲେ ପୁଣି ଛାତିକୁ ଫୁଲେଇ ଆଗକୁ ମାଡି ଆସେ l କୋରାପୁଟରୁ ପୁରୀ ବସ୍ ଯାତ୍ରା ଯେତିକି କଷ୍ଟଦାୟକ ଥିଲା ସେତିକି ଆନନ୍ଦଦାୟକ ବି ଥିଲା l ପାହାଡ଼କୁ ଚିରି ରାସ୍ତା l ଘାଟି ରାସ୍ତା l ବିରାଟ ଶାଳ ପିଆଶାଳ ଶାଗୁଆନ ଗଛ ଆକାଶକୁ ସଗର୍ବେ ମୁଣ୍ଡ ଟେକି ଚାହିଁଥାନ୍ତି l ବର୍ଷା ଦିନେ ଯିବା ଆସିବା ବେଳେ କୁଳୁକୁଳୁ ହୋଇ କେତେ ଝରଣା ବୋହି ଯିବା ଦେଖୁ l ଖରାଛୁଟିରେ ଖରାଦିନେ ଯାଆସ ବେଳେ ସୁଲୁସୁଲୁ ପାହାଡି ପବନ, ପାହାଡ଼ ଉପରେ ପୋଡୁ ଚାଷ, ଆଦିବାସୀ ମାନଙ୍କ ମନ ମତାଣିଆ ଗୀତ ଧୀରେ ଧୀରେ ଅଳ୍ପ ପାଣି ଥାଇ ବହି ଯାଉଥିବା ଝରଣା ଆଃ... ପ୍ରକୃତିର କି ସୁନ୍ଦର ମନଲୋଭା ଦୃଶ୍ୟ l ରାତିରେ ବେଳେବେଳେ ବସ୍ ଅଟକି ଯାଏ ଘଣ୍ଟା ଘଣ୍ଟା ସମୟ ଧରି ବାଘୁଣୀ ଛୁଆ ପିଲା ଧରି ରାସ୍ତା ଅବରୋଧ କରିଥାଏ l ଗାଡିର ଲାଇଟ୍ ପଡିଲେ ବେଳେବେଳେ ଗର୍ଜନ କରେ ଆଉ ବେଲେବେଳେ ବସ୍ ଭିତରେ ସମସ୍ତେ ବସି ରୁହନ୍ତି, ବାଘୁଣୀର ଚାଲିକୁ ଲକ୍ଷ୍ୟ କରି l କେବେ କେବେ ହୀରାଖଣ୍ଡରେ ଗଲା ବେଳେ ପାହାଡ଼କୁ କାଟି ଟନେଲ୍, କୁହୁଡିକୁ ଚିରି ଟ୍ରେନର ହୁ... ହୁ... ଶବ୍ଦ, ଦୂର ନଦୀ, ଝରଣା, ଚାଷ ଜମି ଆଦିବାସୀ ନୃତ୍ୟ ସଙ୍ଗୀତ ସବୁ ଏକ ଏକ ଅଭୂଲା ସ୍ମୃତି l ସେ ସମୟରେ ସ୍ମାର୍ଟ ଫୋନ୍ ନଥିଲା ତୋଳି ଧରିବାକୁ ପ୍ରକୃତିର ଲୋଭନୀୟ ଅବର୍ଣ୍ଣନୀୟ ଦୃଶ୍ୟ ରାଜିକୁ l କିନ୍ତୁ ଆଖିର କ୍ୟାମେରା ତୋଳି ଧରିଛି ସେ ଚିତ୍ର,ହୃଦୟରେ ରେକର୍ଡ ହୋଇଯାଇଛି ସେ ଅନୁଭୂତିର ଶବ୍ଦ l କିନ୍ତୁ ସମୟ ଆଜି ବଦଳିଛି l ପ୍ରକୃତି ରାଣୀ ଆଜି ପ୍ରକୃତି ରାଇଜରେ ରହି ନୂଆ ନୂଆ ପର୍ଯ୍ୟଟନ କ୍ଷେତ୍ର ଉଦ୍ଭାବନ କରି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଲବ୍ଧି କରିବାକୁ କେବେହେଁ ପଛେଇନାହିଁ lପ୍ରଗତିର ମାର୍ଗରେ କେତେ ଯେ ନ ବଦଳିଛି କୋରାପୁଟ ତାହା ଯେ ସ୍ପଷ୍ଟ ଭାବେ ଅନୁଭୂତି ନେଲେ ହିଁ ଜଣେ ପର୍ଯ୍ୟଟକ ଅନୁକରଣ କରିପାରିବ l କିନ୍ତୁ ଏବେ ଭି ଆଜି ପ୍ରକୃତିରାଣୀ ହାତ ଠାରି ଥେଇ ଥେଇ ନାଚି ଡାକୁଛି ସ୍ବର୍ଗଠାରୁ ସୁନ୍ଦର ଏ କୋରାପୁଟର ଦୃଶ୍ୟକୁ ଦେଖିବାକୁ ଏବଂ ଉପଭୋଗ କରିବାକୁ ମନେ କେଜାଣି ଖୋଜି ବୁଲେ ଅଜଣା ଏକ ଆଭାଷିତ କଳ୍ପନା ରାଇଜକୁ l ତ୍ରିନାଥ ପଟ୍ଟନାୟକ ( ସାହିତ୍ୟିକ ତଥା ଅଧ୍ୟାପକ) ଗ୍ରାମ : ଗାନ୍ଧୀ ନଗର ପୋ :/ ଜିଲ୍ଲା : କୋରାପୁଟ ମୋ :9438362172
ମୋ କୋରାପୁଟ : ସ୍ବର୍ଗଠାରୁ ଅତି ସୁନ୍ଦର ଏବଂ ମନୋରମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

