"ସଲାମ ଜୀବନ" ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ
ଭୁବନେଶ୍ବର: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ଦ୍ରବ୍ଯ ର କୁପ୍ରଭାବ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ କ୍ୟାନ୍ସର ତଥା ନାନାପ୍ରକାର ମାରାତ୍ମକ ରୋଗକୁ ରୋକିବା ପାଇଁ ଆଜି ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଚଳିତ ବର୍ଷ ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ଆହ୍ୱାନ କ୍ରମେ "ଆକର୍ଷଣ ର ଅସଲି ଚେହେରାକୁ ପ୍ରକାଶ କରିବା : ନିକୋଟିନ୍ ଓ ତମାଖୁ ଆସକ୍ତି କୁ ପ୍ରତିରୋଧ କରିବା" ଶୀର୍ଷକ ଉପରେ ଆଲୋଚନା ଅନୁଷ୍ଠିତ ହେଉଛି। ଏହି ଅବସରରେ ଭୁବନେଶ୍ୱରରେ ମଧ୍ୟ ଏକ ସ୍ୱତନ୍ତ୍ର ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଛି ସାମାଜିକ ସଂଗଠନ ‘ସଲାମ ଜୀବନ’। ସାମାଜିକ କର୍ମୀ ତଥା ‘ସଲାମ ଜୀବନ’ର ସହ-ସଂସ୍ଥାପକ ଡ଼. ମହମ୍ମଦ ଇମ୍ରାନ ଅଲ୍ଲୀ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଭୁବନେଶ୍ୱରର ଜଳିମୁଣ୍ଡା ସାହିରେ କୁନି କୁନି ପିଲାମାନଙ୍କ ସହ ମିଶି ତମାଖୁ ତଥା ନିଶାର ଭୟାବହ ପରିଣାମ ଏବଂ ଏହାର ସାମାଜିକ କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ, ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ କେବଳ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରେ ନାହିଁ, ବରଂ ପରିବାର, ସମାଜ ଏବଂ ଦେଶର ଭବିଷ୍ୟତ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ‘ତମାଖୁ ତଥା ନିଶାମୁକ୍ତ ଶୈଶବ’ର ଆହ୍ୱାନ ଦେଇ ସେ ପିଲାମାନଙ୍କୁ ନିଜେ ତମାଖୁ ଏବଂ ନିଶାଠାରୁ ଦୂରେଇ ରହିବା ସହ ପରିବାର ଏବଂ ସମାଜରେ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ପ୍ରେରିତ କରିଥିଲେ। ତାଙ୍କ ମତରେ, ଶୈଶବରୁ ସଠିକ୍ ଶିକ୍ଷା, ମୂଲ୍ୟବୋଧ ଏବଂ ସଚେତନତା ଗଢ଼ି ଉଠିଲେ ଆଗାମୀ ପିଢ଼ିକୁ ତମାଖୁ ତଥା ନିଶା କବଳରୁ ସୁରକ୍ଷିତ ରଖାଯାଇପାରିବ। ଏହି ଅବସରରେ ‘ସଲାମ ଜୀବନ’ର ନିର୍ଦ୍ଦେଶକ ଅନୁଜ ଦାସ ନିଆରା ଢଙ୍ଗରେ ପିଲାମାନଙ୍କୁ ବୁଝାଇଥିଲେ ଯେ, ତମାଖୁ ସେବନ କିପରି ଜଣେ ବ୍ୟକ୍ତିଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଦୁର୍ବଳ କରିଦିଏ। ସେ କହିଥିଲେ, ନିଶା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ଅନେକ ସ୍ୱପ୍ନ ଓ ସମ୍ଭାବନାକୁ ନଷ୍ଟ କରିଦେଇଥାଏ। ଜଳିମୁଣ୍ଡା ସାହିରେ ପିଲାମାନଙ୍କୁ ନିୟମିତ ପାଠ ପଢ଼ାଉଥିବା ଶିକ୍ଷକ ଉଦୟ ସିଂ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ସଚେତନତାର ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ତମାଖୁ ତଥା ନିଶାଦ୍ରବ୍ଯ ଠାରୁ ଦୂରେଇ ରହିଲେ ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ା ଓ କ୍ୟାରିଅର ଉପରେ ଅଧିକ ଧ୍ୟାନ ଦେଇପାରିବେ ଏବଂ ଜୀବନରେ ସଫଳତା ହାସଲ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଜନସଚେତନତା କାର୍ଯ୍ୟକ୍ରମ ଜରିଆରେ ଯୁବପିଢ଼ିଙ୍କ ମଧ୍ୟରେ ତମାଖୁ ଏବଂ ନିଶା ବିରୋଧୀ ବାର୍ତ୍ତା ପହଞ୍ଚାଇବା ସହ ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ପ୍ରୟାସ ଜାରି ରଖିଛି ‘ସଲାମ ଜୀବନ’ ସଂଗଠନ।
