ବିରୂପା ନଦୀରୁ ୨ ମୃତଦେହ ଉଦ୍ଧାର
ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ବିରୂପା ନଦୀ ବ୍ୟାରେଜ୍ ର ୧ ନମ୍ଵର୍ ଗେଟ୍ ନିକଟରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ।
ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ବିରୂପା ନଦୀ ବ୍ୟାରେଜ୍ ର ୧ ନମ୍ଵର୍ ଗେଟ୍ ନିକଟରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ।
ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ୬୩୧ଟି ଜୀବନ୍ତ କଇଁଛ ଉଦ୍ଧାର ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲା କୋରକୁଲା ଗାଁ ନିକଟରେ ବିକ୍ରି ବେଳେ ଧରିଲା ମୋଟୁ ବନ ବିଭାଗ। ଏହି ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି। ତାଙ୍କ ନିକଟରୁ ଗୋଟିଏ ବୋଲେରୋ, ୨ଟି ବାଇକ୍ ଓ ୬ଟି ମୋବାଇଲ ଜବତ କରାଯାଇଛି। ପ୍ରାୟ ୨ ଟନ୍ ଓଜନର ଲକ୍ଷାଧିକ ଟଙ୍କାର କଇଁଛ ୩୮ଟି ଟ୍ରେରେ ରଖାଯାଇଥିଲା।
କଟକ: ଓଡ଼ିଆ ଭାଷା ଜାତୀୟ ସ୍ତରରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି । ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଆମ ଭାଷା ପ୍ରତି ଆମର ମମତ୍ୱବୋଧ ଯେତେ ବଢ଼ିବ, ଆମେ ସେତେ ପରିଚୟ ଓ ପ୍ରତିଷ୍ଠା ଲାଭ କରିପାରିବା । ଏଣୁ ଆମେ ନିଜ ଭାଷାର ବ୍ୟବହାରକୁ ବ୍ୟାପକରୁ ବ୍ୟାପକତର କରିବା ଆବଶ୍ୟକ । ବୁଧବାର ପୂର୍ବାହ୍ନରେ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଉପରୋକ୍ତ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ପୂର୍ବତନ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତଙ୍କ ସମେତ ଗଜେନ୍ଦ୍ର କୁମାର ପାଣି, ବିଦ୍ୟୁତ କୁମାରୀ ଲାଲା, ଗୌତମ ଚନ୍ଦ୍ର କର, ନୃସିଂହ ଚରଣ ସାହୁ, ରମେଶ ଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ଦାଶ ପ୍ରମୁଖ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ଆଲୋଚନା କରିଥିଲେ । ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନ ପରିସରସ୍ଥ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
କଟକ: ଅଖିଳ ଭାରତୀୟ କବୟିତ୍ରୀ ସମ୍ମିଳନୀ, AIPC ଓଡ଼ିଶା ପକ୍ଷରୁ ଶତାବ୍ଦୀ ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ଓ ପ୍ରତିଷ୍ଠାତା ଡକ୍ଟର ଲାରୀ ଆଜାଦଙ୍କ ଜନ୍ମଦିନ ଉପଲକ୍ଷେ 'ନାରୀ' ଶୀର୍ଷକ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଚିବ ପ୍ରଫେସର ବୀଣାପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା, ବିଶିଷ୍ଟ ସାହିତ୍ୟିକା, ସମାଜସେବୀ ଶ୍ରୀମତୀ ପ୍ରତିଭା ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି ବୋଲି ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ଅଞ୍ଜୁମାନ ଆରା, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ହିନ୍ଦୀ ବିଭାଗ ମୁଖ୍ୟ ନାରୀମାନଙ୍କୁ ନିଜର ସୁରକ୍ଷା ତଥା ସମ୍ମାନ ପାଇଁ ସଚେତନ ହେବାପାଇଁ ଆହ୍ୱାନ କରିଥିଲେ। ପ୍ରଫେସର ବୀଣାମିଶ୍ର AIPC ର ସମସ୍ତ ଆଭିମୁଖ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ। ଜାତୀୟ ପ୍ରତିନିଧି ଡକ୍ଟର ଗୀତାଞ୍ଜଳି ପୃଷ୍ଟି ସ୍ବାଗତ ଭାଷଣ ପ୍ରଦାନ କରିବା ସଙ୍ଗେସଙ୍ଗେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କବିତା ଆସରକୁ ମଞ୍ଜୁଳା ଆସ୍ଥାନା ମହାନ୍ତି ପୌରୋହିତ୍ୟ କରିଥିବା ବେଳେ ତରୁଲତା ସାମଲ, ଡକ୍ଟର ରଶ୍ମି କର, ଗୀତା ଦାସ ପ୍ରମୁଖ ଜାତୀୟ ପ୍ରତିନିଧି କବିତା ସଂଯୋଜନା କରିଥିଲେ। ସୁଷମା ରାଉତ ପ୍ରଶଂସା ପତ୍ର ବଣ୍ଟନ କରିଥିଲେ। ଡକ୍ଟର ରଶ୍ମିକର ଧନ୍ୟବାଦ ପ୍ରଦାନ କରିଥିଲେ।
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘଟଣା ଉପରେ ଟ୍ରାକ୍ ରଖିବାକୁ ଏବଂ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତ ମାର୍ଚ୍ଚ ୨ ତାରିଖରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଧ୍ୟପ୍ରାଚ୍ୟ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ (OSD) ଶ୍ରୀ ପ୍ରୀତିଶ ପଣ୍ଡାଙ୍କୁ ଏହାର ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପରିବାରକୁ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଓଡ଼ିଆ ଲୋକମାନଙ୍କ ପକ୍ଷରୁ ପ୍ରାୟ ୨୦୦ ଟେଲିଫୋନ ଆସିଛି। ଏବଂ ନିର୍ଦ୍ଦେଶାଳୟ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇ ସେମାନଙ୍କ ଫେରିବା ସମ୍ପର୍କରେ ସହାୟତା କରାଯାଉଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲରୁମ୍ କରାଯାଇ ଟୋଲଫ୍ରି ନମ୍ୱର ୧୮୦୦-୧୧୮-୭୯୭ ଜାରି କରାଯାଇଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଦୁବାଇ, ଆବୁଧାବି ଓ ବାହାରିନରେ ଥିବା ଓଡ଼ିଆ ଆସୋସିଏସନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇ ସେଠାକାର ବାସ୍ତବ ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ସୂଚନାଯୋଗ୍ୟ ଯେ, ଦୁବାଇରେ ୩୫ ଜଣ ଓଡ଼ିଆ ପର୍ଯ୍ୟଟକ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ କେରଳର କୋଚି ଦେଇ ମାର୍ଚ୍ଚ ୭ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି । ବାକି ପର୍ଯ୍ୟଟକମାନେ ମୁମ୍ୱାଇ ଦେଇ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଜରିଆରେ ୮ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରାଚ୍ୟରୁ ବର୍ତ୍ତମାନ ସୁଦ୍ଧା ୬୫ ହଜାର ଭାରତୀୟ ସ୍ୱତନ୍ତ୍ର ଫ୍ଲାଇଟ ଜରିଆରେ ନିରାପଦରେ ଭାରତକୁ ଫେରି ଆସିଛନ୍ତି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ପାଇଁ ନିମ୍ନଲିଖିତମତେ ଯୋଗାଯୋଗ କରିବା ପାଇଁ ଟେଲିଫୋନ ନମ୍ୱର ଜାରି କରାଯାଇଛି । କଣ୍ଟ୍ରୋଲ ରୁମ୍ ନମ୍ୱରକୁ ସକାଳ ୯ ଟା’ରୁ ରାତି ୯ ଟା ପର୍ଯ୍ୟନ୍ତ ଫୋନ୍ କରିହେବ । 1800118797 (Toll Free) +91 11 2301 2113 +91 11 2301 4104 +91 11 2301 7905
ଭୁବନେଶ୍ୱର: ଆଜି ଗଣମାଧ୍ୟମକୁ ସୂଚନା ଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମହିଳା ଓ ଶିଶୁ ବିକାଶ (WCD) ଏବଂ ମିଶନ ଶକ୍ତି ବିଭାଗ ପାଇଁ ମୋଟ ୧୮,୯୫୭.୧୫ କୋଟି ଟଙ୍କାର ଏକ ବ୍ୟାପକ ବଜେଟ୍ ଘୋଷଣା କରିଛନ୍ତି। ଏହି ବଜେଟ୍ ମୁଖ୍ୟତଃ ମହିଳା ସଶକ୍ତିକରଣ, ଶିଶୁ କଲ୍ୟାଣ, ପୁଷ୍ଟି ଏବଂ ଜୀବିକା ବିକାଶ ଉପରେ କେନ୍ଦ୍ରିତ। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ବାଲ, ମିଶନ ଶକ୍ତି ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ: ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ଚଳିତ ବର୍ଷ ଏହି ବ୍ୟୟବରାଦକୁ ବୃଦ୍ଧି କରାଯାଇ ୧୬,୧୫୨.୯୨ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରୁ ଯୋଜନା ଖର୍ଚ୍ଚ ପାଇଁ ୧୬,୧୨୨.୯୩ କୋଟି ଏବଂ ପ୍ରଶାସନିକ ଖର୍ଚ୍ଚ ପାଇଁ ୨୯.୯୯ କୋଟି ଟଙ୍କା ରଖାଯାଇଛି । i) ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରମୁଖ ଯୋଜନା: କ. ସମୃଦ୍ଧ ଅଙ୍ଗନବାଡି ଯୋଜନା: ରାଜ୍ୟର ନିଜସ୍ୱ ପାଣ୍ଠିରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସହ କେତେକ ସ୍ଥାନରେ 'କ୍ରେଚ୍' (ଶିଶୁ ଯତ୍ନ କେନ୍ଦ୍ର) ର ସୁବିଧା ରହିବ । ଏଥିପାଇଁ ୬୩୪.୫୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଖ.ସମନ୍ୱିତ ବାତ୍ସଲ୍ୟ ସଦନ: ଶିଶୁ ସୁରକ୍ଷାକୁ ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୩ଟି ସମନ୍ୱିତ ବାତ୍ସଲ୍ୟ ସଦନ ପ୍ରତିଷ୍ଠା କରାଯିବ, ଯେଉଁଠାରେ ଶିଶୁ ଗୃହ, ଶିଶୁ କଲ୍ୟାଣ କମିଟି ଓ କିଶୋର ନ୍ୟାୟ ବୋର୍ଡ ଏକାଠି କାର୍ଯ୍ୟ କରିବେ । ଏଥିପାଇଁ ୬୨.୨୮ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଗ. କଳିକା: ଓଡିଶା ରାଜ୍ୟ କ୍ରେଚ୍ ପଲିସି-୨୦୨୫: ଛଅ ମାସରୁ ଛଅ ବର୍ଷ ବୟସର ଶିଶୁମାନଙ୍କ ଯତ୍ନ ଓ କାର୍ଯ୍ୟରତ ମାଆମାନଙ୍କୁ ସୁରକ୍ଷିତ ଡେ-କେୟାର ସୁବିଧା ଯୋଗାଇବା ଏହାର ଲକ୍ଷ୍ୟ । ଘ. ସୁଭଦ୍ରା ଶକ୍ତି ସମ୍ବାଦ ଓ ୱେଲନେସ୍ କେନ୍ଦ୍ର: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଏକ ଆଲୋଚନା ମଞ୍ଚ 'ସୁଭଦ୍ରା ଶକ୍ତି ସମ୍ବାଦ' ଏବଂ ମହିଳାଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ 'ସୁଭଦ୍ରା ୱେଲନେସ୍ କେନ୍ଦ୍ର' ସ୍ଥାପନ କରାଯିବ । ଙ.ଶିଶୁ ଖାଦ୍ୟ କେନ୍ଦ୍ର*: ସାର୍ବଜନୀନ ସ୍ଥାନଗୁଡ଼ିକରେ ମାଆମାନଙ୍କ ପାଇଁ ଶିଶୁ ସ୍ତନ୍ୟପାନ କେନ୍ଦ୍ରମାନ ସ୍ଥାପନ କରାଯିବ । ଚ. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା: ଆର୍ଥିକ ଦୁର୍ବଳ ଶ୍ରେଣୀର କନ୍ୟା ସନ୍ତାନଙ୍କ ପାଇଁ ଏହି ଯୋଜନା ଅଧୀନରେ ୨୦,୦୦୦ ଟଙ୍କା (ଭିନ୍ନକ୍ଷମଙ୍କ ପାଇଁ ଅତିରିକ୍ତ ୩,୦୦୦) ର ସଞ୍ଚୟ କରାଯିବ ଏବଂ ସ୍ନାତକ ପରେ ସୁଧ ସହ ୧,୦୦,୦୦୧ ଟଙ୍କା ପ୍ରଦାନ କରାଯିବ । ii) କାର୍ଯ୍ୟରତ ଯୋଜନା : କ.ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା: ପ୍ରାୟ ୧୪.୭୬ ଲକ୍ଷ ଶିଶୁଙ୍କ ପୋଷାକ, ଜୋତା ଓ ସ୍ୱେଟର ବାବଦକୁ ଆର୍ଥିକ ସହାୟତା ବୃଦ୍ଧି କରାଯାଇଛି । ଏଥିପାଇଁ ୧୧୦.୫୭ କୋଟି ଟଙ୍କାର ବରାଦ ହୋଇଛି । ଖ.ସୁଭଦ୍ରା ଯୋଜନା: ୨୦୨୬-୨୭ ବର୍ଷରେ ପ୍ରାୟ ୧ କୋଟିରୁ ଅଧିକ ମହିଳାଙ୍କୁ ସହାୟତା ପାଇଁ ସର୍ବାଧିକ ୧୦,୧୪୫.୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଗ.ମମତା-ପିଏମଏମଭିୱାଇ: ଗର୍ଭବତୀ ଓ ପ୍ରସୂତି ମାଆମାନଙ୍କ ପାଇଁ ପୁତ୍ର ସନ୍ତାନ ଜନ୍ମରେ ୧୦,୦୦୦ ଏବଂ କନ୍ୟା ସନ୍ତାନ କ୍ଷେତ୍ରରେ ୧୨,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । ଏଥିପାଇଁ ୫୦୦ କୋଟି ଟଙ୍କାର ବରାଦ ହୋଇଛି । ଘ.ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ବାଲ୍ୟ ବିବାହ ରୋକିବା ଓ ବିଧବା ପୁନଃ ବିବାହକୁ ପ୍ରୋତ୍ସାହନ ପାଇଁ ୧୧.୮୩ କୋଟି ଟଙ୍କା ରଖାଯାଇଛି । ଙ. 'ଆମେ ପଢିବା ଆମ ଭାଷାରେ': ୩ ରୁ ୬ ବର୍ଷ ବୟସର ଶିଶୁ ମାନଙ୍କୁ ପ୍ରାରମ୍ଭିକ ଶୈଶବ ଶିକ୍ଷାର ସୁଦୃଢୀକରଣ କରିବା ସଙ୍ଗେସଙ୍ଗେ ଭବିଷ୍ୟତ ଶିକ୍ଷା ପାଇଁ ଦୃଢ ଭିତ୍ତିଭୂମି ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୧ ଗୋଟି ଆଦିବାସୀ ମାତୃଭାଷାରେ ଶିକ୍ଷାଦାନ ନିମନ୍ତେ ୧୯.୨୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚ.'ଓଡିଶା ପୁଷ୍ଟି ମିଶନ': ମହିଳା, କିଶୋର ଓ ଶିଶୁମାନଙ୍କ ମଧ୍ୟରେ ପୋଷଣ ସ୍ଥିତିର ସୁଧାର ଆଣିବା ନିମିତ୍ତ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । iii) କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ସକ୍ଷମ ଅଙ୍ଗନବାଡ଼ି, ପୋଷଣ ୨.୦ ଏବଂ ମିଶନ ବାତ୍ସଲ୍ୟ ପାଇଁ ସର୍ବମୋଟ ୨୬୩୮.୩୬ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ମିଶନ ଶକ୍ତି: ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ଵାବଲମ୍ବୀ ଓ ସଶକ୍ତ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୮୦୪.୨୩ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି । ସମୁଦାୟ ବ୍ୟୟବରାଦ: ୨୦୨୬-୨୭ ପାଇଁ ମୋଟ ୨୮୦୪.୨୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିରେ ଯୋଜନା ଖର୍ଚ୍ଚ ବାବଦକୁ ୨୮୦୦ କୋଟି ଏବଂ ପ୍ରଶାସନିକ ବ୍ୟୟ ପାଇଁ ୪.୨୩ କୋଟି ଟଙ୍କା ରହିଛି । ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା: ରାଜ୍ୟସ୍ତରୀୟ ଯୋଜନା ପାଇଁ ୧୩୦୦ କୋଟି ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଇଁ ୧୫୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ରାଜ୍ୟସ୍ତରୀୟ ଯୋଜନା: କ.ମିଶନ ଶକ୍ତି ଋଣ -ରାଜ୍ୟ ସୁଧ ରିହାତି ବ୍ୟବସ୍ଥା: • ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଋଣର ନିୟମିତ ପରିଶୋଧ ଉପରେ ୦(ଶୁନ)% ସୁଧହାର ଧାର୍ଯ୍ୟ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷରେ ୫୭୫ କୋଟି ଟଙ୍କା ସୁଧ ଫେରସ୍ତ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଖ. ମିଶନ ଶକ୍ତି ସ୍କୁଟର ଯୋଜନା: • ୨୦୨୬-୨୭ ଆର୍ଥିକ ବର୍ଷରେ ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗ. ଜୀବିକା ଓ କୌଶଳ ଉନ୍ନୟନ: • ଜୀବନ ଜୀବିକା ଏବଂ ଦକ୍ଷତା ବିକାଶ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୨୬୩.୮୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଘ. ଗୃହ ନିର୍ମାଣ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ଫେଡେରେସନ୍ ପାଇଁ ଆର୍ଥିକ ସହାୟତା: • ଚଳିତ ଆର୍ଥିକ ବର୍ଷରେ ମିଶନ ଶକ୍ତି ଭିତ୍ତିଭୂମି ନିମନ୍ତେ ୮୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ମହାସଂଘଙ୍କ ନିମନ୍ତେ ୨୫୩.୪୪ କୋଟି ଟଙ୍କାର ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି । ଙ. ଭିତ୍ତି ସଂରଚନା: • ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକା ଓ କୃଷି ଭିତ୍ତିକ ଉଦ୍ୟୋଗିତା ବୃଦ୍ଧି ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କରାଯାଇଛି । • ଏହି କାର୍ଯ୍ୟକ୍ରମ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୪୫.୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚ. ଅନ୍ୟାନ୍ୟ ଦେୟ: • ମାନବ ସମ୍ବଳ, ନିରୀକ୍ଷଣ ଏବଂ ମୂଲ୍ୟାୟନ, Information, Education and Communication (IEC) କାର୍ଯ୍ୟକଳାପ, ଆପାତଃକାଳୀନ ପ୍ରଶାସନିକ ଖର୍ଚ୍ଚ ତଥା ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ଆର୍ଥିକ ବର୍ଷ ୨୦୨୬-୨୭ ରେ ୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା: *କ. ଜାତୀୟ ଗ୍ରାମୀଣ ଜୀବିକା ମିଶନ (National Rural Livelihood Mission -NRLM) : • ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା ନିମନ୍ତେ ୧୩୩୨.୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । • ଆର୍ଥିକ ବର୍ଷ ୨୦୨୪-୨୫ ରେ ସମଗ୍ର ରାଜ୍ୟରେ ୧୬.୪୨ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରାଯାଇଅଛନ୍ତି । • ୨୦୨୫–୨୬ ଆର୍ଥିକ ବର୍ଷରେ ଆୟବୃଦ୍ଧି କରାଯାଇ “ଲକ୍ଷପତି ଦିଦି”ରେ ପରିଣତ କରିବା ଉଦ୍ଦେଶ୍ୟରେ ୧୦.୮୦ ଲକ୍ଷ “ସମ୍ଭାବ୍ୟ ଲକ୍ଷପତି ଦିଦି (PLD)” ଚିହ୍ନଟ କରାଯାଇଛନ୍ତି । ଖ. ଷ୍ଟାର୍ଟ ଅପ୍ ଗ୍ରାମ୍ୟ ଉଦ୍ୟୋଗୀ କାର୍ଯ୍ୟକ୍ରମ (Start-up Village Entrepreneurship Program-SVEP): • ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୬୨.୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗ. ମହିଳା କୃଷକ ସଶକ୍ତିକରଣ ପ୍ରକଳ୍ପ (Mahila Kisan Sashaktikaran Pariyojana-MKSP) • ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଘ. ଗ୍ରାମୀଣ ସ୍ୱୟଂ ନିଯୁକ୍ତି ତାଲିମ୍ ପ୍ରତିଷ୍ଠାନ (Rural Self Employment Training Institutes-RSETIs): • ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୩୨.୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ରିଜର୍ଭ ପୋଲିସ୍ ପଡ଼ିଆରେ ୧୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ବିରୋଧୀ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା ଓ ଆଇଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା ଓ ୩ ଜଣ ପୁରୁଷ। ମାଓବାଦୀଙ୍କ ମଧ୍ୟରୁ ଜଣେ ସ୍ପେଶାଲ୍ ଜୋନାଲ କମିଟି ମେମ୍ବର ଥିବା ସୂଚନା। ଜଣେ ଡିଭିଜନାଲ କମିଟି ମେମ୍ବର ଓ ୨ ଜଣ ଏରିଆ କମିଟି ମେମ୍ବର ଅଛନ୍ତି।