ଭୁବନେଶ୍ୱର : କେନ୍ଦ୍ରୀୟ ସହାୟତାରେ ପୁରୀ, ଯାଜପୁର, ବାଲେଶ୍ଵର, ବଲାଙ୍ଗିର, ମୟୂରଭଞ୍ଜ, କୋରାପୁଟ ଓ ଅନଗୁଳରେ ୭ଟି ନୂଆ ନର୍ସିଙ୍ଗ କଲେଜ ଏବଂ ରାଜ୍ୟ ପାଣ୍ଠିରୁ କେନ୍ଦୁଝରରେ ଗୋଟିଏ ନର୍ସିଙ୍ଗ କଲେଜ ଖୋଲାଯିବ। କେନ୍ଦ୍ର ସରକାରଙ୍କ ସେବା ଓ ସମର୍ପଣର ୧୨ ବର୍ଷ ଏବଂ ତୃତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ରାଇରଙ୍ଗପୁରରେ ନୂଆ ଆୟୁର୍ବେଦ ମେଡିକାଲ କଲେଜର ଶିଳାନ୍ୟାସ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଛି। ଏହା ସହ ରାୟଗଡ଼ା, ଗଜପତି, ମାଲକାନଗିରିରେ ଆୟୁର୍ବେଦିକ ଏବଂ ନୂଆପଡ଼ା ଓ ନୟାଗଡ଼ରେ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। ଆଜି କେନ୍ଦ୍ର ସରକାରଙ୍କ ନିରନ୍ତର, ସ୍ୱଚ୍ଛ ସେବା, ସୁଦୃଢ଼ ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର ଅଭିଯାତ୍ରାର ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇଟି ଅସାଧାରଣ, ସଫଳ ବର୍ଷ ପୂର୍ଣ୍ଣ ହୋଇଛି। ସବୁଠାରୁ ଗୌରବମୟ କଥା ହେଉଛି, ଆସନ୍ତାକାଲି ମୋଦୀଜୀ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଶାସନମୁଖ୍ୟ ଭାବେ ସର୍ବାଧିକ ସମୟ (୪,୩୯୯ ଦିନ) ସେବା କରିବାର ଏକ ଅଦ୍ଭୁତପୂର୍ବ, ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି। ଏହି ମହାନ୍ ଅବସରରେ ମୁଁ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଓ ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କର ଦୀର୍ଘ, ନିରାମୟ ଜୀବନ କାମନା କରୁଛି।" ମୁଖ୍ୟମନ୍ତ୍ରୀ ମାଝୀ ଉଲ୍ଲେଖ କରିଛନ୍ତି ଯେ, "ଓଡ଼ିଶାରେ ଆମ ସରକାର ଗଠନ ହେବା ପରେ, ଆମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ 'ସମୃଦ୍ଧ ଓଡ଼ିଶା' ଗଠନ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ। ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ କେନ୍ଦ୍ରୀୟ ଯୋଜନାଗୁଡ଼ିକ ଠିକ୍ ଭାବେ ଲାଗୁ ହେଉନଥିଲା, କିନ୍ତୁ ଏବେ ଉପଯୁକ୍ତ ସମନ୍ୱୟ କାରଣରୁ ପ୍ରତ୍ୟେକଟି ଯୋଜନାର ସୁଫଳ ଓଡ଼ିଶାବାସୀଙ୍କ ପାଖରେ ସିଧାସଳଖ ପହଞ୍ଚୁଛି। ରେଳବାଇ କ୍ଷେତ୍ରରେ ଓଡ଼ିଶା ପାଇଁ ଚଳିତ ଆର୍ଥିକ ବର୍ଷରେ ରେଳ ବଜେଟ୍ ରେକର୍ଡ ସଂଖ୍ୟକ ୧୦,୯୨୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲିଛି ଏବଂ ଓଡ଼ିଶା ଶତପ୍ରତିଶତ ରେଳ ବିଦ୍ୟୁତିକରଣ ହାସଲ କରିଛି। 'ଅମୃତ ଭାରତ ଷ୍ଟେସନ' ଯୋଜନାରେ ୫୯ଟି ଷ୍ଟେସନର ଆଧୁନିକୀକରଣ ଚାଲିଛି। ସେହିପରି ବନ୍ଦର ଓ ସାମୁଦ୍ରିକ ବାଣିଜ୍ୟ: ସାଗରମାଳା ଓ ପିଏମ୍ ଗତିଶକ୍ତି ଯୋଜନାରେ ଗଞ୍ଜାମର ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ସାଟେଲାଇଟ୍ ବନ୍ଦର ପ୍ରତିଷ୍ଠା ହେଉଛି। କେନ୍ଦ୍ରାପଡ଼ାର ମହାନଦୀ ମୁହାଣରେ ୨୨,୭୦୦ କୋଟି ଟଙ୍କା ବ୍ୟୟରେ ଏକ ମେଗା ଜାହାଜ ନିର୍ମାଣ କ୍ଲଷ୍ଟର, ଜଟାଧାର ମୁହାଣରେ କ୍ୟାପ୍ଟିଭ୍ ଜେଟି ଏବଂ ପୁରୀରେ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେଉଛି। ୧୨,୨୦୦ କୋଟି ବ୍ୟୟରେ ନ୍ୟାସନାଲ୍ ୱାଟର-ୱେ-୫ ର ବିକାଶ କରାଯାଉଛି, ଯାହା ଅନୁଗୋଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପାରାଦୀପ ଓ ଧାମରା ବନ୍ଦର ସହ ଯୋଡ଼ିବ। ବିମାନ ଚଳାଚଳ କ୍ଷେତ୍ରରେ 'ଉଡାନ' ଯୋଜନାରେ ରଙ୍ଗେଇଲୁଣ୍ଡା, ଜୟପୁର, ଉତ୍କେଲା, ଅମର୍ଦାରୋଡ୍ ଏବଂ ଦାଣ୍ଡବୋଷ ବିମାନବନ୍ଦରର ବିକାଶ ପାଇଁ ବ୍ୟୟବରାଦ କରାଯାଇଛି। ପୁରୀରେ ଗୋଟିଏ ଇଣ୍ଟରନାସନାଲ ଏୟାରପୋର୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଜାତୀୟ ରାଜପଥ ନିମନ୍ତେ ଓଡ଼ିଶା ପାଇଁ ୮୦ ହଜାର କୋଟି ଟଙ୍କାର ୨୩୦ଟି ପ୍ରକଳ୍ପ ମଞ୍ଜୁର ହୋଇଛି, ଯେଉଁଥିରୁ ୪୩ ହଜାର କୋଟି ଟଙ୍କା ବ୍ୟୟରେ ୫୪୦୦ କିମି ରାଜପଥ ନିର୍ମାଣ ସରିଛି। ଖୁବ୍ ଶୀଘ୍ର ୮,୩୦୭ କୋଟି ବ୍ୟୟରେ ୧୧୧ କିମି ବିଶିଷ୍ଟ 'କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍' ଏବଂ ୮,୩୦୧ କୋଟି ବ୍ୟୟରେ ୧୬୦ କିମି ବିଶିଷ୍ଟ 'ଗ୍ରୀନଫିଲ୍ଡ କୋଷ୍ଟାଲ୍ ହାଇୱେ' (ରାମେଶ୍ୱର-କୋଣାର୍କ-ପାରାଦୀପ) ନିର୍ମାଣ ହେବ। ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BCPPER) ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି।"