ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରୋତ୍ସାହନରେ ହୀରାକୁଦ ଜଳଭଣ୍ଡାର ପରିସରରେ ପ୍ରଥମ ଥର ପାଇଁ ଆଜି ଉତ୍କଳ ଦିବସରେ ଜଳକ୍ରୀଡ଼ା ସୁବିଧାର ଶୁଭାରମ୍ଭ କରାଯାଇଛି।
ଆଜି ହୀରାକୁଦଠାରେ ଏହି ଜଳକ୍ରୀଡ଼ା (ୱାଟର ସ୍ପୋର୍ଟସ୍) ସୁବିଧାକୁ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍ଘାଟନ କରି ଏହା ହୀରାକୁଦ ଜଳଭଣ୍ଡାର ଓ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଦିଗରେ ସହାୟକ ହେବ ବୋଲି କହିଛନ୍ତି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକମାନେ ମଧ୍ୟ ଏହି ୱାଟର ସ୍ପୋର୍ଟସ ପ୍ରତି ଆକୃଷ୍ଟ ହୋଇ ଆସିବେ।
ଏହି ଉଦ୍ଘାଟନ ସମାରୋହରେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବିଶେଷ କରି ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ଉପରେ ପ୍ରାଥମିକତା ଦେଉଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଜଳକ୍ରୀଡ଼ା ତଥା ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବା ପାଇଁ ବ୍ୟାପକ ସମ୍ଭାବନା ରହିଛି। ପର୍ଯ୍ୟଟନ ଶିଳ୍ପରେ ପୁଞ୍ଜିନିବେଶକ ,ବିଶେଷକରି ଘରୋଇ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି।
ସେହିପରି ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନା ଏହି ଜଳକ୍ରୀଡ଼ା ପରିଚାଳନା ଓ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ସମସ୍ତ ପ୍ରକାର ସହଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ।
ଏହି ଉଦ୍ଘାଟନ ସମାରୋହରେ ସମ୍ବଲପୁର ଉପଜିଲ୍ଲାପାଳ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ , ସମ୍ବଲପୁର ପାନ୍ଥନିବାସ ମ୍ୟାନେଜର ଦେବାଶିଷ ସାହୁ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲା ପ୍ରଶାସନର ସହଯୋଗ ଓ ପର୍ଯ୍ୟଟନ ବିଭାଗର ପ୍ରୋତ୍ସାହନରେ ରାଜ୍ୟର ଏକ ଘରୋଇ ସଂସ୍ଥା ଏକେଲା ଆଡ଼ଭେଞ୍ଚର୍ସ ଦ୍ବାରା ଏହି ୱାଟର ସ୍ପୋର୍ଟସ ସୁବିଧା ଯୋଗାଇ ଦିଆଯିବ।
ହୀରାକୁଦରେ ଜଳକ୍ରୀଡ଼ାର ଶୁଭାରମ୍ଭ, ପଶ୍ଚିମ ଓଡ଼ିଶାରେ ପ୍ରଥମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

