ଭୁବନେଶ୍ୱର: ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲା, ପିପିଲି ବ୍ଲକ୍ ଅନ୍ତର୍ଗତ ବାଲିଗାଁ ସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତ ଦାସିଆ ସ୍ମୃତି କମିଟିର ଆନୁକୂଲ୍ୟରେ ପବିତ୍ର ସ୍ନାନପୂର୍ଣିମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୬ ଘଟିକାରେ ବରିଷ୍ଠ ସଦସ୍ୟମାନେ ଭକ୍ତଙ୍କ ସମାଧୂ ପୀଠରେ ପୁଷ୍ପମାଲ୍ୟ ଅର୍ପଣ, ବେଦ ଓ ଗୀତା ପାଠ, ଭକ୍ତ ଦାସିଆଙ୍କ ସଂକୀର୍ତନ ମଣ୍ଡଳୀ ତରଫରୁ ନଗର ସଂକୀର୍ତ୍ତନ ଓ ଅଖଣ୍ଡନାମ ଯଜ୍ଞ ସମ୍ପାଦିତ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କର ସ୍ଵତନ୍ତ୍ର ନିତିକାନ୍ତ ଅବସରରେ ମୂଖ୍ୟ ପୂଜକ ଲିଙ୍ଗରାଜ ପଣ୍ଡା ଓ ବୈଦିକ କର୍ମକାଣ୍ଡ ନିମନ୍ତେ ଆମନ୍ତ୍ରିତ ପଣ୍ଡିତ ଚିନ୍ମୟ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ମଙ୍ଗଳ ଆଳତି, ଅବକାଶ, ସ୍ନାନ ମଣ୍ଡପ ପବିତ୍ରକରଣ ହୋମ, ବିଗ୍ରହଙ୍କର ସ୍ନାନବେଦୀକୁ ପହଣ୍ଡି, ୧୦୮ ଗଡ଼ୁ ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତିଙ୍କ ପବିତ୍ର ସ୍ନାନ, ଗଜାନନ ବେଶ, ମଧ୍ୟାହ୍ନ ଧୂପ ସମ୍ପନ୍ନ କରାଯାଇଥିଲା। ଏହି ଅବସରରେ ସ୍ମୃତି କମିଟି ଦ୍ଵାରା ଆୟୋଜିତ ସାଧାରଣ ସଭାରେ ଅନୁଷ୍ଠାନର ସଭାପତି ଡଃ ପ୍ରତିଭା ମହାରଥୀଙ୍କ ସଭାପତିତ୍ୱରେ ଆଧ୍ୟାତ୍ମିକ ତୈମାସିକ ପତ୍ରିକା ‘ଭାବକୁ ନିକଟ’ ଲୋକାର୍ପଣ ହୋଇଥିଲା। ଏମ୍ସ୍, ଭୁବନେଶ୍ଵରର ପ୍ରତିଷ୍ଠାତା ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ଅଶୋକ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ସଂସ୍କୃତିରେ ଉକ୍ତ ଦାସିଆ ପୀଠର ଏକ ସ୍ୱତନ୍ତ୍ର ସ୍ଥାନ ସମ୍ବନ୍ଧରେ ଗଭୀର ଆଲୋକପାତ କରିଥିଲେ। ଏହି ଅବସରରେ ଡଃ ଚିତ୍ତ ରଂଜନ ମିଶ୍ର, ଇଂ. ଶିବପ୍ରସାଦ ପଟ୍ଟନାୟକ, ଇଂ. ସୁରେନ୍ଦ୍ର କୁମାର ପଣ୍ଡା, ଇଂ. ବସନ୍ତ କୁମାର ମିଶ୍ର, ୱାଲେଟ୍ ଫର ୱେଲଥ୍, ଏମ୍.ଡି. ଶ୍ରୀ ତ୍ରିନାଥ ଲେଙ୍କା, ଶ୍ରୀ ବୃନ୍ଦାବନ ମହାପାତ୍ର, ଶ୍ରୀ ସତ୍ୟବାଦୀ ଦାସ, ପ୍ରଫେସର ଉଦୟ ଶଂକର ଆଚାର୍ଯ୍ୟ, ଡଃ ନିଶିକାନ୍ତ ମିଶ୍ର, ଡଃ. ଦୁର୍ଗାପ୍ରସାଦ ମିଶ୍ର, ଅଜୟ ଦାସ ପ୍ରମୁଖ ଭକ୍ତ ଦାସିଆଙ୍କର ଜୀବନୀ, କୃତି ଓ ଭଗବତ୍ ଉପଲବ୍ଧି ଉପରେ ଉପସ୍ଥାପନା କରିଥିଲେ। ଉକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡଃ ଘନଶ୍ୟାମ ସ୍ଵାଇଁ ସଭା ପରିଚାଳନା କରିଥିବା ବେଳେ, ଶ୍ରୀ ସରୋଜ କୁମାର ସାହୁ, ସାଂସ୍କୃତିକ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ମାନନୀୟ ବିଧାୟକ ମାନ୍ୟବର ଶ୍ରୀ ଆଶ୍ରିତ୍ ପଟ୍ଟନାୟକ କାର୍ଯ୍ୟବ୍ୟସ୍ତତା ହେତୁ ବିଳମ୍ବରେ ଅପରାହ୍ନରେ ଭକ୍ତଙ୍କ ପୀଠରେ ସ୍ନାନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଗ୍ରାମବାସୀ ତଥା ଆଞ୍ଚଳିକ କମିଟିର ସଦସ୍ୟମାନଙ୍କ ସହିତ ପବିତ୍ର ଐତିହ୍ୟ ପୁଷ୍କରିଣୀ ଗୋଠଗଡ଼ିଆର ପୂନଃଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ପୀଠର ସର୍ବାଙ୍ଗୀନ ଉନ୍ନତିରେ ସହଯୋଗ, ଶୁଭେଚ୍ଛା ଓ ଶୁଭକାମନା କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ। ସ୍ଥାନୀୟ ଆଞ୍ଚଳିକ କମିଟୀର ସଦସ୍ୟ ଶ୍ରୀ ସୟଂପ୍ରକାଶ ପରିଡ଼ା, ଚିତ୍ତରଞ୍ଜନ ସେନାପତି, ସଦାଶିବ ସ୍ୱାଇଁ ଓ ଗ୍ରାମବାସୀଙ୍କ ସହଯୋଗରେ ସନ୍ଧ୍ୟାରେ ଅଞ୍ଚଳର ବିଶିଷ୍ଟ କଳାକାରଙ୍କ ଦ୍ଵାରା ମଣ୍ଡପରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ସମସ୍ତ ଦର୍ଶନାର୍ଥୀଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଚଳିତ ବର୍ଷ ସ୍ନାନ ମଣ୍ଡପର ଜି.ଆଇ ପାଇପ୍ର ନିର୍ମାଣ କାର୍ଯ୍ୟରେ ଅନୁନ୍ୟ ୨ ଲକ୍ଷ ଟଙ୍କା ଜିନ୍ଦଲ ଷ୍ଟିଲ ଫାଉଣ୍ଡେସନ୍ ତରଫରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ସ୍ମୃତି କମିଟି ତଥା ଅଞ୍ଚଳବାସୀ ଅନୁଷ୍ଠାନର ସଭାପତି ଶ୍ରୀ ପ୍ରସାନ୍ତ କୁମାର ହୋତାଙ୍କୁ କୃତଜ୍ଞତା ଜଣାଇଥିଲେ ।
ଭକ୍ତ ଦାସିଆ ପୀଠରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s