ହରିୟାଣା ଗୁରୁଗ୍ରାମ ମାରୁତି କୁଞ୍ଜ ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିଲେ ପ୍ରବାସୀ ଓଡ଼ିଆ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ହରିୟାଣା ଗୁରୁଗ୍ରାମ ମାରୁତି କୁଞ୍ଜ ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିଲେ ପ୍ରବାସୀ ଓଡ଼ିଆ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ଅନୁସାରେ ମହାପ୍ରଭୁଙ୍କ କୃପାରୁ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଦସ୍ୟ ଓ ଭକ୍ତ ମାନଙ୍କ ଆପ୍ରାଣ ଉଦ୍ୟମରେ ଏକ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ସହ ପ୍ରତିଷ୍ଠା ଦିବସ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ ଚାରିଦିନ ଧରି ଅନୁଷ୍ଠିତ ହେଇ ଥିଲା । ଶନିବାର ସକାଳୁ ୧୦୮ ମହିଳା ଶ୍ରଦ୍ଧାଳୁ ନୂଆ ବସ୍ତ୍ର ପିନ୍ଧି ନିକଟସ୍ଥ ଜଳାଶୟରୁ କଳସରେ ଜଳ ଆଣି ନାମ ସଂକୀର୍ତ୍ତନ ସହିତ ଶୋଭାଯାତ୍ରାରେ ଆସି ମନ୍ଦିର ନିକଟ ଯଜ୍ଞମଣ୍ଡପରେ ଘଟ ସ୍ଥାପନା କରି ଥିଲେ । ଓଡିଶାରୁ ଆସିଥିବା ପଣ୍ଡିତ ମାନସ ଷଡ଼ଙ୍ଗୀ ଓ ପୂଜକ ଟିମ ଯଜ୍ଞ ମଣ୍ଡପ ଶୁଦ୍ଧ, ଗୋ ପୂଜା, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ସହ ଅନ୍ୟ ଦେବା ଦେବୀଙ୍କୁ ବୈଦିକ ରୀତିନୀତି ମନ୍ତ୍ର ଉଚ୍ଚାରଣ ସହ ଯଜ୍ଞ ଆରମ୍ଭ କରାଯାଇଥିଲା । ଗୁରୁଗ୍ରାମ ମାରୁତି କୁଞ୍ଜ ଅଞ୍ଚଳର ପ୍ରାୟ ଚାରିଶହ ପ୍ରବାସୀ ଓଡ଼ିଆ ପରିବାର ଏହି ଉତ୍ସବରେ ସାମିଲ ହେଇଛନ୍ତି | ମାର୍ଶାଘାଇ ବାସିନ୍ଦା ତଥା ଗୁରୁଗ୍ରାମ ମାରୁତିକୁଞ୍ଜ ନିବାସୀ ତଥା ମନ୍ଦିର ସଭାପତି ଯୁବ ଇଂ ସୌମ୍ୟ ରଞ୍ଜନ ରଥ ଏବଂ ଧର୍ମପତ୍ନୀ ମମତା ରଥ କର୍ତା ଦମ୍ପତି ଭାବରେ ଯଜ୍ଞ ପୂଜା ବିଧିରେ ଦାୟିତ୍ୱ ନିର୍ବାହ କରିବା ସହ ଅନ୍ତିମ ଦିନରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଚାରିଦିନ ଉତ୍ସବରେ ସମସ୍ତ ଭକ୍ତ ମାନଙ୍କ ପାଇଁ ଦୁଇ ବେଳା ଅନ୍ନ ପ୍ରସାଦର ବ୍ୟବସ୍ଥା ମନ୍ଦିର ତରଫରୁ କରାଯାଇଥିଲା । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଧ୍ଵନି, ହରିବୋଲ, ହୁଳହୁଳିରେ ସମଗ୍ର ମନ୍ଦିର ପରିବେଶ ଭାବ ଭକ୍ତିରେ ଉଛୁଳି ପଡିଥିଲା । ଏହି ଚାରିଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପ୍ରତ୍ୟେକ ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ଓଡିଶୀ ନୃତ୍ୟ ଆଦି ପରିବେଷଣ ସହ ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଆଗଧାଡ଼ିର କଣ୍ଠଶିଳ୍ପୀ ଶ୍ରୀମନ୍ତ ବିଶ୍ଵାଳ ଓ ତାଙ୍କର ସଙ୍ଗୀତ ଅନୁଷ୍ଠାନ ଗୀତ ସଙ୍ଗୀତ ଦିଲ୍ଲୀ ଏନସିଆର ଟିମ୍ ଦ୍ୱାରା ଆୟୋଜିତ ଭବ୍ୟ ଭଜନ ସନ୍ଧ୍ୟାରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଭାବ ଭରା ଭଜନ ପରିବେଷଣ ଉପସ୍ଥିତ ଭକ୍ତ ଓ ସମସ୍ତ ଶ୍ରଦ୍ଧାଳୁଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା | ଏହି ଭବ୍ୟ ଓ ସୁନ୍ଦର କାର୍ଯ୍ୟକ୍ରମଟିକୁ କୋଷାଧକ୍ଷ ମାରୁତି କୁଞ୍ଜର ସାହାଜି ରାଉତ, ସମ୍ପାଦକ କୃଷ୍ଣାକୁଞ୍ଜର ସରୋଜ କୁମାର ସାହୁ, ଉପ ସଭାପତି ମୟୂର କୁଞ୍ଜର ପବିତ୍ର ରାଉତ, ଅରବିନ୍ଦ ମହାପାତ୍ର, ଗଗନ ସ୍ୱାଇଁ, ମନୋଜ ସାହୁ, ଅଚ୍ୟୁତାନନ୍ଦ ଦାଶ, ଆଲୋକ ସାହୁ, ପ୍ରଶାନ୍ତ ପ୍ରଧାନ, ପ୍ରଦୀପ ପ୍ରଧାନ, ଅନୀଲ ବୋଇତେଇ, ସୂର୍ଯ୍ୟ, ସଞ୍ଜୟ, ପରମାନନ୍ଦ, ଜ୍ୟୋତିଷ୍ମାନ ମହାନ୍ତି, ଗୁଣାକର ବେଜ, ଆନନ୍ଦ ମହାନ୍ତି, ପ୍ରିୟ ରଞ୍ଜନ, ରଂଜନ ଗିରି, ବିବେକ କୁମାର, ଶିଶିର ପରିଡା, ସଚ୍ଚିଦାନନ୍ଦ, ମନୋଜ ଓ ମନ୍ଦିର କମିଟିର ସମସ୍ତ ସଦସ୍ୟ ଓ ନୀଳାଚଳ ପରିବାରର ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ | ନୟା ଗାଁର ସରପଞ୍ଚ ସୁରିଆନ୍, ପାର୍ଷଦ ଅମିତ ଭଡାନା ଓ ବିଧାୟକ ତେଜପାଲ ତନୱାର ଙ୍କର ଯୋଗଦାନ ଓଡ଼ିଆ ମାନଙ୍କୁ ବହୁତ ଗର୍ବିତ କରିଥିଲା |

powered by social2s