ଧାମନଗର : ଚାଷୀଙ୍କ ଆୟ ବୃଦ୍ଧି ଏବଂ ଉଦ୍ୟାନ କୃଷିଜାତ ଦ୍ରବ୍ୟର ବଜାରୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ ଅନୁଗୋଳ ଏବଂ ଢେଙ୍କାନାଳ ବଜାରକୁ ଆପଲ୍ ବେର୍ (Apple Ber)ର ଏକ ସଫଳ ବଜାର ସଂଯୋଗୀକରଣ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ପ୍ରାୟ ୧ ମେଟ୍ରିକ ଟନ୍ ଆପଲ୍ ବେର୍ ସଂଗ୍ରହ ଓ ବିକ୍ରୟ କରାଯାଇଛି, ଯାହାଦ୍ୱାରା ଚାଷୀମାନେ ପୂର୍ବ ଅପେକ୍ଷା ପ୍ରାୟ ୨୫ ପ୍ରତିଶତ ଅଧିକ ମୂଲ୍ୟ ପାଇବାରେ ସକ୍ଷମ ହୋଇଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିର୍ଦେଶାଳୟର ଦୃଢ଼ ନେତୃତ୍ୱ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା PSFPO 2.0 ପ୍ରକଳ୍ପର ମିଳିତ ସମନ୍ୱୟରେ ଏହି ସଫଳତା ସମ୍ଭବପର ହୋଇପାରିଛି । ବଜାରରେ ଅଧିକ ଚାହିଦା ଥିବା ବଲ୍ ସୁନ୍ଦରୀ, କାଶ୍ମୀର ସୁନ୍ଦରୀ ଏବଂ ଥାଇ ଗ୍ରୀନ୍ ଭଳି ଉନ୍ନତ ଗୁଣବତ୍ତା ସମ୍ପନ୍ନ ଆପଲ୍ ବେର୍ କିସମ ଗୁଡ଼ିକୁ ବିନା ମଧ୍ୟସ୍ଥିଙ୍କ ସହାୟତାରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ପହଞ୍ଚେଇବା ପାଇଁ PSFPO 2.0 ପ୍ରକଳ୍ପ ମାଧ୍ୟମରେ ଏହି ଉଦ୍ୟମ ଆରମ୍ଭ ହୋଇଥିଲା ଫଳରେ ସଠିକ୍ ପରିଚାଳନା ଓ ଯୋଜନାବଦ୍ଧ ମାର୍କେଟିଂ ଯୋଗୁଁ ଚାଷୀମାନେ ଉଚିତ ମୂଲ୍ୟ ସହ ଭରସାଯୋଗ୍ୟ କ୍ରେତା ପାଇପାରିଛନ୍ତି। ଢେଙ୍କାନାଳର 'ଗୋଲ୍ଡେନ୍ ଏଗ୍ରୋ ଫେଡ୍ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍' ଏହି ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରି ୧ ମେଟ୍ରିକ ଟନ୍ ଆପଲ୍ ବେର୍ ସଂଗ୍ରହ କରିଛି | ଚାଷୀଙ୍କଠାରୁ ସିଧାସଳଖ ଆପଲ୍ ବେର୍ ସଂଗୃହିତ ହେବ ଯୋଗୁ ପରିବହନ ଖର୍ଚ୍ଚ କମିବା ସହ ଚାଷୀ ଉଚିତ ମୂଲ୍ୟ ପାଇବାର ଦ୍ୱାରା ଉନ୍ମୁକ୍ତ ହୋଇଛି । ଏହି ପଦକ୍ଷେପ ଦ୍ୱାରା ମଧ୍ୟସ୍ଥି ବା ଦଲାଲଙ୍କ ଉପରେ ଚାଷୀଙ୍କ ନିର୍ଭରଶୀଳତା ହ୍ରାସ ହେବ ସହିତ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ସାମୂହିକ ସଂଗ୍ରହ ଏବଂ ବାଣିଜ୍ୟ ବ୍ୟବସ୍ଥା ଆପଲ୍ ବେର୍ର ମୂଲ୍ୟ ଶୃଙ୍ଖଳାକୁ ଅଧିକ ଶକ୍ତିଶାଳୀ କରିଛି। ଆଗାମୀ ଦିନରେ ଏହି ବଜାର ସଂଯୋଗୀକରଣ ଓଡ଼ିଶାର କୃଷି ଭିତ୍ତିକ ଅର୍ଥନୀତି ଏବଂ ଚାଷୀଙ୍କ ଜୀବିକାରେ ଏକ ବଡ଼ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ଆପଲ୍ ବେରର ବଜାର ସଂଯୋଗୀକରଣ: ଚାଷୀ ପାଇବେ ୨୫% ଅଧିକ ଲାଭ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

