"ନିଶାମୁକ୍ତ ଓଡ଼ିଶା ଅଭିଯାନ"ରେ ସୋନପୁର ପୋଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : “ନିଶାମୁକ୍ତ ଓଡ଼ିଶା ଅଭିଯାନ”ରେ ସୋନପୁର ପୋଲିସ ଏକ ବଡ ଧରଣର ସଫଳତା ହାସଲ କରିଛି। ସୋନପୁର ଜିଲ୍ଲା ଅନ୍ତର୍ଗତ ସୁବଳୟା ଥାନା ପୋଲିସ ଏକ ସ୍ୱତନ୍ତ୍ର ଚଢ଼ାଉ କରି ୧୨.୫ କ୍ୱିଣ୍ଟାଲରୁ ଅଧିକ ପରିମାଣର ବେଆଇନ ଗଞ୍ଜେଇ ବୋଝେଇ ଏକ ଟ୍ରକକୁ ଜବତ କରିବାରେ ସଫଳ ହୋଇଛି। ଜବତ ହୋଇଥିବା ଏହି ବିପୁଳ ପରିମାଣର ନିଶା ଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ସୁବଳୟା ଥାନା ଅଞ୍ଚଳରେ ଏକ ଟ୍ରକ ଯୋଗେ ବେଆଇନ ଭାବେ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନାକୁ ଆଧାର କରି ପୋଲିସ ଟିମ୍ ପକ୍ଷରୁ ତତକ୍ଷଣାତ୍ ଏକ ସ୍ୱତନ୍ତ୍ର କୌଶଳ ପ୍ରସ୍ତୁତ କରାଯାଇଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ ଜୋରଦାର କରିଥିବା ବେଳେ, ପୋଲିସର ଉପସ୍ଥିତିକୁ ଜାଣିପାରି ଟ୍ରକ ଚାଳକ ଏବଂ ଅନ୍ୟାନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ହୋଇନଥିଲେ ହେଁ, ପୋଲିସ ଟ୍ରକକୁ ଜବତ କରିବା ସହ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତନାଘନା ଜାରି ରଖିଛି। ସୋନପୁର ପୋଲିସର ଏହି ଉଲ୍ଲେଖନୀୟ ସଫଳତାକୁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ଏହି ବଡ଼ ସଫଳତା ପାଇଁ ସୋନପୁର ଏସ.ପି. ଶ୍ରୀ ନାରାୟଣ ନାୟକ ଏବଂ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ସୁବଳୟା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

powered by social2s