ସୁନ୍ଦରଗଡ ଜିଲ୍ଲା ବିସ୍ରା ବ୍ଲକରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ବିସ୍ରା ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାଠାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ବିଭିନ୍ନ ବ୍ଲକରେ ମନ୍ତ୍ରୀଗଣ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ।ଏହି ଯୋଜନାରେ ରାଜ୍ୟର ୯୬ଲକ୍ଷ ପରିବାରର ସାଢ଼େ ୩କୋଟି ଲୋକ ଉପକୃତ ହେବାକୁ ଥିବାବେଳେ ଗତ ଅଗଷ୍ଟ ୨୦ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଥମେ ଏହାକୁ ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ କରିଥିଲେ।

ଏହି କ୍ରମରେ ଆଜି ମନ୍ତ୍ରୀ ଶ୍ରୀ ବେହେରା ସୁନ୍ଦରଗଡ ଜିଲ୍ଲାର ବିସ୍ରା ବ୍ଳକରେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିବା ସହ ଏହାର ଉପକାରିତା ବିଷୟରେ ବୁଝାଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି କଲ୍ୟାଣକାରୀ ଯୋଜନା ଫଳରେ ସାଧାରଣ ଗରିବ ଲୋକଟିକୁ ଆଉ ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରିବାକୁ ପଡିବ ନାହିଁ। ବିନା କୌଣସି ଅସୁବିଧାରେ ଏହି କାର୍ଡ ଜରିଆରେ ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ହିତାଧିକାରୀମାନଙ୍କୁ ବୁଝାଇଥିଲେ।

ସ୍ୱାସ୍ଥ୍ୟ ସେବାକୁ ରାଜ୍ୟର କୋଣ ଅନୁକୋଣରେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ଉପଲବ୍ଧ କରାଇବା ଏବଂ ବିଭିନ୍ନ ସରକାରୀ ସୁବିଧାକୁ ହିତାଧିକାରୀଙ୍କ ଦୁଆର ନିକଟରେ ପହଞ୍ଚାଇବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ ପାଳନ କରିବା ନେଇ ମନ୍ତ୍ରୀ ଶ୍ରୀ ବେହେରା ଆସନ୍ତା କାଲି ମଧ୍ୟ ବିସ୍ରା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତ କରି ହିତାଧିକାରୀମାନଙ୍କୁ ଏହି କାର୍ଡ ବଣ୍ଟନ କରିବେ।

 

 

powered by social2s