ଭୁବନେଶ୍ୱର: ଡ଼ି.ଏ.ଭି. ପବ୍ଲିକ ସ୍କୁଲ କଳିଙ୍ଗନଗର, ଭୁବନେଶ୍ଵରରେ ସଙ୍ଗୀତ ଶିକ୍ଷକ ରୂପେ କାର୍ଯ୍ୟ କରୁଥିବା ତଥା ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ବିଶ୍ବର ବିଭିନ୍ନ ଦେଶର ଯୁବ କଣ୍ଠଶିଳ୍ପୀମାନଙ୍କୁ ନେଇ ଏକ ବିଶ୍ବ ସଙ୍ଗୀତ(ୱି ଆର ଦ ଡେନିଜେନ୍ସ ଅଫ ଆୱାର ଅର୍ଥ) ବା ୱାର୍ଲଡ଼ ପିସ୍ ଆନ୍ଥେମ ନିର୍ମାଣ କରିଛନ୍ତି ।
ଯାହାର ମୂଖ୍ୟ ଲକ୍ଷ୍ୟ, ବିଶ୍ବରୁ ହିଂସା, ଦ୍ବେଷ ଓ ଯୁଦ୍ଧଖୋର ନିଶା ପ୍ରତିଯୋଗିତକୁ ଦମନ କରି, ବିଶ୍ଵରେ ସୁଖ, ଶାନ୍ତି ମୈତ୍ରୀ, ପ୍ରିତୀ ଓ ଭାଇଚାରା ସୃଷ୍ଟି କରିବା । ଏଥି ସହିତ ବିଶ୍ଵ ଶିଶୁ ସମାଜରେ ନୈତିକ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ବ ଦେବା ଆଜିର ପରିସ୍ଥିତିରେ ବିଶ୍ବକୁ ଏକ ଆହ୍ବାନ ।
୧୯୯୯ ମସିହାରେ ଏହି ବିଶ୍ବ ସଙ୍ଗୀତ ର ପରିକଳ୍ପନା କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ।
ତିନୋଟି ବିଷୟବସ୍ତୁ ଉପରେ ବିଶେଷ ଭାବେ ପ୍ରଭାବିତ ହୋଇ ବିଶ୍ୱ ସଙ୍ଗୀତ ନିର୍ମାଣର ଖୋରାକ ପାଇଥିଲେ ରାଜକିଶୋର । ସନ୍ଥ କବି ଭୀମ ଭୋଇଙ୍କ ରଚିତ କବିତା ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଇ । ଗୁଜୁରାଟୀ କବି ନରସିଂହ ମେହେଟାଙ୍କ କବିତା "ବୈଷ୍ଣବ ଜନତୋ ତେନେ କହିଲେ ଯେ ପିଡ଼ ପରାୟ ଜାଣେରେ- ପର ଦୁଃଖେ ଉପକାର କର ତୋୟେ ମନେ ଅଭିମାନ ନ ଆଣରେ? ଏଥି ସହିତ ବୈଦିକ ଦର୍ଶନ ଶାସ୍ତ୍ର ହିତୋପ ଦେଶରେ ବର୍ଣ୍ଣନା ହୋଇଥିବା 'ଅୟଂ ନିଜ8 ପରୋବେତି ଗଣନା ଲଘୁଚେତସାମ୍ ଉଦାର ଚରିତାନାମାଂତୁ ବସୁଧୈବ କୁଟୁମ୍ବକମ୍ ଆଦି ଅନ୍ତର୍ଭୁକ୍ତ । ଦୁଇଗୋଟି କବିତାରୁ ବିଶ୍ଵ ପ୍ରୀତି ଲାଭ କରିଥିଲେ ଏବଂ ଭାରତୀୟ ବୈଦିକ ଦର୍ଶନ ଅନୁସାରେ “ବସୁଧୈବ କୁଟୁମ୍ବକମ୍” ଅର୍ଥାତ ସାରା ବସୁଧା ବା ସାରା ବିଶ୍ବ ଗୋଟିଏ ପରିବାର । ଏଥିରେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ ରାଜକିଶୋର ।
ଏହି ଅବସରରେ ୱାର୍ଲଡ଼ ଓଡିଶା ସୋସାଇଟିର ପ୍ରତିଷ୍ଠାତା ଏବଂ ଆନ୍ତର୍ଜାତୀୟ ସଂଯୋଜକ ପ୍ରଦୀପ ମହାପାତ୍ର କହିଛନ୍ତି, “ବିଶ୍ୱ ଏକ ପରିବାର । ବିଶ୍ଵ ଶାନ୍ତି ପ୍ରତିଷ୍ଠା କରିବାରେ ଏହି ସଙ୍ଗୀତ ବହୁମାତ୍ରାରେ ସହାୟକ ହେବା ସହ ଜନସାଧାରଣଙ୍କ ଭାବନାକୁ ଏକତ୍ରିତ କରିବାରେ ମଧ୍ୟ ସହଯୋଗ କରିବ ।” ଯଦି ବିଶ୍ଵ ଗୋଟିଏ ପରିବାର ତାହେଲେ ବିଶ୍ବ ପରିବାର ପାଇଁ ଗୋଟିଏ ସଙ୍ଗୀତ ନିର୍ମାଣର ଆବଶ୍ୟକତା ରହିଛି । ଯେମିତି ପ୍ରତ୍ୟେକ ରାଷ୍ଟ୍ରର ଗୋଟିଏ ଆନ୍ଥେମ ଥାଏ ଯାହା ଦେଶରେ ଜାତୀୟ ପ୍ରିତୀ ସୃଷ୍ଟି କରେ ଠିକ୍ ସେହିପରି "ବିଶ୍ୱ ଆନ୍ଥେମ" ବିଶ୍ଵ ପ୍ରିତୀ ସୃଷ୍ଟି କରିବାରେ ସହାୟକ ହୋଇପାରିବ ।
ରାଜକିଶୋରଙ୍କ ମତରେ ୟୁଏନ (ୟୁନାଇଟେଡ ନେସନ୍)ର ଗୋଟିଏ ଗୀତ ଅଛି ଯାହାକୁ ଆମେ ୟୁଏନ ସଙ୍ଗ ବୋଲି କହିଥାଉ, ହେଲେ ୟୁଏନ୍କୁ ଆମେ ବିଶ୍ୱ ବୋଲି କହିପାରିବା ନାହିଁ । କାରଣ ୟୁଏନ ବାହାରେ ମଧ୍ୟ ଅନେକ ଦେଶ ଅଛି ଅର୍ଥାତ୍ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ରର ମଙ୍ଗଳ ନିମନ୍ତେ ବା ପ୍ରତ୍ୟେକ ରାଷ୍ଟ୍ରକୁ ନେଇ ଯେଉଁ ସଙ୍ଗୀତ ନିର୍ମାଣ ହେବ ତାହାକୁ ଆମେ "ବିଶ୍ଵ ଆନ୍ଥେମ", " ବିଶ୍ୱ ସଙ୍ଗୀତ" ବା "ବିଶ୍ୱଗାନ' ମଧ୍ୟ କହିପାରିବା । ବିଶ୍ବରେ ଅନେକ ଶାନ୍ତି ସଙ୍ଗୀତ ଅଛି ବୋଧ ହୁଏ " ଆନ୍ଥେମ" ନାହିଁ ।
ତେଣୁ ଏହି ସଙ୍ଗୀତଟି ବିଶ୍ବର ପ୍ରଥମ ବିଶ୍ଵ ସଙ୍ଗୀତ ବା ୱାର୍ଲଡ଼ ଆନ୍ଥେମ ବୋଧହୁଏ ହୋଇପାରେ । ୧୯୯୯ ମସିହାରୁ ୨୦୨୧ ଭିତରେ ଏହାର ରଚନା ସ୍ଵର ସଂଯୋଜନା, ଭଏସ ଡ଼ବିଂ, ରେକଡ଼ିଂ ପ୍ରାୟ ସମାପ୍ତ ହୋଇଛି । ୫୦ ସେକେଣ୍ଡ ସମୟ ସୀମା ବ୍ୟବଧାନରେ ନିର୍ମାଣ ହୋଇଥିବା ଏହି ସଙ୍ଗୀତର ପରିକଳ୍ପନା, ରଚନା, ସ୍ୱର ସଂଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ଵରେ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଥିବା ବେଳେ ଏହାର ପ୍ରୋଗ୍ରାମିଂ ଦାୟିତ୍ବରେ ଅଛନ୍ତି ବିଭୁପ୍ରସାଦ ତ୍ରିପାଠୀ । ରଚନାକୁ ଇଂରାଜୀକୁ ଅନୁବାଦ କରିଛନ୍ତି ଜଗଦିଶ ଚନ୍ଦ୍ର ଦାଶ ଅଧିକାରୀ । ଆମ ଦେଶ ସହିତ ବିଶ୍ବର କେତେକ ଦେଶର କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି । ବିଶ୍ୱର ସମସ୍ତ ଦେଶର କଣ୍ଠଶିଳ୍ପୀ ମାନେ କଣ୍ଠଦାନ କଲେ ଏହି “ ଆନ୍ଥେମ” ପୂର୍ଣ୍ଣତା ଲାଭ କରିବ । ଏହା ବିଶ୍ବ ଶାନ୍ତି ରକ୍ଷା ନିମନ୍ତେ ସହାୟକ ହେବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଗୋଚ୍ଛାୟତ ଆଶା ରଖିଛନ୍ତି ।
ବିଶ୍ବର ପ୍ରଥମ ଆନ୍ଥେମ ସୃଷ୍ଟି କଲେ ଓଡ଼ିଆ ପୁଅ ରାଜକିଶୋର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

