ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା
ଜଳେଶ୍ବର: ବିପଦ ସଙ୍କେତ ଅତିକ୍ରମ କଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର। ବାଲେଶ୍ଵର ଜିଲ୍ଲା ରାଜଘାଟ ଠାରେ ବିପଦ ସଂକେତ ରହିଛି ୧୦.୩୬ ମିଟର। ସକାଳ ୬ ଟା ସୁଦ୍ଧା ଜଳସ୍ତର ରହିଥିଲା ୧୦.୪୨ ମିଟର। ଏହା ବାଲିଆପାଳ ଓ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳ ପାଇଁ ବଢ଼ାଇଛି ବିପଦ।
ଜଳେଶ୍ବର: ବିପଦ ସଙ୍କେତ ଅତିକ୍ରମ କଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର। ବାଲେଶ୍ଵର ଜିଲ୍ଲା ରାଜଘାଟ ଠାରେ ବିପଦ ସଂକେତ ରହିଛି ୧୦.୩୬ ମିଟର। ସକାଳ ୬ ଟା ସୁଦ୍ଧା ଜଳସ୍ତର ରହିଥିଲା ୧୦.୪୨ ମିଟର। ଏହା ବାଲିଆପାଳ ଓ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳ ପାଇଁ ବଢ଼ାଇଛି ବିପଦ।
ଭୁବନେଶ୍ୱର: "ଜଗନ୍ନାଥ କଲେ ଯା.... ଅନାଥରେ" ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ୱର ଓଡ଼ିଶା ତରଫରୁ ଆଜି ୧୭୮ତମ ଭଜନ ଓ କଥାମୃତ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଦାମୋଦର ସେନାପତି ଓ ମଧୁସ୍ମିତା ବିଶ୍ଵାଳ ଭଜନ ପରିବେଷଣ କରିଥିଲେ। ମହାରାଷ୍ଟ୍ର ଓଡ଼ିଆ ଅନୁଷ୍ଠାନର ଶ୍ରୀଯୁକ୍ତ ଭଗବାନ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ତତ୍ ପରେ ଡ. ହରପ୍ରସନ୍ନ ଦାସ ସମସ୍ତଙ୍କୁ ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ ଉପଲକ୍ଷ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଭକ୍ତ ବନ୍ଧୁ ମହାନ୍ତି, ଦାସିଆ ବାଉରୀ, ସଲେବେଗ ଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ, ବାହାର ରେ ଖାଲି ସଫା ରହିଲେ ଚଳିବ ଚଳିବ ନାହିଁ, ନିଜ ହୃଦୟ ଭିତର ସଫା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମର୍ପିତ ହେବାକୁ ପରାମର୍ଶ ଦେଇଥିଲେ, ପ୍ରତି ଦିନ କିଛି ସମୟ ନିଜ ସହ କଥା ହେବା ସହ କରିଥିବା କାମ ଗୁଡ଼ିକ ଭୁଲ କିମ୍ବା ଠିକ୍ ସମୀକ୍ଷା କରିବ ଦରକାର ବୋଲି କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥ କାହାକୁ ଅନାଥ କରି ନାହାନ୍ତି, ସେ ଆମକୁ ସବୁ ଦେଇଛନ୍ତି, ସବୁ ପାଇବା ପରେ ଆମେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି, ମହାପ୍ରଭୁ ଙ୍କ ମଧ୍ୟ ଆମଠାରୁ କିଛି ପାଇବାର ଅଛି, ଆସନ୍ତୁ ଆମେ ଆମର ଆଚରଣ, ଉଚ୍ଚାରଣ ଓ ନିଜ ହୃଦୟ ସଫା କରି ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପିତ କରିବା ନିମନ୍ତେ ଆହ୍ବାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସଂଚିତା ମହାନ୍ତି, ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା ରବିନାରାୟଣ ମିଶ୍ର, ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ବାବାଜୀ ବିଶ୍ଵାଳ, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ମୃତ୍ୟଂଜୟ ପଣ୍ଡା, ଉଷା ମିଶ୍ର, ସରୋଜିନୀ ପରମ ଗୁରୁ, ହରପ୍ରିୟା ବେହେରା,ମଞ୍ଜୁଶ୍ରୀ ମହାନ୍ତି, ମନୋରଞ୍ଜନ ମହାନ୍ତି, କ।ମେଶ୍ୱର୍ ରାଓ, ସୁରେଶ ଚୌଧୁରୀ ବି କେ ଦାନୀ, ରାଧେଶ୍ୟାମ ଦଂଶନ, ମଙ୍ଗରାଜ ମହାନ୍ତି, ବିନୋଦ ବିହାରି ବେହେରା, ତ୍ରିଲୋଚନ ନାୟକ, ସୁରେଶ ମିଶ୍ର, ମଳୟ ଜେନା, ଗାନ୍ଧୀ ଚୌଧୁରୀ, ଗୋପାଳ ମହାପାତ୍ର, ରବିନାରାୟଣ ମହାପାତ୍ର, ଗଣେଶ ମିଶ୍ର ସୁଲୋଚନା ଚାନ୍ଦ ବିଶ୍ବରଂଜନରାୟ, ପରିଷଦର ସଦସ୍ୟ, ସଦସ୍ୟା ଓ ବହୁ ସମ୍ମାନୀୟ ବ୍ୟକ୍ତି ଅତିଥି ଭାବରେ ଯୋଗଦେଇ କାଯ୍ୟକ୍ରମର ଶୋଭା ବଢାଇ ଥିଲେ। ବହୁ ସଂଖ୍ୟାରେ ଶ୍ରୋତା ଯୋଗ ଦେଇଥିବାରୁ ପରିଷଦ ପକ୍ଷରୁ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା। ଶେଷରେ ଶ୍ରୀ ବାବାଜୀ ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ଜଣାଶୁଣା ସମାଜସେବିକା ସୁଶ୍ରୀ ରେଣୁବାଳା ସାହୁ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷୟିତ୍ରୀ ଭାବରେ ତାଲିମ ଗ୍ରହଣ କରିବା ପରେ ଗତ ୨୦୦୨ ମସିହାରେ ନିଜ ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ତାଙ୍କ ନାମରେ ନକୁଳ ଚନ୍ଦ୍ର ସ୍ୱତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟ ଓ ନକୁଳ ଚନ୍ଦ୍ର ସ୍ୱତନ୍ତ୍ର ମୁକ ବଧିର ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟ ୧୫ ବର୍ଷ ଚଳାଇବା ପରେ, ସେ ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆର୍ଥିକ ସହାୟତା ଲାଭ କରିଥିଲେ । କିନ୍ତୁ କିଛି ଅସାଧୁ ବ୍ୟକ୍ତି ଚଞ୍ଚକତା କରି ନିଜର ଫାଇଦା ପାଇଁ ରେଣୁବାଳା ସାହୁଙ୍କଠାରୁ ଛଡ଼ାଇ ନେବା ପାଇଁ ଷଡଯନ୍ତ୍ର କରି ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ମତାଇ ଭୟଙ୍କର କରୁଣ (କୋଭିଡ-୧୯)ପରିସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେଆଇନ ଧାରଣା ଦେଇଥିଲେ । ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅତି ତରବରିଆ ଭାବେ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଜିଲ୍ଲା ରେଡ୍ କ୍ରସକୁ ଟେକି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଓଡ଼ିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ନ କରିବା ପାଇଁ ରହିତାଦେଶ ଜାରି କରିଛନ୍ତି । ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ରେଣୁବାଳାଙ୍କ ଦ୍ୱାରା ଆଗତ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିଷେଧାଜ୍ଞା ଜାରି କରିଛନ୍ତି । ଷଡଯନ୍ତ୍ରକାରୀମାନେ ଅଭିଯୋଗ କରିଥିଲେ ଯେ, ପୁଣ୍ୟାଶ୍ରମର ସମ୍ପାଦିକା ସରକାରଙ୍କଠାରୁ ଦୁଇ ଗୋଟି ଦରମା ଗ୍ରହଣ କରୁଛନ୍ତି ଯାହା କି ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ । ରେଣୁବାଳା ସାହୁ ପୁଣ୍ୟାଶ୍ରମର ଅବୈତନିକ ସମ୍ପାଦିକା ଭାବେ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ଏଥିପାଇଁ ସେ ବେତନ ଆକାରରେ କୌଣସି ସରକାରୀ ବା ବେସରକାରୀ ସୂତ୍ରରୁ ଟଙ୍କାଟିଏ ବି ଦରମା ନେଇ ନାହାନ୍ତି । ପୁଣି ପିଲାମାନଙ୍କୁ ନିମ୍ନମାନର ଖାଦ୍ୟ ଦେବା ଏବଂ ବିଦ୍ୟାଳୟର ଅର୍ଥ ବାଟମାରଣା ସମ୍ପର୍କରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା । ୨୦୨୦ - ୨୧ ମସିହାରେ ସରକାର ଯେଉଁ ଖାଦ୍ୟ ଭତ୍ତା ୩ ମାସ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ, ତାହା ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଜମାଖାତାକୁ ପଠାଇ ଦିଆଯାଇଛି । ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ଦରମା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ପଠାଉଛନ୍ତି । ଅନ୍ୟ ପକ୍ଷରେ ଗତ ୨ ବର୍ଷ ହେଲା ଘରଭଡା ଏବଂ ବିଦ୍ୟୁତ ଶୁଳ୍କ ବାବଦକୁ ଯେଉଁ ଅର୍ଥ ବିଦ୍ୟାଳୟକୁ ମିଳିବା କଥା, ତାହା ନ ମିଳିବାରୁ ରେଣୁବାଳା ସାହୁ ବହୁ କଷ୍ଟରେ ବନ୍ଧୁବାନ୍ଧବଙ୍କ ଠାରୁ ଟଙ୍କା ଧାର କରି ବିଦ୍ୟୁତ ଶୁଳ୍କ ପୈଠ କରିଛନ୍ତି । ଏ କଥା ମଧ୍ୟ ଜିଲ୍ଲା ପ୍ରଶାସନକୁ ଭଲଭାବେ ଜଣା ଅଛି । କିନ୍ତୁ ସ୍ୱତନ୍ତ୍ର ବିଦ୍ୟାଳୟ ନିୟମାବଳୀ ୨୦୧୩ ର ଖୋଲାଖୋଲି ଭାବରେ ଉଲ୍ଲଂଘନ କରି ଅନୁଗୋଳ ଜିଲ୍ଲାପାଳ ପୁଣ୍ୟାଶ୍ରମ ସଂସ୍ଥା ଦ୍ୱାରା ପରିଚାଳିତ ୨ ଟି ଯାକ ଜମାଖାତା ସିଜ୍ କରିଛନ୍ତି ଏବଂ ପୁଣ୍ୟାଶ୍ରମର ସମ୍ପାଦିକାଙ୍କୁ ସମ୍ୟକ ସୂଚନା ମଧ୍ୟ ଦେଇ ନାହାନ୍ତି । ଏହି ଅଭିସନ୍ଧି ଓ ଷଡଯନ୍ତ୍ରର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାପାଳ ଏହି କାର୍ଯ୍ୟ କରିଛନ୍ତି । ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ରେଣୁବାଳା ପୁନର୍ବାର ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେବା ସହ ରାଜ୍ୟର ଅପରାଧ ନିୟନ୍ତ୍ରଣ ସଂସ୍ଥା ଦ୍ୱାରା ନକୁଳ ଚନ୍ଦ୍ର ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବେଆଇନ ଗଣଧାରଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିବେ ବୋଲି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।
ସୁନ୍ଦରଗଡ, ୩୧ ଜୁଲାଇ ୨୦୨୧: ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି। ୨୦୨୦ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ମାତୃ ମୃତ୍ୟୁ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟାର ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ ଏକ ସମୀକ୍ଷା କରାଯାଇଥିଲା। ଏଥିରେ ୨୦୨୦ ମେ’ ମାସରୁ ୨୦୨୧ ଏପ୍ରିଲ – ଏହି ୧୨ ମାସ ଭିତରେ ମାତୃ ମୃତ୍ୟୁ ସଂଖ୍ୟାକୁ ହିସାବକୁ ନିଆଯାଇଥିଲା। ଏଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ଜଣାପଡ଼ିଛି ଯେ, ଗର୍ଭବତୀ ମା’ମାନଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ସୁଫଳ ମିଳୁଛି। ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ ହେବାର ପୂର୍ବ ଏବଂ ପର ୬ ମାସର ମାତୃ ମୃତ୍ୟୁ ସଂଖ୍ୟା ତୁଳନା କଲେ ଏହି କଥା ଜଣାପଡ଼ୁଛି।
୨୦୨୦ ମେ’ରୁ ଅକ୍ଟୋବର – ଏହି ୬ ମାସ ଭିତରେ ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟା ରହିଥିଲା ୧୯। ତେବେ ୨୦୨୦ ନଭେମ୍ବରଠାରୁ ୨୦୨୧ ଏପ୍ରିଲ, ୬ ମାସ ମଧ୍ୟରେ ଏହି ସଂଖ୍ୟା ୯କୁ ଖସି ଆସିଛି। ଆଉ ଏକ ଖୁସିର କଥା ହେଉଛି ଯେ, ୨୦୨୧ ଜାନୁୟାରୀ ଏବଂ ମାର୍ଚ୍ଚ, ଏହି ଦୁଇ ମାସରେ ମାତୃ ମୃତ୍ୟୁ ସଂଖ୍ୟା ଶୂନ ରହିଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ୨୦୨୦ ନଭେମ୍ବର ୯ ତାରିଖରୁ ‘ମାତୃଜ୍ୟୋତି’ ଅଧୀନରେ ଗର୍ଭାବସ୍ଥାରେ ଯତ୍ନ ବା ଏଏନସି ସେବା ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା ସୁନିଶ୍ଚିତ କରାଇବା ହେଉଛି ଏହାର ମୂଳ ଲକ୍ଷ୍ୟ। ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ସୁଫଳ ଏବେ ଜିଲ୍ଲାକୁ ମିଳିଛି।
‘‘ଏହି ମାତୃ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କୁ ଗର୍ଭାବସ୍ଥାରେ ଏହି ସେବା ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ଗର୍ଭବତୀ ମା’ ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଗୁଆ ଜାଣିବା ସମ୍ଭବ ହେଉଛି। ଗର୍ଭ ସମ୍ବନ୍ଧୀୟ ଜଟିଳତା ଯଦି କିଛି ଜଣାପଡ଼େ ତାହାର ପ୍ରତିକାର ମଧ୍ୟ କରାଯାଉଛି। ତେଣୁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଲାଗୁ ହେବା ଫଳରେ ଜିଲ୍ଲାରେ ପ୍ରସବଜନିତ ମାତୃ ମୃତ୍ୟୁସଂଖ୍ୟା ହ୍ରାସ ପାଉଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇ ଆହୁରି କହିଛନ୍ତି ଯେ, ନଭେମ୍ବର ୨୦୨୦ରୁ ଏପ୍ରିଲ ୨୦୨୧ ମଧ୍ୟରେ ଯେଉଁ ପ୍ରସବଜନିତ ମାତୃ ମୃତ୍ୟୁସଂଖ୍ୟା ୯ ବୋଲି ରେକର୍ଡ କରାଯାଇଛି ସେଥିରେ କେତେ ଜଣ ମହିଳାଙ୍କ ମୃତ୍ୟୁର ଭିନ୍ନ କାରଣ ରହିଛି। ଏହାକୁ ଯଦି ବିଚାରକୁ ନିଆଯାଏ ତେବେ ସିଧାସଳଖ ଗର୍ଭାବସ୍ଥାଜନିତ ଜଟିଳତାରୁ ହେଉଥିବା ମାତୃ ମୃତ୍ୟୁ ସଂଖ୍ୟା ଆହୁରି କମ୍ ବୋଲି କହିଲେ ଭୁଲ୍ ହେବ ନାହିଁ।
ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଆରମ୍ଭ କରାଯାଇଛି। ଏହା ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଛି। ଏଥିପାଇଁ ୭ଟି ସରକାରୀ ଡାକ୍ତରଖାନା ଓ ୪୫ଟି ଘରୋଇ କ୍ଲିନିକକୁ ପ୍ରଶାସନ ପକ୍ଷରୁ ଅନୁବନ୍ଧିତ କରାଯାଇଛି।
କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଜୁଲାଇ ପହିଲାରୁ ଏହା ପୁଣିଥରେ କାର୍ଯ୍ୟକାରୀ ହେଉଛି। ଏହି ସେବା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ଗର୍ଭବତୀ ମା’ମାନଙ୍କର ୧୯ ହଜାର ୫୦୦ରୁ ଅଧିକ ସଂଖ୍ୟକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି। ମାତୃଜ୍ୟୋତି କାର୍ଯ୍ୟକ୍ରମକୁ ସଫଳ କରିବା ପଛରେ ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କ ସହ ଗାଁ କଲ୍ୟାଣ ସମିତି ଏବଂ ସ୍ଥାନୀୟ ଗୋଷ୍ଠୀର ପ୍ରମୁଖ ଭୂମିକା ରହିଛି।
ଗର୍ଭବତୀ ମା’ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ମା’ ଏବଂ ଗର୍ଭସ୍ଥ ଶିଶୁ କାହାର କୌଣସି ଜଟିଳତା ଥିଲେ ତାହା ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହା ଫଳରେ ବହୁ ଜଟିଳ କେସର ମା’ ଓ ଶିଶୁଙ୍କ ଜୀବନ ରକ୍ଷା କରାଯାଇ ପାରୁଛି। ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ ଏଭଳି ହାଇରିସ୍କ କେସରେ ମା’ମାନଙ୍କୁ ଆବଶ୍ୟକ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇ ଦିଆଯାଇଛି।
ସମ୍ବଲପୁର: ଅଗଷ୍ଟ ୩ ତାରିଖରୁ ଖୋଲିବ ସମ୍ବଲପୁରର ମା ସମଲେଶ୍ବରୀ ମନ୍ଦିର। କୋଭିଡ ନିୟମ ପାଳନ କରି ସକାଳ ୬ଟା ରୁ ଦିନ ୧୧:୩୦ ପର୍ଯ୍ୟନ୍ତ ଦର୍ଶନ କରିପାରିବ ଶ୍ରଦ୍ଧାଳୁ। ପୁଣି ୩ଟା ରୁ ସନ୍ଧ୍ୟା ୭:୩୦ ଭିତରେ ଦର୍ଶନ ପାଇଁ ଦିଆଯିବ ଅନୁମତି। ସମ୍ବଲପୁରର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଗୋଟିଏ ଦିନରେ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି।
ରାଜନଗର: ଅଗଷ୍ଟ ୫ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ତିନି ମାସରୁ ଅଧିକ ସମୟ ହେବ ବନ୍ଦ ଥିଲା ଭିତରକନିକା। ଭିତରକନିକାରେ ରାତ୍ରୀ ଯାପନ ପାଇଁ ମିଳିବନି ଅନୁମତି। ଏହି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ ପତି।
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପରିଚାଳନା ପରିଷଦର ଅଷ୍ଟମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଆୟୋଜିତ ଏହି ବୈଠକରେ ଡିଏମଏଫ ପାଣ୍ଠି ବିନିଯୋଗରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ କିପରି ଆଗକୁ ନିଆଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଡିଏମଏଫ ଟ୍ରଷ୍ଟର ଅଧ୍ୟକ୍ଷ ଓ ମ୍ୟାନେଜିଂ ଟ୍ରଷ୍ଟି ନିଖିଲ ପବନ କଲ୍ୟାଣ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଡିଏମଏଫ ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ତଥା ନୂଆ କରି ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏହି ପାଣ୍ଠି କେବଳ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଉଛି ବୋଲି ଜିଲ୍ଲାପାଳ ଏହି ଅବସରରେ ସୂଚନା ଦେଇଥିଲେ। ବିଶେଷକରି ଡିଏମଏଫର କାର୍ଯ୍ୟ ଖସଡ଼ାରେ ଅଗ୍ରାଧିକାର ଦିଆଯାଉଥିବା ବିଷୟ ତଥା ଜିଲ୍ଲାର ଦୀର୍ଘକାଳୀନ ବିକାଶ ଲାଗି ଆବଶ୍ୟକ ବିଭିନ୍ନ ଅଭିନବ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ।
ଏହି ବୈଠକରେ ଟ୍ରଷ୍ଟ ବୋର୍ଡର ସଦସ୍ୟ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ସହିତ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ୍ ଏକ୍କା, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ନିମନ୍ତ୍ରିତ ସଦସ୍ୟ ଭାବେ ତଳସରା ବିଧାୟକ ଭବାନୀଶଙ୍କର ଭୋଇ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
ଖଣି ପ୍ରଭାବିତ କୋଇଡ଼ା, ଲହୁଣୀପଡ଼ା ଏବଂ ହେମଗିରି ଦେଇ ଯାଇଥିବା ୨୧୫ ଏବଂ ୨୨୦ ନମ୍ବର ରାଜପଥ, ଲହୁଣୀପଡ଼ା ବ୍ଲକରେ ରାଜାମୁଣ୍ଡା-କଲେଇପୋଷ ରାସ୍ତା ଏବଂ ହେମଗିର ବ୍ଲକରେ ବାଙ୍କୀବାହାଲ-ଟପରିଆ ରାସ୍ତା ମରାମତି କରିବାକୁ ପ୍ରସ୍ତାବ ଦେଇଥିଲେ ସାଂସଦ ଜୁଏଲ ଓରାମ। ସେହିପରି ଜିଲ୍ଲାର ଟିଙ୍କୋ ଘାଟି, ହେମଗିର ଏବଂ ରାଉରକେଲାଠାରେ ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
ସୁନ୍ଦରଗଡ଼ ସହର ଚାରିପଟେ ଏକ ରିଙ୍ଗ୍ ରୋଡ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ବିଧାୟିକା କୁସୁମ ଟେଟେ। ସେହିପରି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଜିଲ୍ଲାର ପ୍ରତି ପଞ୍ଚାୟତରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରି କମ୍ ବୟସରୁ ପିଲାମାନଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବାକୁ ମତ ଦେଇଥିଲେ। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ ଏକ୍କା ହାତୀ ଉପଦ୍ରଵ କାରଣରୁ ବାସଶୂନ୍ୟ ହେଉଥିବା ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ।
ଡିଏମଏଫର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସଡ଼କ ତିଆରି କାର୍ଯ୍ୟ ଜାରି ରହିଛି। ଏହା ଫଳରେ ଗମନାଗମନ ସୁଗମ ହେବା ସହିତ ଲୋକଙ୍କ ଜୀବନ ଯାପନରେ ଉନ୍ନତି ଆସିପାରିଛି। ତେବେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ରାସ୍ତାର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅନ୍ୟ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ସେହିପରି ହକି ସହିତ ଫୁଟବଲ୍ ତଥା ଅନ୍ୟ କ୍ରୀଡ଼ାର ବିକାଶ ଲାଗି ବ୍ଲକ ସ୍ତରରେ ବହୁମୁଖୀ ସୁବିଧା ଥିବା ଭିତ୍ତିଭୂମି ନିର୍ମାଣ କରିବା ଏବଂ ଗ୍ରାମାଞ୍ଚଳର ଜଳାଶୟଗୁଡ଼ିକର ଉନ୍ନତୀକରଣ ଲାଗି ମଧ୍ୟ ଜୋର୍ ଦେବାକୁ ସଦସ୍ୟମାନେ ମତ ଦେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ରାଉରକେଲା ସରକାରୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଡିଏମଏଫର ଅଧିକାରୀମାନେ ଉପସ୍ଥିତ ଥିଲେ।
ଡିଏମଏଫ ପାଣ୍ଠିର ଆର୍ଥିକ ସହାୟତାରେ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ସ୍ୱାସ୍ଥ୍ୟ ଓ ପୋଷଣ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ, ଜୀବିକା, ଶିକ୍ଷା, ପାନୀୟ ଜଳ ଓ ପରିମଳ, ଭିନ୍ନକ୍ଷମ କଲ୍ୟାଣ, ଭିତ୍ତିଭୂମି ଓ ଯୋଗାଯୋଗ, ଶକ୍ତି, ପରିବେଶ ସୁରକ୍ଷା ଏବଂ କୃଷି ଆଦି ବିଭିନ୍ନ କ୍ଷେତ୍ରର ବିକାଶକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦା ତଥା ଆଦିବାସୀଙ୍କ କଲ୍ୟାଣ ଲାଗି ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକଳ୍ପ ହାତକୁ ନେଇ ଆସୁଛି। ଏହିସବୁ ପ୍ରକଳ୍ପ ସାକାର କରିବା ପାଇଁ ଡିଏମଏଫ ଆର୍ଥିକ ସହାୟତା ଯୋଗାଇ ଦେଉଛି।