ଆଜି ଅପରାହ୍ଣ ୩ଟାରୁ ବନ୍ଦ ରହିବ 'ଆମ ବସ୍’ ସେବା
ଭୁବନେଶ୍ବର: ଆଜି ଦୀପାବଳି ଅବସରରେ ଅପରାହ୍ଣ ୩ଟାରୁ ବନ୍ଦ ରହିବ 'ଆମ ବସ୍’ ସେବା। ଆଜି କୌଣସି ରୁଟ୍ରେ ବସ୍ ଚଳାଚଳ କରିବ ନାହିଁ। ଆସନ୍ତାକାଲିଠାରୁ ‘ଆମ ବସ୍’ ସେବା ପୁଣି ସ୍ୱାଭାବିକ ଭାବେ ଚାଲୁ ହେବ।
ଭୁବନେଶ୍ବର: ଆଜି ଦୀପାବଳି ଅବସରରେ ଅପରାହ୍ଣ ୩ଟାରୁ ବନ୍ଦ ରହିବ 'ଆମ ବସ୍’ ସେବା। ଆଜି କୌଣସି ରୁଟ୍ରେ ବସ୍ ଚଳାଚଳ କରିବ ନାହିଁ। ଆସନ୍ତାକାଲିଠାରୁ ‘ଆମ ବସ୍’ ସେବା ପୁଣି ସ୍ୱାଭାବିକ ଭାବେ ଚାଲୁ ହେବ।
ଭୁବନେଶ୍ୱର : ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ଵର ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ଓଡ଼ିଶାରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି । ସୂଚନାଯୋଗ୍ୟ ଯେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ ବାସଗୃହ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଆମ ସରକାର ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ୭,୫୫୦ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ଏଥିରେ ୫ ଲକ୍ଷ ଘର ନିର୍ମାଣ କରାଯିବ । ନୂଆପଡ଼ା, କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ୨୮ ଟି ଜିଲ୍ଲାର ୪୮ ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସମୁଦାୟ ୧୯୪ କୋଟି ୭୭ ଲକ୍ଷ ୨୦ ହଜାର ଟଙ୍କା ବଣ୍ଟନ କରାଯାଇଛି । ହିତାଧିକାରୀମାନଙ୍କୁ ଦ୍ବିତୀୟ କିସ୍ତିରେ ୬୫ ହଜାର ଏବଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଏହିପରି ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେଉଁ ହିତାଧିକାରୀମାନେ ୪ ମାସ ମଧ୍ୟରେ ଘର ଶେଷ କରିବେ, ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ଯେଉଁମାନେ ୬ ମାସରେ ଘର ଶେଷ କରିବେ, ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସମସ୍ତ ହିତାଧିକାରୀଙ୍କୁ IAP ବା ସମନ୍ବିତ କାର୍ଯ୍ୟ ଯୋଜନା ଜିଲ୍ଲାରେ ମନରେଗା କାର୍ଯ୍ୟକ୍ରମରେ ୯୫ ଦିନର ମଜୁରୀ ଏବଂ ଅଣ-IAP ଜିଲ୍ଲାରେ ୯୦ ଦିନର ମଜୁରୀ ମଧ୍ୟ ଦିଆଯାଉଛି। ଏହାସହିତ ହିତାଧିକାରୀଙ୍କୁ ଶୌଚାଳୟ, ପାଇପ ପାଣି ଆଦି ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ଦିଆଯାଉଛି । ଏହି ଅନ୍ତ୍ୟୋଦୟ ଗୃହ ଯୋଜନା ଗରିବ, ଅନଗ୍ରସର ତଥା ଅସହାୟ ପରିବାର ମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରିବାରେ ସହାୟକ ହେବ। ଏହାଦ୍ବାରା ଗରିବ ଓ ଅସହାୟ ହେଲେ ମଧ୍ୟ, ପ୍ରତ୍ୟେକ ନାଗରିକ ଏକ ସର୍ବନିମ୍ନ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବେ । ଶାସନ ନୁହେଁ, ସେବା ହିଁ ଆମ ସରକାରଙ୍କର ମୂଳମନ୍ତ୍ର। ଏହି ଉକ୍ତିକୁ ଯଥାର୍ଥ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦିଗ୍ଦର୍ଶନରେ ଆମେ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ଜନକଲ୍ୟାଣର ଓ ଲୋକସେବାର କେନ୍ଦ୍ର ଭାବେ ବିକଶିତ କରୁଛୁ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ସରପଞ୍ଚ, ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର, ଜୁନିଅର ଇଞ୍ଜିନିଅର, ଗ୍ରାମ ରୋଜଗାର ସେବକ ଓ ଏକାଉଣ୍ଟେଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ମାନଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ରହିବ । ଅର୍ଥାତ୍, ପଞ୍ଚାୟତର ସମସ୍ତ ସେବା ଗୋଟିଏ ଜାଗାରେ ହିଁ ମିଳିବ । ଏହି କାର୍ଯ୍ୟାଳୟ ଗୁଡିକ One Stop Service Centreହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ହିତାଧିକାରୀ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଜନାର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରିଥିଲେ । ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମୁଣ୍ଡ ଉପରକୁ ଛାତ ଖଣ୍ଡିଏ ମିଳି ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ହିତାଧିକାରୀ ମାନେ କହିଥିଲେ ଯେ ଏକ ସମ୍ମାନଜନକ ଜୀବନ ଯାପନ କରିବା ପାଇଁ ଏକ ସୁନ୍ଦର ଘର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବାରୁ ସେମାନେ ନିଜର ଖୁସି ବ୍ୟକ୍ତ କରିଥିଲେ । ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରୟଣ ନାୟକ କହିଥିଲେ ଯେ ଗ୍ରାମପଞ୍ଚାୟତ ଭବନ ହେଉଛି ଗ୍ରାମୀଣ ଶାସନର ମୂଳ କେନ୍ଦ୍ର। ଏଠାରୁ ଲୋକଙ୍କ ସମସ୍ୟାର ସମାଧାନ ହୁଏ, ତୃଣମୂଳ ସ୍ତରରେ ବିକାଶର ନକ୍ସା ତିଆରି ହୁଏ ଓ ଗାଁର ପ୍ରତ୍ୟେକ ଲୋକଙ୍କ ଜୀବନ ସୁଧାରିବାର ପ୍ରୟାସ ଆରମ୍ଭ ହୁଏ। ତେଣୁ, ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଇଁ ଲୋକଙ୍କ ଆଶା- ଆକାଂକ୍ଷାକୁ ପୂରଣ କରିପାରୁଥିବା ତଥା ସମସ୍ତ ସେବା ଯୋଗାଇ ପାରୁଥିବା ଭଳି ଆଧୁନିକ ଭବନ ଦରକାର। ଏହି ଭବନଗୁଡ଼ିକ ଲୋକସେବା, ଗାଁର ଉନ୍ନତି ଓ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏକ ନୂଆ ମାଇଲ ଷ୍ଟୋନ ହେବ l ଏହି ଅଭିଯାନ କେବଳ ଭବନ ନିର୍ମାଣର ଏକ ପ୍ରକଳ୍ପ ନୁହେଁ, ବରଂ ଏହା ରାଜ୍ୟର ଗ୍ରାମାଞ୍ଚଳରେ ସୁଶାସନ, ସେବା ଓ ଉନ୍ନତିର ଏକ ନୂଆ ସୋପାନ ଆଣିବାର ପ୍ରଚେଷ୍ଟା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ନିର୍ଦ୍ଦେଶକ ଶ୍ରୀ ଭିନିତ ଭରଦ୍ୱାଜ ଏବଂ ଆଭାସି ମାଧ୍ୟମରେ ୨୮ଟି ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ, ପଞ୍ଚାୟତିରାଜ ପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଯୋଗଦେଇଥିଲେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ୍.ଏନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।
କୋରାପୁଟ: କୋଟବାଲସା-କିରନଡୁଲ ରେଲୱେ ଲାଇନ୍ରେ ଧସିଲା ପଥର ଖଣ୍ଡ। ରେଲୱେ ଟ୍ରାକ୍ରେ ଧସିଲା ପରେ ପଥରପ୍ୟାସେଞ୍ଜର ଟ୍ରେନ୍ ବାତିଲ୍ ହୋଇଛି। ଆନ୍ଧ୍ର ପ୍ରଦେଶର ଟ୍ୟାଡା-ଚିପ୍ରୁପାଲି ଧାରଣାରେ ପଡ଼ିଲା ବଡ଼ ପଥର ଖଣ୍ଡ। କିରନଡୁଲ-ବିଶାଖାପାଟଣା ପ୍ୟାସେଞ୍ଜର ଟ୍ରେନ୍ ବାତିଲ୍ ହୋଇଥିବା ସୂଚନା।
ଭୁବନେଶ୍ବର: ଲିଭିଙ୍ଗ ଫାର୍ମସ ସ୍ଵେଚ୍ଛାସେବୀ ଅନୁଷ୍ଠାନ, କମଳା ନେହେରୁ ଓମେନ୍ସ କଲେଜର ଡିପାର୍ଟମେଣ୍ଟ ଅଫ ହୋମ୍ ସାଇନ୍ସ ଓ ନ୍ୟାସନାଲ କୋଲିସନ୍ ଫର୍ ନ୍ୟାଚୁରାଲ ଫାର୍ମିଙ୍ଗର ମିଳିତ ଆନୁକୁଲ୍ୟରେ ଗତ ୧୬ ତାରିଖରୁ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଆଦିବାସୀ ଖାଦ୍ୟ ମେଳା ଆଜି ୧୮ ତାରିଖରେ ଉଦଯାପିତ ହୋଇଛି। ରାଜଧାନୀର ଏକ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏହି ଖାଦ୍ୟ ମେଳାରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରୁ କନ୍ଧ, ଡଙ୍ଗରିଆ କନ୍ଧ, ଶବର, ଲାଞ୍ଜିଆ ସଉରା, ସାନ୍ତାଳ, ଗଣ୍ଡ, ପରଜା, ଜୁଆଙ୍ଗ, ମୁଣ୍ଡା, ଚକୁଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଆଦିବାସୀମାନେ ସେମାନଙ୍କର ପାରମ୍ପରିକ ଚାଷ ଓ ଅଣଚାଷ ଖାଦ୍ୟ ସହିତ ଯୋଗ ଦେଇଥିଲେ। ଖଦ୍ୟମେଳାରେ ଆଦିବାସୀମାନେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ପ୍ରକାରର ଖାଦ୍ୟ ପ୍ରଦର୍ଶନ କରିଥିଲେ। ଆଦିବାସୀ ମହିଳା ଓ ପୁରୁଷଙ୍କ ସହିତ ବୈଜ୍ଞାନିକ, ଶିକ୍ଷାବିତ୍, ଗବେଷକ, ଖାଦ୍ୟ ନୀତି ବିଶେଷଜ୍ଞ, ଛାତ୍ର ଛାତ୍ରୀ ଆଦି ଯୋଗ ଦେଇ ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ। ପରିବେଶ ବୈଜ୍ଞାନିକ ଓ ବିଶିଷ୍ଟ ବିହନ ସଂରକ୍ଷକ ଡ.ଦେବଲ୍ ଦେବ, କଲେଜ୍ ପ୍ରିନ୍ସିପାଲ ବିବାସିନି ରଥ, ହୋମ୍ ସାଇନ୍ସ ଡିପାର୍ଟମେଣ୍ଟ ମୁଖ୍ୟ ଡ଼. ମଧୁସ୍ମିତା ଦାସ ଓ କନ୍ଧ ଆଦିବାସୀ ତୁବୁଲି ମା ଚାରାରେ ପାଣି ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ମହନୀୟତାକୁ ବାଖାନିବାକୁ ଯାଇ ଆଦିବାସୀମାନେ କହିଥିଲେ ଯେ, ଆଦିବାସୀ ଖାଦ୍ୟ ବ୍ୟବସ୍ଥା କେବଳ ପେଟ ଭରିବା କାମ କରିନଥାଏ, ଆଦିବାସୀ ଖାଦ୍ୟ ବ୍ୟବସ୍ଥା ସମଗ୍ର ଜୀବନ, ସଂସ୍କୃତି, ସମ୍ପର୍କ ଓ ପରିବେଶ ସହିତ ଜଡିତ। ଡ. ଦେବଲ ଦେବ ତାଙ୍କ ଅଭିଭାଷଣରେ କହିଲେ ଯେ, ଆଜିର ସମୟରେ ଆଦିବାସୀ ଜୀବନ ଶୈଳୀ ହିଁ ମାନବ ସଭ୍ୟତାର ଶେଷ ଆଶା। ଯେଉଁଠି ଆଦିବାସୀ ଅଛନ୍ତି ସେଠୀ ବହୁତ୍ ପ୍ରକାର ସମ୍ବଳ ଅଛି। ଆଦିବାସୀଙ୍କ ପାଖରେ ହିଁ ଅସଲ ବୈଜ୍ଞାନିକ ଭାବନାର ଜ୍ଞାନ ଅଛି। ସେ ଜ୍ଞାନକୁ ସ୍ଵୀକୃତି ଦେବାର ଆବଶ୍ୟକତା ରହିଛି। ସେ କହିଲେ ଯେ, ଆଦିବାସୀଙ୍କ ପୋଡୁ ଚାଷ ସମ୍ପୂର୍ଣ୍ଣ ବିଜ୍ଞାନ ସମ୍ମତ। କିନ୍ତୁ ବର୍ତ୍ତମାନର ପୋଡୁ ଚାଷର ଅଭ୍ୟାସ ବଦଳି ଯାଇଥିବାରୁ ତାହା ଘାତକ ସାବ୍ୟସ୍ତ ହେଉଛି। ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ସଂରକ୍ଷଣ ହେଲେ ହିଁ ପରିବେଶ ଓ ପ୍ରକୃତି ସୁରକ୍ଷା ହେବା ସହିତ ବିବିଧତାର ସଂରକ୍ଷଣ ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ଶୈଳେଶ ଅୱେଟେ, ସଲୋମି ୟେଶୁଦାସ, କୈଳାଶ ଦଣ୍ଡପାଟ, ଡ. ଶ୍ରୀଚରଣ ବେହେରା, ପ୍ରଫେସର କୁମାରଜୀବ ପେଗୁ, ପ୍ରଫେସର ବିଜୟ ଭାସ୍କର, ହରିଶଙ୍କର ରାଉତ, ସମିତ୍ ପଣ୍ଡା, ମହମ୍ମଦ ଇମ୍ରାନ୍ ଅଲ୍ଲୀ, ସାବରମତୀ, ଅଂଶୁମାନ ଦାସ, ହେମନ୍ତ, ଆଦି ଆଦିବାସୀ ଖାଦ୍ୟ ବ୍ୟବସ୍ଥା ଓ ତତ୍ ସମ୍ବନ୍ଧୀୟ ଆଇନ କାନୁନ, ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ଅର୍ଥନୀତି, ପୁଷ୍ଟି ସୁରକ୍ଷା, ସାଂସ୍କୃତିକ ସମ୍ପର୍କ, ମହିଳା ଓ ବିହନ ଆଦି ବିଷୟରେ ଆଲୋଚନା କରିଥିଲେ। ଆଦିବାସୀ ଖାଦ୍ୟ ବ୍ୟବସ୍ଥାକୁ ସଂରକ୍ଷିତ କରି ରଖିବା ପାଇଁ ଏହି ଖାଦ୍ୟ ମେଳାରେ ମତ ପ୍ରକାଶ ପାଇଥିଲା ଓ ସେଥିପାଇଁ ଆଦିବାସୀମାନେ ଦାୟିତ୍ଵର ସହ ପ୍ରୟାସ କରିବେ ବୋଲି ସହମତ ହୋଇଥିଲେ। ପ୍ରତିଦିନ ଶତାଧିକ ଛାତ୍ରୀ ଖାଦ୍ୟ ମେଳା ବୁଲି ଆଦିବାସୀ ଖାଦ୍ୟ ବିଷୟରେ ବୁଝିଥିଲେ। ଶେଷରେ ଡ.ମଧୁସ୍ମିତା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଲିଭିଙ୍ଗ ଫାର୍ମସ ଦ୍ଵାରା ଆୟୋଜିତ ହୋଇଥିବା ଏହି ଖାଦ୍ୟ ମେଳାରେ ସ୍ଵାତୀ, ପ୍ରଦାନ, ୱାସନ୍, ପଲ୍ଲୀ ବିକାଶ, ନିର୍ମାଣ, ଫରୱାର୍ଡ, ଦାପ୍ତା, ଏଫ୍.ଇ.ଏସ, ଜୀତା ଆଦି ସଂଗଠନ ଯୋଗ ଦେଇଥିବା ବେଳେ ମଞ୍ଜୁଲତା ଜୁଆଙ୍ଗ, ଦୁଣ୍ଡି ମାଝୀ, କୁଣ୍ଡୁଡ଼ି ମାଣ୍ଡିକା, କମଳା ମାଝି, ସରିତା ପ୍ରଧାନ, ରାମେଶ୍ବର ଚିନ୍ଦା, ସାବିତ୍ରୀ ପାଙ୍ଗି, ଭକ୍ତରାମ୍ ଗୋଲୋରି, ଶିବୁ ସୋରେନ, ମନ୍ଦାକିନୀ ନାୟକ ଓ ଜଗନ୍ନାଥ ମାଝୀ ଆଦି ଆଦିବାସୀଙ୍କ ନେତୃତ୍ୱ ନେଇଥିଲେ। ଲିଭିଙ୍ଗ ଫାର୍ମସ ତରଫରୁ ବିଚିତ୍ର ବିଶ୍ଵାଳ, ଅନିଲ ଲିମା, ଜଗନ୍ନାଥ ସେଠୀ, କୃଷ୍ଣ କହଁର, ରମାକାନ୍ତ ଜେନା, ବିଶ୍ବରଂଜନ ଜେନା ଓ ଜିତେନ୍ଦ୍ର ପଟ୍ଟନାୟକ ଆଦି ଖଦ୍ୟମେଲାର ପରିଚାଳନା କରିଥିଲେ।
ଭୁବନେଶ୍ବର: ଦକ୍ଷୀଣ- ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଅକ୍ଟୋବର ୨୧ ତାରିଖ ସୁଦ୍ଧା ସ୍ରୁଷ୍ଟି ହୋଇପାରେ ଲଘୁଚାପ। ଆସନ୍ତା ୨୩ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ନେଇପାରେ ଅବପାତ ରୂପ। ପ୍ରଭାବରେ ଓଡ଼ିଶାରେ ୨୪ ତାରିଖରୁ ତିନି ଦିନ ବର୍ଷା ସମ୍ଭାବନା ରହିଛି। ଏଯାଏଁ ବାତ୍ୟା ଅକଳନ କରିନି ପାଣିପାଗ ବିଭାଗ।
ଭୁବନେଶ୍ୱର: ''ଆମେ ପାଳିବା ଗାଁ ଦିବସ ଦୀପାବଳିରେ ଏହି ବର୍ଷ, ଆମେ ପାଳିବା ଗାଁ ଦିବସ ଦୀପାବଳିରେ ସବୁ ବର୍ଷ'' l ଗାଁକୁ ଯିବା, ଗାଁକୁ ଭଲପାଇବା l ପ୍ରବାସୀ ଭାରତୀୟ ଦିବସ ଯେମିତି ମା, ମାଟି ଆଉ ମାତୃଭୂମିକୁ ଭଲ ପାଇବାର କଥା ସହ ଭୋକାଲ ଫର ଲୋକାଲକୁ ପ୍ରୋତ୍ସାହିତ କରୁଛି ଗାଁ ଦିବସରେ ବି ଏହି ସ୍ଲୋଗାନ ସହ ଭାଇଚାରାର ବାର୍ତ୍ତା ନେଇ ଦୀପାବଳିରେ ଗାଁ ଦିବସ ପାଳିବାକୁ ଓଡ଼ିଶାର ଗାଁକୁ ଯାଉଛି ରାଜ୍ୟର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ- କଳାକ୍ଷେତ୍ର l ଏନେଇ ଶନିବାର ଅପରାହ୍ନରେ ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗାଁ ଦିବସ ଅଭିଯାନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି କଳାକ୍ଷେତ୍ର ପ୍ରତିଷ୍ଠାତା ତଥା ଆବାହକ ବାସୁଦେବ ମାଳବିଶୋଇ l ଶ୍ରୀ ମାଳବିଶୋଇ କହିଛନ୍ତି, ଆଜି ସମସ୍ତେ ଗାଁ ଛାଡି ସହର ମୁହାଁ କିନ୍ତୁ ମହାତ୍ମାଗାନ୍ଧୀଙ୍କ ଦୃଷ୍ଟିରେ ଆଜି ବି ଭାରତର ଆତ୍ମ ଗାଁରେ ବଂଚିଛି l ସେଥିପାଇଁ ତ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାଁକୁ ଫୋକସ କରିଛନ୍ତି l ଆଜି ସବୁ କାର୍ଯ୍ୟ ଗାଁ ରୁ ଆରମ୍ଭ ହେଉଛି l ଏହିଭଳି ସମୟରେ କଳାକ୍ଷେତ୍ର ନିଷ୍ପତ୍ତି ନେଇଛି ଓଡ଼ିଶାର ୩୦ ଜିଲ୍ଲା, ୧୦୦ ବ୍ଲକ, ୩୦୦ ଗ୍ରାମରେ ଗାଁ ଦିବସ ପାଳନ ହେବ ଏବଂ ୩୦ ହଜାର ଗାଁ କୁ ଗାଁ ଦିବସ ଅଭିଯାନର ବାର୍ତ୍ତା ଯିବ l ଗାଁର ମହକ, ଗାଁର ସୁରକ୍ଷା ତାର ସଂସ୍କୃତି, ଭାଇଚାରା, ଏକତା, ଅଖଣ୍ଡତାକୁ ବଜାଇ ରଖିବା ଏବଂ ପୁଣିଥରେ ସମସ୍ତଙ୍କୁ ଏହି କଥା ମନେପକାଇ ଦେବା ଲାଗି କଳାକ୍ଷେତ୍ରର ଏହି ପ୍ରୟାସ l ୨୦୨୧ ମସିହାରୁ ଗାଁ ଦିବସ ନାଁ ରେ କଳାକ୍ଷେତ୍ର ଏହି ଅଭିଯାନ ଚଳାଇ ଆସିଥିଲା ବେଳେ ପ୍ରଥମ କରି ଚଳିତ ବର୍ଷ ଦିବସ ପାଳିବାକୁ ନିଷ୍ପତ୍ତି ନେଇଛି l କାରଣ ଆମ ଦେଶରେ ବିଭିନ୍ନ ଦିବସକୁ ମିଶାଇ ପ୍ରାୟ ୪୦୦ ଟି ଦିବସ ପାଳନ ହେଉଛି l ଓଡ଼ିଶାରେ ବି ୧୨ ମାସରେ ୧୩ ପର୍ବ ହେଉଛି l ପୁଣି ଦେଶରେ ୬ ଲକ୍ଷ ୬୫ ହଜାରରୁ ଅଧିକ ଗାଁ, ରାଜ୍ୟରେ ୫୧ ହଜାର ୩୪୯ ଗାଁ ରହିଛି l କିନ୍ତୁ କେଉଁଠି ସ୍ୱତନ୍ତ୍ର ଭାବରେ ଗାଁ ଦିବସ ନାହିଁ l ତେଣୁ ସମସ୍ତ ବିଷୟକୁ ଧ୍ୟାନରେ ରଖି ଗାଁର ଉନ୍ନତୀ ଓ ବିକାଶକୁ ପ୍ରାଥମିକତା ଦେଇ ଏହି ଦିବସ ପାଳନ ହେଉଛି l ୨୧ରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ୩ ଦିନ ଧରି ସାରା ଓଡ଼ିଶାରେ ପାଳନ ହେବ l ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିଠୁ ନେଇ ଗ୍ରାମ୍ୟ ଜୀବନ ବିଷୟରେ ଅନେକ କାର୍ଯ୍ୟକ୍ରମ ହେବ l ଗାଁର ଲୋକକଳାଠୁ ଓଡ଼ିଆ ଖାଦ୍ୟପେୟ ସବୁ କଥା ଆୟୋଜନ ହେଉଛି l ଯେଉଁଥିରେ ସରକାର, ପ୍ରଶାସନଠୁ ନେଇ ସାଧାରଣ ଲୋକ, କଳାକାର, ସାହିତ୍ୟିକ, ସଂସ୍କୃତି ପ୍ରେମୀ ଯୋଗଦେବେ ବୋଲି ଶ୍ରୀ ମାଳବିଶୋଇ କହିଛନ୍ତି l ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ନିହାରିକା ପଟ୍ଟନାୟକ, ସଦସ୍ୟା ପଦ୍ମାବତୀ ଖେମୁଣ୍ଡ, ଚିତ୍ରା ମିଶ୍ର, ସଦସ୍ୟ ପଞ୍ଚାନନ ପ୍ରଧାନ, ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ବଡ଼ କଥା ହେଲା ଏହି ଅଭିଯାନର ସଭାପତି ରହିଛନ୍ତି ଗାଁ ଗାଁ ରେ ଛୋଟ ମୋର ଗାଁ ପାଇଁ ପରିଚିତ ଜଣେ ପ୍ରତିଷ୍ଠିତ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି l
ଭୁବନେଶ୍ୱର: ଦୀପାବଳି ଉପଲକ୍ଷେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସଂସ୍ଥା (ଓର୍ମାସ୍) ପକ୍ଷରୁ ଭୁବନେଶ୍ୱର ୟୁନିଟ୍ ୮ ସ୍ଥିତ ଏସ୍ଆଇଆର୍ଡି କ୍ୟାମ୍ପସ୍ ସମ୍ମୁଖରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ଓର୍ମାସ୍ର ମୁଖ୍ୟ କାର୍ଯ୍ୟନର୍ବାହୀ ଅଧିକାରୀ ଡା. ମୋନିକା ପ୍ରିୟଦର୍ଶିନୀ ଏହି ଷ୍ଟଲକୁ ଉଦ୍ଘାଟନ କରି ଭୁବନେଶ୍ୱରବାସୀ ଏହି ଷ୍ଟଲ ଜରିଆରେ ଗ୍ରାମାଞ୍ଚଳର ହସ୍ତଶିଳ୍ପୀ ଓ କାରିଗରୀମାନଙ୍କ ହସ୍ତନିର୍ମିତ ଉତ୍ପାଦକୁ ସିଧାସଳଖ ହାତପଆନ୍ତାରେ ପାଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ । ଓର୍ମାସ୍ର ଏହି ପ୍ରୟାସ ଗ୍ରାମୀଣ ଉତ୍ପାଦକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କୁ ଆତ୍ମନିର୍ଭର କରୁଛି ବୋଲି ସେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଡା. ପି୍ରୟଦର୍ଶିନୀ ବିଭିନ୍ନ ଜିଲ୍ଲାରୁ ଆସିଥିବା ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଭାବବିନିମୟ କରିବା ସହ ସେମାନଙ୍କୁ ଏପରି ଉତ୍ପାଦ ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ଦେଇଥିଲେ । ଏହି ଷ୍ଟଲଟି ଅକେଫାବର ୨୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ । ଇଚ୍ଛୁକ ଜନସାଧାରଣ ଏଠାରେ ଗ୍ରାମୀଣ ସାମାଜିକ ସଂସ୍ଥାଗୁଡ଼ିକର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତନିର୍ମିତ ଉତ୍ପାଦ କିଣିପାରିବେ । ଚଳିତ ବର୍ଷ ଏହି ଷ୍ଟଲରେ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ ଓ ସୋନପୁର ଜିଲ୍ଲାର ଉତ୍ପାଦକ ଗୋଷ୍ଠୀମାନେ ନିଜର ଉତ୍ପାଦ ବିକି୍ର କରୁଛନ୍ତି । ଏଠାରେ ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ମାଟି ଦୀପ, ଟେରାକୋଟା ମୂର୍ତ୍ତି, ରାଗିଲଡ଼ୁ, ନଡ଼ିଆତେଲ, ଝାଡ଼ୁ, ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ, ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦ ବିକି୍ରୟ ହେଉଛି । ଏହା ସହିତ ଗଞ୍ଜାମ ଜିଲ୍ଲାର ଉତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଚକୋଲେଟ୍ ଗିଫଫହାମ୍ପର ଓ ପିକଲ୍ ଗିଫଫହାମ୍ପର ଭଳି ଦୁଇପ୍ରକାର ଗିଫଫହାମ୍ପର (ଉପହାର ) ଗ୍ରାହକମାନଙ୍କର ମୁଖ୍ୟ ଆକର୍ଷର ପାଲଟିଛି । ସୂଚନାଯୋଗ୍ୟ ଯେ ଗ୍ରାମୀଣ କାରିଗର ଓ ଉତ୍ପାଦକମାନଙ୍କ ପାଇଁ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓର୍ମାସ୍ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ୱାରା ରାଜ୍ୟର ଗ୍ରାମୀଣ ଓ କୁଟୀର ଶିଳ୍ପର ଆଦୃତି ବୃଦ୍ଧି ପାଇବା ସହ ଆମର ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହୋଇପାରିବ ।