ଓଡିଶା ରେ ଆଂଶିକ ଲାକଡାଉନ; ଖୋଲା ରହିବ ମିଠା ଦୋକାନ
ଭୁବନେଶ୍ୱର: ଓଡ଼ିଶା ସରକାର ଆଜି କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ପୂର୍ବ ଭଳି ସପ୍ତାହନ୍ତ ସଟ୍ଡାଉନ୍ ସମସ୍ତ ଜିଲ୍ଲାରେ ଜାରି ରହିବ। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ: ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା। ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ: ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା। ଟୀକାକରଣ, ଟେଷ୍ଟିଂ ଏବଂ ସ୍ବାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ। ଲକଡାଉନ୍ ସମୟରେ ଦୁଗ୍ଧ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନଗୁଡିକ ନିର୍ଦ୍ଧାରିତ ସମୟାନୁସାରେ ଖୋଲିବାକୁ ଅନୁମତି ଦିଆଯାଇଛି। ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ, ବ୍ରତ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ ରହିଥିବା କଟକଣାରେ କୌଣସି ପରିବର୍ତ୍ତନ ହୋଇନାହିଁ। ପଶ୍ଚିମ ତଥା ଦକ୍ଷିଣ ଓଡିଶା ଜିଲ୍ଲାରେ ଲକଡାଉନ୍ କୋହଳ ସମୟରେ ଉଠା ଦୋକାନଗୁଡିକ ବ୍ୟବସାୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ଦୋକାନରୁ କେବଳ ଖାଦ୍ୟ ପୁଡିଆ ପାର୍ସଲ ଭାବରେ ନେଇ ପାରିବେ। ନିର୍ମାଣ କାର୍ଯ୍ୟ, ଶିଳ୍ପ ତଥା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପୂର୍ବଭଳି କଟକଣା କୋହଳ ରହିବ। କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ।
ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ: ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ର ମୁଖ୍ୟ ପ୍ରଶାସକ କ୍ରୀସନ କୁମାର। ଶ୍ରୀମନ୍ଦିର ଯାଇ ସ୍ନାନ ବେଦୀର ଅନୁଧ୍ୟାନ କଲେ କ୍ରୀସନ କୁମାର।କରୋନାର ଦ୍ୱିତୀୟ ଲହର ସତ୍ତ୍ୱେ ରଥ ନିର୍ମାଣ ତ୍ୱରାନ୍ୱିତ ହୋଇଛି।ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି କ୍ରୀସନ କୁମାର।
ରଜ ଉତ୍ସବ ରେ କିଛି ମୁହୂର୍ତ୍ତ ଗୁରୁଜନ ଓ ପରିବାର ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ
|
ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ଗଣପର୍ବ ପବିତ୍ର ରଜପର୍ବ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ, ଆମ ଗୈାରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମସ୍ତଙ୍କ ମନରେ ଆନନ୍ଦ, ଉଲ୍ଲାସ ଓ ଉତ୍ସାହ ଭାରିଦେଉ କାମନା କରି ରଜ ସଂକ୍ରାନ୍ତି ରେ ପ୍ରତିବର୍ଷ ଭଳି, ଆଜି ମଧ୍ୟ ' କିଛି ମୁହୂର୍ତ୍ତ ଗୁରୁଜନ ଓ ପରିବାର ସହିତ" .. ଗୁଗଲ ମିଟ ରେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି।
ପ୍ରଥମେ ଡ. ଆରତୀ କର "ରଜ ଉତ୍ସବ" କିପରି ଓଡ଼ିଶା ରେ ପାଳନ କରାଯାଏ ଓ କି କି ଗୀତ ଗାନ କରାଯାଏ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଶୁଭେଛା ଜଣାଇ ଥିଲେ। ପରେ ପରେ ଡ. ହର ପ୍ରସନ୍ନ ଦାସ ତାଙ୍କର ଅଭିଭାଷଣ ରଖିଥିଲେ। କିପରି ଆଚରଣ ଓ ଉଚ୍ଚାରଣ ଦ୍ଵାରା ଭଲ ମଣିଷ ଗଢ଼ିହେବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ନିଜେ ନିଜର ଆତ୍ମ ସମୀକ୍ଷା କରିବ ଦରକାର, ବୋଲି ମତ ପ୍ରକାଶ କରିଥିଲେ। ସବୁ ସମୟରେ ସକାରାତ୍ମକ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନିଜେ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ କଳାକାର ଦାମୋଦର ସେନାପତି ପ୍ରଥମରୁ "ମା ତୁମେ ଜଗତ ର ସାହା ଭରଷା" ଗାଈ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ, ଆଲୋଚନାରେ ସମାଜ ସେବା ଅନୁଷ୍ଠାନ ପକ୍ଷରୁ କର୍ମକର୍ତ୍ତା ଯୋଗ ଦେଇଥିଲେ, ମଡେଲ ଅମ୍ଳାନ ମହାନ୍ତି, ରାଉରକେଲା ରୁ ପ୍ରସିଦ୍ଧ ଗାୟିକା ସ୍ୱର୍ଣଲତା ମହନ୍ତ, ମଧ୍ୟ ଯୋଗ ଦେଇ ମା ଙ୍କ ଭଜନ ପରିବେଷଣ କରିଥିଲେ,ଭୁବନେଶ୍ୱର ରୁ ସ୍ୱର୍ଣଲତା ପାଣି, ଶ୍ୱେତପଦ୍ମା ହରିଚନ୍ଦନ, ମିନତି ହରିଚନ୍ଦନ, ସିତାଂଶୁ ରାଉତ, ସନ୍ତୋଷ ପରିଡ଼ା, ତନୁଶ୍ରି ଜେନା, ସୁଜାତା କର, ସୁଭଲକ୍ଷ୍ମି ଓଝା, ସନ୍ଦୀପ କୁମାର ପ୍ରମୁଖ ଯୋଗ ଦେଇ ସଙ୍ଗୀତ ଗାନ କରି ଥିଲେ, ଦାମୋଦର ସେନାପତି ଙ୍କ "କମଳ ଦେଶର ରାଜ କୁମାର" ଗୀତ ସମସ୍ତଙ୍କୁ ଭଲଲାଗିଥିଲା, ଓଡ଼ିଆ ଆଧୁନିକ ଗୀତ ,ଭଜନ ଓ ରଜ ଉତ୍ସବ ର "ବନସ୍ତେ ଡାକିଲା ଗଜ".. ଅନ୍ୟାନ୍ୟ ଗୀତ ଗୁଡ଼ିକ ଅତି ଉଚ୍ଚକୋଟି ର ହୋଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀ ନାରାୟଣ ମହାପାତ୍ର, ଆଦର୍ଶ ପଟ୍ଟନାୟକ ଓ ରାହୁଲ ପଲେଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଶାଶ୍ଵତୀ ମିଶ୍ର, ପ୍ରଭାତୀ କର, ମନୋରଞ୍ଜନ ଜେନା, ଈ ଦିଲ୍ଲୀପ ପଟନାୟକ,ଉମାନାଥ ମିଶ୍ର, ମନୋଜ କୁମାର ରାଉଳ, ରଞ୍ଜନ ସାମଲ, ଦିବ୍ୟଜ୍ୟୋତି ମହାପାତ୍ର, ବିପିନ ବିହାରୀ ସାହୁ, ଶ୍ରୀନିବାସ ରାଓ, ଲଲିତ ଖୁଣ୍ଟିଆ, ଦେବାଶିଷ ଦାସ, ଶରତ ବେହେରା, ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଯୋଗଦାନ କରିଥିଲେ, ଶେଷରେ ସ୍ୱର୍ଣଲତା ପାଣି ରଜ ଉତ୍ସବ ର ପ୍ରସିଦ୍ଧ ଗୀତ "ରଜଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ".. ଗାନ କରିଥିଲେ, ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା। |
ଟୀକା ନେଲେ ଓଡ଼ିଶାର ପ୍ରଥମ କରୋନା ରୋଗୀ
ଭୁବନେଶ୍ୱର: ଆଜି ଟୀକା ନେଇଛନ୍ତି ଓଡ଼ିଶାର ପ୍ରଥମ କରୋନା ରୋଗୀ। କୋଭାକ୍ସିନ ର ପ୍ରଥମ ଡୋଜ ନେଲେ ଦେବାଶିଷ ଶ୍ରୀଚନ୍ଦନ। ଟୀକା ନେଲା ପରେ ସେ କହିଛନ୍ତି ଯେ ଗୁଜବରେ ବିଶ୍ୱାସ ନ କରି ସମସ୍ତେ ଟୀକା ନିଅନ୍ତୁ ଓ ରାଜ୍ୟ ସରକାରଙ୍କୁ କରୋନା ବିରୋଧୀ ଲଢ଼େଇରେ ସହଯୋଗ କରନ୍ତୁ।
ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଉଛନ୍ତି ପ୍ରଭାସିନୀ
ଭୁବନେଶ୍ୱର: ଓଡ଼ିଶାର କନ୍ଧମାଳ ଜିଲ୍ଲାର ପ୍ରଭାସିନୀ ଝରଣା, ନାଳ ଅତିକ୍ରମ କରି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଆଦିବାସୀଙ୍କ ସୁବିଧା ସୁନିଶ୍ଚିତ କରିଛନ୍ତି। ସେ ମଧ୍ୟ ପୃଷ୍ଟିହୀନତା ମୁକ୍ତ ଗ୍ରାମ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି ଯାହା 21000 ରୁ ଅଧିକ ଗ୍ରାମବାସୀଙ୍କୁ ପ୍ରଭାବିତ କରିଛି। ଆମ ରାଜ୍ୟର କନ୍ଧମାଳ ଜିଲ୍ଲାରେ ଆଦିବାସୀମାନେ ମୁଖ୍ୟତଃ ପାହାଡିଆ ଏବଂ ଜଙ୍ଗଲରେ ବାସ କରନ୍ତି ଯେଉଁଠି ରାସ୍ତା ଏବଂ ଟେଲିଫୋନ ସଂଯୋଗ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଯାହାକି ସେମାନଙ୍କୁ ସ୍ବାସ୍ଥ୍ୟ ସେବା ପାଇବାରେ ଏକ ପ୍ରତିବନ୍ଧକ ହୋଇଥାଏ। ଏଭଳି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ରେ କାର୍ଯ୍ୟ କରି ଚର୍ଚା କୁ ଆସିଛନ୍ତି ଜିଲ୍ଲାର ତୁମୁଡିବନ୍ଧ ଅଞ୍ଚଳର ଝିଅ ପ୍ରଭାସିନୀ ଵଟକର। ପ୍ରଭାସିନୀ ଜାଣିଥିଲେ ଯେ ଏହି କ୍ଷେତ୍ରରେ କାମ କରିବା ତାଙ୍କ ପାଇଁ କଠିନ ହେବ। କାରଣ ଏହି ସବୁ ଅଞ୍ଚଳରେ ପରିବହନ ସେବା ଅତ୍ୟନ୍ତ ସୀମିତ। ଏହା ସାଙ୍ଗକୁ ଆଦିବାସୀ ସମ୍ପ୍ରଦାୟଗୁଡିକ ସାମାଜିକ-ସାଂସ୍କୃତିକ ନିୟମ ଏବଂ ପାରମ୍ପରିକ ଅଭ୍ୟାସ ମଧ୍ୟ ଏକ ଚିନ୍ତାର କାରଣ କାହିଁକିନା ସେମାନେ ସହଜରେ ବାହାରର ଜିନିଷ ଅନୁସରଣ କରନ୍ତି ନାହିଁ। କିନ୍ତୁ ସେ ଏଥିପ୍ରତି ଚିନ୍ତିତ ନଥିଲେ ଏବଂ ଆବଶ୍ୟକ କରୁଥିବା ଲୋକଙ୍କୁ ଧ୍ୟାନରେ ରଖି ତାଙ୍କର ସେବା ବିସ୍ତାର କରିଥିଲେ। ସେ କୁହନ୍ତି ପୃଷ୍ଟିହୀନତା ସେମାନଙ୍କ ପାଇଁ ସମସ୍ତ ସ୍ୱାସ୍ଥ୍ୟ ସମସ୍ୟାର ମୂଳ କାରଣ ଏବଂ ସ୍ବାସ୍ଥ୍ୟ ସୁବିଧା ପାଇବାର ଅସମାନତା ମଧ୍ୟ ମାତୃ ଓ ଶିଶୁ ମୃତ୍ୟୁ ହାରରେ ବୃଦ୍ଧି କରିଥାଏ। ତେଣୁ ମୁଁ ଯୋଗଦେବା ପରଠାରୁ ,ମୁଁ ଏହି ଲୋକମନଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରିଥିଲି ଯାହାଦ୍ୱାରା ସେମାନଙ୍କୁ ନିଜ ଗାଁ ରେ ମୌଳିକ ସ୍ୱାସ୍ଥ୍ୟସେବା ମିଳିପାରିବ। ୨୦୧୮ ମସିହାରେ ପ୍ରଭାସିନୀ ସ୍ଥାନୀୟ ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ରେ ଜନସାଥୀ ଭାବେ ନିଜର କାମ ଆରମ୍ଭ କରିଥିଲେ। କିନ୍ତୁ ତିନିମାସ କାମ କରିବା ପରେ ସେ ସଂଗଠନର ପୃଷ୍ଟିହୀନତା ମୁକ୍ତ ଗ୍ରାମ ପ୍ରକଳ୍ପ ରେ କାର୍ଯ୍ୟ କରିବାକୁ ଆଗ୍ରହ ଦେଖାଇଥିଲେ। ସେବେଠାରୁ ସେ ସ୍ୱାସ୍ଥ୍ୟ କୀଟ କାର୍ଯ୍ୟକ୍ରମ ଅଧୀନରେ ଏକ ସ୍ୱାସ୍ଥ୍ୟ କର୍ମୀ ଭାବରେ କାର୍ଯ୍ୟ କରିଆସୁଛନ୍ତି ଏବଂ ଲୋକ ମାନଙ୍କୁ କେମିତି ନିଜ ଗାଁରେ ମୌଳିକ ସ୍ୱାସ୍ଥ୍ୟ ସେବା ପହଞ୍ଚାଯାଇପାରିବା,ସେଥିପାଇଁ ଅବିରତ ଉଦ୍ୟମ କରୁଛନ୍ତି।ଏହା ସହିତ ସ୍ୱାସ୍ଥ୍ୟ ସମ୍ପର୍କୀତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ ଏବଂ ସୁବିଧା ସୁଯୋଗ ସମ୍ପର୍କରେ ଗ୍ରାମବାସୀ ଙ୍କୁ ସଚେତନ କରୁଛନ୍ତି। ତାଙ୍କ ଅଧୀନରେ ତୁମୁଡିବନ୍ଧ ବ୍ଲକ୍ ର ବିଭିନ୍ନ ଗାଁ ରେ ୭୬ଜଣ ପୁରୁଷ ଏବଂ ୩୭ଜଣ ମହିଳା ସ୍ୱାସ୍ଥ୍ୟ ସାଥୀଙ୍କ କାର୍ଯ୍ୟ କାମ କରୁଛନ୍ତି। ରାସ୍ତାଘାଟ ଠିକ ନଥିବାରୁ ବର୍ଷା ଋତୁରେ ତାଙ୍କୁ ଏହି ଗ୍ରାମଗୁଡିକରେ ପହଞ୍ଚିବା ପାଇଁ ନାଳ,ଝରଣା ମଧ୍ୟ ଅତିକ୍ରମ କରିବାକୁ ପଡେ। ପ୍ରଭାସିନୀଙ୍କ କାର୍ଯ୍ୟ ଏତିକିରେ ସୀମିତ ନୁହେଁ। ସେ ଲୋକ ମାନଙ୍କୁ ବାଲ୍ୟ ବିଭାହର ଖରାପ ପ୍ରଭାବ, ମାସିକ ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଅନ୍ତି ଏବଂ ଏହି ପରିବାରର ସନ୍ତୁଳିତ ପୃଷ୍ଟିକର ଆବଶ୍ୟକତା ପୂରଣ କରିବା ପାଇଁ ଲୋକଙ୍କୁ କିଚେନ ଗାର୍ଡେନ କରିବା ପାଇଁ ପ୍ରୋସ୍ଥାହିତ କରନ୍ତି।
ରାୟଗଡ଼ାରେ ଘର ଭାଙ୍ଗିଲେ ହାତୀ
ରାୟଗଡ଼ା: ରାୟଗଡ଼ା ମୁନିଗୁଡ଼ା ରେଞ୍ଜ ରଜୁଲୁଗୁଡ଼ା ଓ ଗଣ୍ଡାଗୁଡ଼ା ଗାଁରେ ହାତୀ ଆତଙ୍କ। ଦୁଇଟି ଘର ଭାଙ୍ଗିଲେ ୩ ଟି ଦନ୍ତା ହାତୀ ସହ ୧୩ ଟି ହାତୀପଲ। ଗାଁ ନିକଟରେ ସୋଲାର ପ୍ଲେଟ, କଦଳୀ ଓ ସପୁରୀ ଗଛ ମଧ୍ୟ ନଷ୍ଟ କରିଛନ୍ତି ହାତୀପଲ। ପରେ ନିୟମଗିରି ପାହାଡ଼କୁ ହାତୀପଲ ଚାଲିଯାଇଥିବା ଜଣାପଡ଼ିଛି।
