ଘନ କୁହୁଡ଼ି ପାଇଁ ସିରିଜ ଦୁର୍ଘଟଣା
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସିରିଜ ଦୁର୍ଘଟଣା ଘଟିଛି। ୪ଟି ଟ୍ରକ ମଧ୍ୟରେ ସିରିଜ ଦୁର୍ଘଟଣାରେ ୩ ଜଣ ଡ୍ରାଇଭର ଆହତ ହୋଇଛନ୍ତି। କାମାକ୍ଷାନଗର ଜାତୀୟ ରାଜପଥ-୫୩ ମାଳପୁରା ଓଭରବ୍ରିଜରେ ଦୁର୍ଘଟଣା ଘଟିଛି।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସିରିଜ ଦୁର୍ଘଟଣା ଘଟିଛି। ୪ଟି ଟ୍ରକ ମଧ୍ୟରେ ସିରିଜ ଦୁର୍ଘଟଣାରେ ୩ ଜଣ ଡ୍ରାଇଭର ଆହତ ହୋଇଛନ୍ତି। କାମାକ୍ଷାନଗର ଜାତୀୟ ରାଜପଥ-୫୩ ମାଳପୁରା ଓଭରବ୍ରିଜରେ ଦୁର୍ଘଟଣା ଘଟିଛି।
ଭୁବନେଶ୍ବର: ଏକ୍ସ୍ଆଇଏମ୍ ୟୁନିଭର୍ସିଟି, ଭୁବନେଶ୍ୱର ପକ୍ଷରୁ ଆଡଭେଣ୍ଟ ଇଣ୍ଟରନ୍ୟାସନଲ୍ ର ଅପରେଟିଂ ପାର୍ଟନର ତଥା ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟ ଶ୍ରୀ ଡି. ଶିବକୁମାରଙ୍କୁ ୨୨ ଡିସେମ୍ବର ୨୦୨୫ ମେନ୍ ଅଡିଟୋରୀଅମ ରେ ଆତିଥ୍ୟୟ କରାଯାଇଥିଲା। ଏହି ଆଲୋଚନା ଶ୍ରୀ ଶିବକୁମାରଙ୍କ ପୁସ୍ତକ ‘ଦି ସିଇଓ ମାଇଣ୍ଡସେଟ୍: ଡେଭେଲପିଂ ଲିଡର୍ସିପ୍ ହ୍ୟାବିଟ୍ସ୍ ଆଣ୍ଡ୍ ମେଣ୍ଟାଲ୍ ମଡେଲ୍ସ୍ ଫର୍ ସକ୍ସେସ୍’ ଉପରେ କେନ୍ଦ୍ରିତ ଥିଲା। ଜଣେ ଭଲ ସିଇଓ ହେବା ପାଇଁ ଜଣେ ଭଲ ଛାତ୍ର ହେବା କିଭଳି ପ୍ରାସଙ୍ଗିକ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହା ପରେ ଏକ ସଂଳାପମୂଳକ ସତ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ଶ୍ରୀ ଶିବକୁମାରଙ୍କ ସହ ସକ୍ରିୟ ଭାବେ ବ୍ୟାକୁଳତାକୁ ପରିଚାଳନା କରିବା ଏବଂ ଜଣେ ସିଇଓଙ୍କ ଜୀବନର ଏକ ସାଧାରଣ ଦିନ କିପରି ଦେଖାୟାଏ ତାହା ବୁଝିଥିଲେ। ନିଜର ବୃତ୍ତିଗତ ଯାତ୍ରାକୁ ଦର୍ଶାଇ ସେ ବାସ୍ତବ ଦୁନିଆର ଅନ୍ତର୍ଦୃଷ୍ଟି ଏବଂ ଅର୍ଥପୂର୍ଣ୍ଣ ମାର୍ଗଦର୍ଶନ ପ୍ରଦାନ କରିଥିଲେ ଯାହା ଶ୍ରୋତାଗଣଙ୍କ ସହ ଦୃଢ଼ ଭାବରେ ପ୍ରତିଧ୍ୱନିତ ହୋଇଥିଲା। ତାଙ୍କର ଖୋଲାପଣ ଏବଂ ସ୍ୱଚ୍ଛତା ଛାତ୍ର ମନୋବଳକୁ ବୃଦ୍ଧି କରିଥିଲା ଏବଂ ଚିନ୍ତାଶୀଳ ଏବଂ ମୂଲ୍ୟବୋଧ ପରିଚାଳିତ ନେତୃତ୍ୱର ଗୁରୁତ୍ୱକୁ ଦୃଢ଼ କରିଥିଲା। ଶ୍ରୀ ଶିବକୁମାର ଆଦିତ୍ୟ ବିର୍ଲା ଗ୍ରୁପ୍, ପେପ୍ସିକୋ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ ଏବଂ ନୋକିଆ ଉଦୀୟମାନ ବଜାରର ଭାରତ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ସମେତ ବିଭିନ୍ନ ପ୍ରମୁଖ ସଙ୍ଗଠନରେ ବରିଷ୍ଠ ନେତୃତ୍ୱ ଦାୟିତ୍ୱ ତୁଲାଇଛନ୍ତି। ଜଣେ ମ୍ୟାନେଜମେଣ୍ଟ ଚିନ୍ତକ, ଲେଖକ ଏବଂ ପରାମର୍ଶଦାତା ଭାବେ ସେ ଜଣାଶୁଣା। ଭାଇସ୍ ଚ୍ୟାନ୍ସେଲର୍ ଡ. ଫାଦର୍ କେ.ଏସ୍ କାସିମିର୍ ଏସଜେ ଏବଂ ରେଜିଷ୍ଟ୍ରାର ଫାଦର ଏସ୍. ଆଣ୍ଟୋନି ରାଜ୍ ଏସଜେଙ୍କ ସମ୍ବର୍ଦ୍ଧନ ରେ ଏହି କାର୍ୟ୍ୟକ୍ରମ ଶେଷ ହୋଇଥିଲା।
ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ଟି ନୂଆ ୧୦୮- ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଏଥିରେ ୪୧୯ ଟି ପୁରୁଣା ଆମ୍ବୁଲାନ୍ସ, ୨ ଟି ଦୁର୍ଘଟଣା ରେ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ଏହା ବ୍ୟତୀତ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିମାନବନ୍ଦର/ଏୟାରସ୍ଟ୍ରିପ୍ରେ ବ୍ୟବହାର ପାଇଁ ୫ ଟି ALS ଆମ୍ବୁଲାନ୍ସ ଏବଂ ଝାରସୁଗୁଡ଼ା କାର୍ଡିଆକ୍ କେୟାର୍ ହସ୍ପିଟାଲ୍ ପାଇଁ ୨ ଟି ALS ଆମ୍ବୁଲାନ୍ସ ବ୍ୟବହାର କରାଯିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ଦୈନିକ ୫ ହଜାର ରୋଗୀଙ୍କୁ ୧୦୮-ଆମ୍ବୁଲାନ୍ସ ଜରିଆରେ ବିଭିନ୍ନ ହସ୍ପିଟାଲକୁ ନିଆଯାଉଛି। କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟରେ ଜରୁରୀକାଳୀନ ଆମ୍ୱୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଅଛି । ସ୍ୱାସ୍ଥ୍ୟ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆହୁରି ୧୦୮-EMAS ଆମ୍ବୁଲାନ୍ସ କ୍ରୟ କରାଯାଇଛି। ୪୨୮ଟି ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ୧୧୧ କୋଟି ଖର୍ଚ୍ଚ କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ନୂତନ ଜରୁରୀକାଳୀନ ଆମ୍ବୁଲାନ୍ସକୁ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରାଯାଉଛି । ଅବଶିଷ୍ଟ ନୂତନ ଆମ୍ବୁଲାନ୍ସ ଗୁଡିକୁ ଖୁବଶୀଘ୍ର ଆମ୍ବୁଲାନ୍ସ ସେବାରେ ନିୟୋଜିତ କରାଯିବ, ତାସହିତ ପୁରୁଣା Emergency Medical Ambulance Service ବା EMAS ଫ୍ଲିଟ୍କୁ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗୀୟ କମିଶନର ତଥା ସଚିବ ଅଶ୍ୱତୀ ଏସ, ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା, ଓଡ଼ିଶା ଡଃ. ବୃନ୍ଦା ଡି ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ସାଧପାଲ୍ଲୀ ଗାଁ ନିକଟରେ ଟ୍ରାକ୍ଟର୍ ସହ ଧକ୍କା ହେଲା ବସ୍। ଧାନ ବୋଝେଇ ଟ୍ରାକ୍ଟର୍କୁ ପିକ୍ନିକ୍ ବସ୍ ଧକ୍କାରେ ଦେବାରୁ ୨୦ ଜଣ ଆହତ ହୋଇଛନ୍ତି। ଆହତ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା। ବସ୍ଟି ବରଗଡ଼ରୁ ସୋନପୁର ଆସିବା ବେଳେ ଦୁର୍ଘଟଣା ଘଟିଛି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ଵର ଲୋକସେବା ଭବନ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ବୈଠକରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ହିସାବରେ ଏଠାକୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ଆସିଥାନ୍ତି। ଏହି ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ମେଡିକାଲ କଲେଜ ରୂପେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଆବଶ୍ୟକୀୟ ପାର୍କିଂ ସୁବିଧା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରୁ ଜଣାଯାଇଛି ଯେ, ଏସ୍.ସି.ବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲା (G+16) ବିଶିଷ୍ଟ ଏକ ମଲ୍ଟି ଲେଭଲ୍ ପାର୍କିଂ ସୁବିଧା ବିକଶିତ କରାଯିବ। ପାର୍କିଂ ସୁବିଧା ଉଭୟ ଏସ୍.ସି.ବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ ବ୍ୟବହାର କରିପାରିବେ। ଏହି ବିଲ୍ଡିଂରେ ୧୨ ମହଲା ପର୍ଯ୍ୟନ୍ତ ପାର୍କିଂ ସୁବିଧା ଏବଂ ଅବଶିଷ୍ଠ ମହଲା ଗୁଡିକରେ ପ୍ରଶାସନିକ ବ୍ଲକ, ଆନାଟୋମୀ ବ୍ଲକ, ବି. ଫାର୍ମା ଏବଂ ଡି. ଫାର୍ମା କଲେଜ୍ ଇତ୍ୟାଦି କାର୍ଯ୍ୟକ୍ଷମ ହେବ। ଏଥିସହିତ ମେଡିକାଲ ଛାତ୍ର ମାନଙ୍କୁ ଚାପମୁକ୍ତ ରଖିବା ପାଇଁ ଇଣ୍ଡୋର ଗେମ୍, ସୁଇମିଂ ପୁଲ୍ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ସୂଚନାଯୋଗ୍ୟ ଯେ ଜାତୀୟ ଶିକ୍ଷାନୀତି ୨୦୨୦ରେ ପିଲାମାନଙ୍କୁ ଚାପମୁକ୍ତ ରଖିବା ପାଇଁ ବିଭିନ୍ନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏଥି ନିମନ୍ତେ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ସିବି ନିକଟରେ ୧୩ ଗୋଟି ହାଉସିଂ ଟାୱାର କାମ ନିର୍ମାଣଧୀନ ରହିଛି। ଯେଉଁଥିରେ ୬୭୨ଟି ଆବାସିକ ୟୁନିଟ୍ ଓ ୨,୨୪୪ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା କରାଯାଉଛି। ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀ ସବିସ୍ତୃତ ଆଲୋଚନା କରି ଏହାର ନିର୍ମାଣକାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ପୁନଃ ବିକାଶ କାର୍ଯ୍ୟ ଉପରେ ବୈଠକରେ ଆଲୋଚନା ହୋଇଥିଲା। ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ, ଏହାକୁ ପିପିପି ମୋଡ୍ରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ହସ୍ପିଟାଲ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଥିବା କେନ୍ଦ୍ର ସରକାରଙ୍କ ପି.ଏସ୍.ୟୁକୁ ଏକ୍ଷେତ୍ରରେ ପ୍ରାଥମିକତା ଦିଆଯାଉ, ଆବଶ୍ୟକସ୍ଥଳେ ଘରୋଇ କ୍ଷେତ୍ରକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ସେ କହିଥିଲେ। ଏଥି ସହିତ ରାଜ୍ୟର କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ, କୋରାପୁଟ, ବାରିପଦା ଓ ବଲାଙ୍ଗିରରେ ଥିବା ସରକାରୀ ମେଡିକାଲ କଲେଜ୍ କ୍ୟାମ୍ପସ୍ରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ବତୀ ଏସ୍., ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକ ଡ. ବୃନ୍ଦା ଡି ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ବୋରିଗାଁରେ ଫାଟିଲା ଗ୍ୟାସ୍ ସିଲିଣ୍ଡର। ସିଲିଣ୍ଡର ଫାଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଉଛନ୍ତି ବଡ଼ବନ୍ଧ ଗାଁର ପ୍ରଫୁଲ୍ଲ ରାଉତ। ବିସ୍ଫୋରଣରେ ୪ଟି ଘରର ଭାଙ୍ଗିଲା କାନ୍ଥ।
ଭୁବନେଶ୍ୱର: ପୋଲିସ ସହ ସମନ୍ୱୟରେ ଜାନୁଆରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅବକାରୀ ଚଢ଼ାଉ ଅଭିଯାନର ପ୍ରଥମ ଦୁଇ ଦିନରେ ପ୍ରାୟ ୧. ୬୪ କୋଟି ଟଙ୍କା ମୂଲ୍ୟର ଅବୈଧ ମାଦକ ଦ୍ରବ୍ୟ ତଥା ବେଆଇନ ସାମଗ୍ରୀ ଜବତ କରାଯାଇଛି। ନବବର୍ଷ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଅଭିଯାନରେ ୪ଟି NDPS ମାମଲା ସହ ମୋଟ ୩୧୮ ଟି ମାମଲା ରୁଜୁ ହୋଇଛି I ଯେଉଁଥିରେ ୧୩୪ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ମଦ ଓ ନାର୍କୋଟିକ୍ସ ଚୋରା ଚାଲାଣରେ ଘଟଣାରେ ୧୨ ଟି ଗାଡ଼ି ମଧ୍ୟ ଜବତ କରାଯାଇଛି। ବେଆଇନ ମଦ ତିଆରିରେ ବ୍ୟବହୃତ କଞ୍ଚା ମାଲ ଯଥା ୧୮୯୩୨୦ ଲିଟର ଫର୍ମେଣ୍ଟେଡ୍ ୱାଶ, ୮୨୦୦ କିଲୋଗ୍ରାମ ଗୁଡ଼ ୱାଶ ଏବଂ ୮୮୦ କିଲୋଗ୍ରାମ ମହୁଲି ଫୁଲ ଆଦିକୁ ଅଧିକାରୀମାନେ ଜବତ କରିଛନ୍ତି। ଏଥିସହିତ ୧୯୧୭୫ ଲିଟର ବେଆଇନ ଭାବେ ତିଆରି ହୋଇଥିବା ମଦ ଏବଂ ୪୮୫ Duty-paid liquor ମଧ୍ୟ ଜବତ ହୋଇଛି। ନାର୍କୋଟିକ୍ସ ମାମଲାରେ ୩ କିଲୋଗ୍ରାମ ଗଞ୍ଜେଇ ଏବଂ ୧୧୭ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି । ଅବୈଧ ଉତ୍ପାଦନ କେନ୍ଦ୍ର ଓ ବିତରଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ଚଢ଼ାଉ ଦଳ ପକ୍ଷରୁ ସୂଚନା ଦିଆ ଯାଇଛି I