ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଆଜି କେବଳ ଏକ ଦୂରସ୍ଥ ସମସ୍ୟା ନୁହେଁ; ଏହା ଆମ ଦୈନିକ ଜୀବନକୁ—ବିଶେଷକରି ଶିଶୁମାନଙ୍କ ଜୀବନକୁ—ଗଭୀରଭାବେ ପ୍ରଭାବିତ କରୁଛି। ବଢ଼ୁଥିବା ତାପମାନ, ଜଳାଭାବ, ବନ୍ୟା, ଘୂର୍ଣ୍ଣିବାତ୍ୟା ଓ ଜୀବିକାର ଅନିଶ୍ଚିତତାର ପ୍ରଭାବରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ସତ୍ତ୍ୱେ, ସେମାନଙ୍କ ସ୍ୱର ସମାଜରେ ସବୁଠାରୁ କମ୍ ଶୁଣାଯାଉଛି। ତଥାପି, ଶିଶୁମାନେ ଏହି ପରିବର୍ତ୍ତନକୁ ନିକଟରୁ ଅନୁଭବ କରୁଛନ୍ତି ଓ ସଚେତନତା, ସାହସ ଏବଂ ସୃଜନଶୀଳତା ସହିତ ତାହାର ପ୍ରତିକ୍ରିୟା ଦେଉଛନ୍ତି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ସ୍ଟୋରି4ଚେଞ୍ଜ ଓ ଏକ୍ସନଐଡ କର୍ଣାଟକା ପ୍ରୋଜେକ୍ଟସର ମିଳିତ ଆୟୋଜନରେ “ଅପରାଜିତା: ଶିଶୁମାନଙ୍କ ଜଳବାୟୁ କାର୍ଯ୍ୟ ପ୍ରତି ପ୍ରତିକ୍ରିୟା” ଶୀର୍ଷକ କାର୍ଯ୍ୟକ୍ରମ ସମ୍ବଲପୁରର ସଂସ୍କୃତିକ ସମାଜ ଭବନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ରବି ନିୱାସ (CSR Head, Aditya Aluminium, ଲପଙ୍ଗା), ଶ୍ରୀ ପ୍ରଶାନ୍ତ ପାଢ଼ୀ (ଚେୟରପର୍ସନ, CWC, ସମ୍ବଲପୁର), ଶ୍ରୀମତୀ ଶାଲୁ ଚଣ୍ଡେଲ (ପ୍ରଧାନଶିକ୍ଷୟିତ୍ରୀ, RGVM School), ଶ୍ରୀମତୀ ସନ୍ତୋଷିନୀ (ପ୍ରଧାନଶିକ୍ଷୟିତ୍ରୀ, Dream India Public School), ଶ୍ରୀ ସଚିଦାନନ୍ଦ ମିଶ୍ର (ସ୍ଥାପକ, Story4Change) ଓ ଡ଼. ଗୌରୀଦାସ ପଧାନ ଉପସ୍ଥିତ ରହି ଶିଶୁମାନଙ୍କ ସ୍ୱରକୁ ଗୁରୁତ୍ୱ ଦେବା ଓ ଜଳବାୟୁ କାର୍ଯ୍ୟରେ ସେମାନଙ୍କ ନେତୃତ୍ୱକୁ ସ୍ୱୀକୃତି ଦେବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ABCD Charitable Trust ଓ ଡ୍ରିମ ଇଣ୍ଡିଆ ପବ୍ଲିକ୍ ସ୍କୁଲର ସହଯୋଗରେ ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କୁ ଏକ ମଞ୍ଚ ପ୍ରଦାନ କରିଥିଲା, ଯେଉଁଠାରେ ସେମାନେ ଜଳବାୟୁ ପରିବର୍ତ୍ତନ ତାଙ୍କ ଜୀବନକୁ କିପରି ପ୍ରଭାବିତ କରୁଛି ଓ ସେମାନେ କିପରି ସମାଧାନ ଭାବୁଛନ୍ତି, ତାହା ମୁକ୍ତଭାବେ ଅଭିବ୍ୟକ୍ତ କରିପାରିଥିଲେ। ଆୟୋଜକମାନଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପର ଲକ୍ଷ୍ୟ ଶିଶୁମାନଙ୍କୁ କେବଳ ଲାଭାନ୍ବିତ ଭାବେ ନୁହେଁ, ବରଂ ଜଳବାୟୁ କାର୍ଯ୍ୟର ନେତୃତ୍ୱଦାତା ଭାବେ ଶୁଣିବା। କାର୍ଯ୍ୟକ୍ରମର ଶେଷ ଭାଗରେ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯିବା ସହ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ଜଳବାୟୁ ସମ୍ବନ୍ଧୀୟ ଚିତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଷ୍ଟୋରି ଫର୍ ଚେଞ୍ଜ ର ସଦସ୍ୟ ବବିତା, ସୁଜାତା, ରଶ୍ମୀତା, ମସୂଦ, ସୂର୍ଯ୍ୟ ଏବଂ ବିଜୟ ଅନ୍ୟ ଯୁବ ସ୍ୱେଚ୍ଛାସେବୀଙ୍କ ସହିତ ମିଶି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ୧୨ ଟି ବିଦ୍ୟାଳୟରୁ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ଏବଂ ଅଭିଭାବକ ଉପସ୍ଥିତ ଥିଲେ ।