ଜାନୁଆରୀ ୬ରୁ ପକ୍ଷୀ ଗଣନା
ଭୁବନେଶ୍ବର: ଜାନୁଆରୀ ୬ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପକ୍ଷୀ ଗଣନା। ଚିଲିକା, ନଳବନ ଓ ମଙ୍ଗଳାଯୋଡ଼ିରେ ହେବ ଗଣନା। ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ମଧ୍ୟ ହେବ ଗଣନା। ବିଦେଶୀ ପକ୍ଷୀଙ୍କ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ।
ଭୁବନେଶ୍ବର: ଜାନୁଆରୀ ୬ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପକ୍ଷୀ ଗଣନା। ଚିଲିକା, ନଳବନ ଓ ମଙ୍ଗଳାଯୋଡ଼ିରେ ହେବ ଗଣନା। ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ମଧ୍ୟ ହେବ ଗଣନା। ବିଦେଶୀ ପକ୍ଷୀଙ୍କ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ।
ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଇରାଲ୍ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ। ସାମାଜିକ ଗଣମାଧ୍ୟମରେ ଏକ ଆଇଡିରୁ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ କରାଯାଇଛି। ଶ୍ରୀମନ୍ଦିର ଭିତର ଫଟୋ ସହ ବାହାରେ ନିଜ ଫଟୋ ଉଠାଇ କରିଛନ୍ତି ଜଣେ ଯୁବକ ଅପ୍ଲୋଡ୍ କରିଛନ୍ତି। ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି। ଯାଞ୍ଚ ସତ୍ତ୍ୱେ ମୋବାଇଲ କିପରି ଯାଉଛି ଭିତରକୁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମୋର କୋରାପୁଟ ପରବ ଆଣିଛି ସୁନାମାଟିର ଗୌରବ ଏଇ ଆମ ଆଦିବାସୀ ପରମ୍ପରା ଅତୀବ ଅଟଇ ଗର୍ବ ll ପାଇଛି ଆଜି ରାଜ୍ୟସ୍ତର ମାନ୍ୟତା ସାଜିଛି ଅତି ରଙ୍ଗୀନ ଆଦିବାସୀ ସଂସ୍କୃତି ଚିର ବଞ୍ଚିଛି ହୋଇଛି ବହୁ ମହାନ୍ ll ଜମୁଛି ପର୍ଯ୍ୟଟକଙ୍କ ଆଜି ଭିଡ଼ ନିଅନ୍ତି କେତେ ଯେ ମଜା କଳାକାରଙ୍କ ହେଉଅଛି ଉନ୍ନତି ହୋଇଲେଣି ସାଜ ସଜା ll ପରବ ପଡିଆ ଝୁରୁଅଛି ଆଜି କୋରାପୁଟିଆଙ୍କ ମନ ଗହଣା,ଶିଳ୍ପ, ଫାଷ୍ଟ ଫୁଡ୍ ସେଣ୍ଟର୍ ଆଣେ ବହୁ ଆକର୍ଷଣ ll ଏଇ ପରବ ଚାଲେ ୧୮ ରୁ ୨୨ ଏଇ ଜଙ୍ଗଲୀ ଉତ୍ସବ ପ୍ରତି ବର୍ଷ ହୁଏ ଏଇ କଳେବର ଆଦାନ ହୁଅଇ ଭାବ ll ତ୍ରିନାଥ ପଟ୍ଟନାୟକ ଯୁବ ଇଂରାଜୀ ଅଧ୍ୟାପକ ତଥା କବି *ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍* ଜିଲ୍ଲା: କୋରାପୁଟ ମୋ:୮୯୧୭୩୧୯୩୭୭
ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ବାସୀ ଦୀର୍ଘ ଦିନଧରି ଦାବୀ କରିବା ପରେ ରାଜ୍ୟ ସରକାର ତାହାକୁ ପୂରଣ କରି ପବିତ୍ର ଧନୁ ସଂକ୍ରାନ୍ତି ଠାରୁ ବାଲିଗୁଡ଼ା ଠାରୁ ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସର ଶୁଭାରମ୍ଭ କରିଛନ୍ତି l ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ରାଜ୍ୟ ସରକାର ପ୍ରଥମେ କାର୍ତ୍ତିକ ମାସ ଆରମ୍ଭ ରୁ ଫୁଲବାଣୀ ଠାରୁ ପୁରୀ ଚଳାଚଳ କରୁଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସ୍ କୁ ବାଲିଗୁଡ଼ା ଯାଏ ସଂପ୍ରସାରଣ କରାଯାଇ ଏହା ମଙ୍ଗଳବାର ଠାରୁ ନିୟମିତ ବିଧବଦ୍ଧ ଭାବେ ବସ୍ ଚଳାଚଳ କରିଛି l ଏହି ବସ୍ ବାଲିଗୁଡ଼ା ଠାରୁ ରାତି ୦୯ ଟା ୩୦ ମି. ରେ ଆଗମନ କରି ଭାୟା-ଫୁଲବାଣୀ, ଚାରିଛକ, ନୟାଗଡ଼, ଦଶପଲ୍ଲା, ଭୁବନେଶ୍ୱର ଦେଇ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଭୋର ୦୫ :୦୦ ସମୟରେ ପହଞ୍ଚିବ l ଠିକ ସେହିପରି ପୁରୀରୁ ଛାଡ଼ିବା ସମୟ ରାତି ୦୮:୩୦ ଭୁବନେଶ୍ବରରୁ ଛାଡ଼ିବା ସମୟ ରାତି ୧୦:୦୦ ଭାୟା ଫୁଲବାଣୀ ଦେଇ ବାଲିଗୁଡ଼ା ରେ ଭୋର ୫ ଟା ରେ ପହଞ୍ଚିବ l ଏଥିରେ ବାଲିଗୁଡା ଠାରୁ ପୁରୀ କୁ ପୁରୁଷ ଯାତ୍ରୀଙ୍କ ପାଇଁ ଜଣକ ପିଛା ଟିକଟ ର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ମହିଳା ଯାତ୍ରୀ ଙ୍କ ପାଇଁ ରିହାତି ରେ ୪୦୦ ଟଙ୍କା ରହିଛି, ଏଣୁ ଏହାର ସୁଯୋଗ ନେବା ପାଇଁ ସ୍ଥାନୀୟ ସରକାରୀ ଟିକଟ କାଉଣ୍ଟର କର୍ମଚାରୀ ପ୍ରକାଶ କରିଛନ୍ତି l ଶ୍ରୀ ଜଗନ୍ନାଥ ଧାମ ପୁରୀ କୁ ଏକ ସରକାରୀ ଭଲଭୋ ବସ ର ଶୁଭାରମ୍ଭ କରି ଥିବାରୁ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି l
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ବହି କିଣିବା ପାଇଁ ପୁସ୍ତକପ୍ରେମୀଙ୍କ ଭିଡ଼ ଜମୁଥିବା ବେଳେ ଷ୍ଟଡ଼ି ଟୁରରେ ପୁସ୍ତକ ମହୋତ୍ସବକୁ ବୁଲିବାକୁ ଆସୁଛନ୍ତି ଛାତ୍ରଛାତ୍ରୀ। ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ଏହି ଷ୍ଟଡ଼ି ଟୁରର ଆୟୋଜନ କରାଯାଉଛି। ଆଜି ଯାଜପୁର ସ୍ଥିତ ପ୍ରୟାସ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଷ୍ଟଡ଼ିଟୁରରେ ପୁସ୍ତକ ମହୋତ୍ସବ ବୁଲିବାକୁ ଆସି ବିଭିନ୍ନ ବହି କିଣିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ଲୌହମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜୀବନୀକୁ ଆଧାର କରି ନିର୍ମିତ ହୋଇଥିବା ପାଭିଲିୟନ ବୁଲି ଦେଖିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ପିତା ପ୍ରଧାନ କହିଛନ୍ତି ଯେ, ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ହେଉଛି ଓଡ଼ିଶାର ସର୍ବବୃହତ ପୁସ୍ତକ ମହୋତ୍ସବ। ବିଦ୍ୟାଳୟର ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି ସବୁ ଲେଖକମାନଙ୍କର ଗଳ୍ପ, କବିତା, ଉପନ୍ୟାସ ପୁସ୍ତକ ଏଠାରେ ଉପଲବ୍ଧ ହେଉଛି।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୁସ୍ତକ ପଠନର ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରେ ସୃଜନାତ୍ମକ କଳାର ବିକାଶ କରିବା ନିମନ୍ତେ ବିଦ୍ୟାଳୟ ପକ୍ଷରୁ ଏହି ଷ୍ଟଡ଼ି ଟୁରର ଆୟୋଜନ କରାଯାଇଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିଛି। ଅପର ପକ୍ଷରେ ଧାର୍ମିକ ପୁସ୍ତକ କିଣିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ଗୀତାପ୍ରେସ ଗୋରଖପୁର ଦ୍ୱାରା ନିର୍ମିତ ହୋଇଥିବା ଷ୍ଟଲରେ ବୟୋଜ୍ୟୋଷ୍ଠ ପାଠକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳୁଛି। ଶ୍ରୀ ମନ୍ଦିର ପ୍ରଶାସନ ଷ୍ଟଲରେ "ଶ୍ରୀମନ୍ଦିର" ପତ୍ରିକାକୁ ପାଠକମାନେ ବେଶ୍ ପସନ୍ଦ କରୁଛନ୍ତି। ଏଥିସହ ପାଠକମାନେ "ଶ୍ରୀ ଜଗନ୍ନାଥ", "ଶ୍ରୀ ରୁଦ୍ରଚଣ୍ଡୀ", "ନୀତି ପରମ୍ପରାରେ ଶ୍ରୀ ମନ୍ଦିର", "ମହାପ୍ରଭୁଙ୍କ ବସ୍ତ୍ର ବୈଭବ", "ଅମୃତ ଅନୁଭବ" ଆଦି ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପୁସ୍ତକ କିଣୁଛନ୍ତି। ସେହିପରି ଭାବେ ଗୀତା ପ୍ରେସ, ଗୋରଖପୁର ଷ୍ଟଲରେ "ଶ୍ରୀମଦ ଭାଗବତ ଗୀତା", "ବାଲ୍ମୀକି ରାମାୟଣ", "ଶିବ ପୁରାଣ", "ରାମଚରିତ ମାନସ", "ଶ୍ରୀ ଭକ୍ତି ଚରିତାମୃତ" ଆଦି ଗ୍ରନ୍ଥ ପୁସ୍ତକ କିଣିବା ପାଇଁ ପାଠକମାନଙ୍କର ଭିଡ଼ ଦେଖିବାକୁ ମିଳୁଛି। ପ୍ରକାଶଯୋଗ୍ୟ ଯେ, ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଡିସେମ୍ବର ୬ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯାଉଛି। ଚଳିତ ଥର ୫୫୦ଟି ଷ୍ଟଲ ନିର୍ମାଣ ହେବା ସହ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ପୁସ୍ତକ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି।
ଭୁବନେଶ୍ବର: ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ପୁରୀକୁ ଆସିବାର ସମ୍ଭାବନା ରହିଛି । ଭକ୍ତଙ୍କ ସୁରକ୍ଷା, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁସମନ୍ୱୟ ଓ ସୁପରିଚାଳନା ଉପରେ ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ବୈଠକରେ ଗୁରୁତ୍ବାରୋପ କରିଥିଲେ । ଶ୍ରୀ ମନ୍ଦିର ପରିସର ମଧ୍ୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ସୁନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା, ସମୁଦ୍ର କୂଳରେ ପାଟ୍ରୋଲିଂ, ଗୁରୁତ୍ଵପୂର୍ଣ୍ଣ ଛକମାନଙ୍କରେ ସିସିଟିଭି ସ୍ଥାପନ, ହୋଟେଲ ଓ ଲଜ ଗୁଡିକରେ କଡା କଡ଼ି ଚେକିଂ ଭଳି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ବରିଷ୍ଠ ଅଧିକାରୀଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବା, ଭକ୍ତମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ ଏବଂ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ନବବର୍ଷ ପାଳନ ଅବସରରେ ପୁରୀରେ ସୁରକ୍ଷିତ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ନକ୍ସଲ ବିରୋଧୀ ଅଭିଯାନ) ଶ୍ରୀ ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଭୁବନେଶ୍ବର-କଟକ ପୋଲିସ କମିଶନର, ଶ୍ରୀ ଏସ.ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର ) ଶ୍ରୀ ରାଜେଶ କୁମାର, ଡିଆଇଜି(କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ ନାଏକ, ଡିସିପି ଭୁବନେଶ୍ୱର, ଶ୍ରୀ ଜଗ ମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ । ଆଭାସୀ ମାଧ୍ୟମରେ ଡିଆଇଜି(ପୂର୍ବାଞ୍ଚଳ) ଶ୍ରୀ ପିନାକ ମିଶ୍ର, ପୁରୀ ଏସପି ଶ୍ରୀ ପ୍ରତୀକ ସିଂ, କଟକ ଏସପି(ଗ୍ରାମାଞ୍ଚଳ) ଶ୍ରୀ ବିନିଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱର : ଗୁଣାତ୍ମକ ଔଷଧ ଉତ୍ପାଦନ ଏବଂ ଚିକିତ୍ସା ପାଇଁ ଉନ୍ନତ ମାନର ଡ଼ିଭାଇସ ପ୍ରସ୍ତୁତ କରି ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଫାର୍ମା କେନ୍ଦ୍ର ଭାବରେ ଉଭା ହେବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ତାଜ ଭିଭାନ୍ତା ଠାରେ ଆୟୋଜିତ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫କୁ ସମ୍ବୋଧନ କରି କହିଛନ୍ତି। ସୂଚନା ଯୋଗ୍ୟଯେ ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମୁଦାୟ ୬,୨୬୩ କୋଟି ଟଙ୍କାର ୪୫ଟି ବୁଝାମଣା ପତ୍ର (MoU ) ସ୍ଵାକ୍ଷରିତ ହୋଇଛି, ଯାହା ରାଜ୍ୟରେ ସମୁଦାୟ ୩୮,୪୦୬ ନିଯୁକ୍ତି ସୃଷ୍ଟି କରିବ। ସେଥି ମଧ୍ୟରୁ ଫର୍ମାସ୍ୟୁଟିକାଲସ ପାଇଁ ୩୨ଟି ବୁଝାମଣାପତ୍ର, ମେଡିକାଲ ଉପକରଣ ପାଇଁ ୧୨ଟି ବୁଝାମଣାପତ୍ର ଏବଂ ଏକ ଲ୍ୟାଣ୍ଡମାର୍କ ଶିଳ୍ପ ପାର୍କ ପ୍ରସ୍ତାବ ପାଇଁ ଆଉ ଗୋଟିଏ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ (Odisha Pharmaceutical and Medical Devices Policy 2025) ର ଶୁଭାରମ୍ଭ କରିବା ସହିତ ଖୋର୍ଦ୍ଧା ଠାରେ ଗୋଟିଏ ଉତ୍ସର୍ଗୀକୃତ ଫାର୍ମା ପାର୍କ ତଥା ଏକ ମେଡିକାଲ ଡ଼ିଭାଇସେସ୍ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ନିବେଶକ ମାନଙ୍କର ପ୍ରଥମ ପସନ୍ଦର ରାଜ୍ୟ କରିବାକୁ ସରକାର ସମସ୍ତ ପ୍ରକାର ଆବଶ୍ୟକତାକୁ ପୂରଣ କରୁଛନ୍ତି। ଏଥିସହିତ ରାଜ୍ୟରେ ଅଣ ପାରମ୍ପରିକ ଉଦ୍ୟୋଗକୁ ମଧ୍ୟ ବିକାଶ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ବର୍ତ୍ତମାନ ପୁଞ୍ଜି ନିବେଶ ପାଇଁ ଦେଶର ସବୁଠାରୁ ଉତ୍କୃଷ୍ଟ ରାଜ୍ୟ ମଧ୍ୟରୁ ଗୋଟିଏ। ଆମର ଶିଳ୍ପ ଇକୋସିଷ୍ଟମ ଦେଶର ସର୍ବୋତ୍ତମ ପରିବେଶ ମଧ୍ୟରେ ଅନ୍ୟତମ। ଅନ୍ୟାନ୍ୟ ଶିଳ୍ପ ସହିତ ଔଷଧ ଉତ୍ପାଦନରେ ମଧ୍ୟ ଓଡିଶାକୁ ଏକ ପ୍ରମୁଖ କେନ୍ଦ୍ର କରିବା ଆମର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଧାତୁ, ଖଣିଜ ଏବଂ ରାସାୟନିକ କ୍ଷେତ୍ର ଗୁଡିକ ହେଉଛି ଆମ ଓଡିଶାରେ ଶିଳ୍ପର ବ୍ୟାକବୋନ୍। କିନ୍ତୁ ରାଜ୍ୟର ସମ୍ବଳକୁ ଲୋକାଭିମୁଖୀ କରିବା ପାଇଁ, ଆମକୁ ଆହୁରି ଆଗକୁ ଯିବାକୁ ପଡିବ। ତେଣୁ ଆମେ ଭିତ୍ତିଭୂମି, ନବସୃଜନ ଶକ୍ତି ଓ ଜ୍ଞାନଭିତ୍ତିକ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ ଦେଇଛୁ। ଗତ ଦେଢ ବର୍ଷ ଭିତରେ ରାଜ୍ୟରେ ଶିଳ୍ପର ବ୍ୟାପକ ବିବିଧକରଣ ହୋଇଛି। ଓଡିଶାରେ କେମିକାଲ୍ସ, ପେଟ୍ରୋକେମିକାଲ୍ସ, ଗ୍ରୀନ ଏନର୍ଜି, ଫିନଟେକ୍, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ବୟନଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶ ଆସିଛି। ଆଜି ଠାରୁ ଫାର୍ମା କ୍ଷେତ୍ରରେ ମଧ୍ୟ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଶିଳ୍ପ, ସମଗ୍ର ବିଶ୍ୱର ଶିଳ୍ପ ସହିତ ଯୋଡି ହେଉ, ଏବଂ ସମଗ୍ର ବିଶ୍ୱର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ନିଜର ପରିଚୟ ସୃଷ୍ଟି କରିବା ଆମର ଲକ୍ଷ୍ୟ । ଫାର୍ମା କ୍ଷେତ୍ର ଉପରେ ଆଲୋକପାତ କରି ସେ କହିଲେ ଯେ ଗତ ଦେଢ଼ ବର୍ଷ ମଧ୍ୟରେ, ଆମେ ରାଜ୍ୟର ଶିଳ୍ପ ନୀତି ଏବଂ ଫାର୍ମା ନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିଛୁ। ଆମର ଫାର୍ମା ନୀତି ଦେଶର ସର୍ବୋତ୍ତମ ନୀତି ମଧ୍ୟରୁ ଗୋଟିଏ। ନୂଆ ଫାର୍ମା ନୀତିରେ ଗବେଷଣା, ପୁଞ୍ଜି ନିବେଶ, ଭିତ୍ତିଭୂମି ନିର୍ମାଣ, ନିଯୁକ୍ତି ଇତ୍ୟାଦି ଫାର୍ମା କ୍ଷେତ୍ରର ପ୍ରତ୍ୟେକ ଅଂଶକୁ ପ୍ରୋତ୍ସାହନ ଦିଆଯାଇଛି ବୋଲି ସେ କହିଥିଲେ। ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ର ନୂତନ ଶିଖର ଛୁଇଁବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିବା ସହିତ ଗୁଣବତ୍ତା ଏବଂ ମୂଲ୍ୟ ଦୃଷ୍ଟିରୁ, ଓଡ଼ିଶାର ଫାର୍ମା ଉତ୍ପାଦ ବିଶ୍ୱରେ ସବୁଠାରୁ ଆକର୍ଷଣୀୟ ହେବ, ଏବଂ ମେଡ-ଟେକ୍ ଉତ୍ପାଦନରେ ମଧ୍ୟ ଏହା ଓଡ଼ିଶାର ସୁନାମ ହେବ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଫାର୍ମା ଶିଳ୍ପ ଯାହା ଆବଶ୍ୟକ କରେ, ରାଜ୍ୟ ତାହା ସମସ୍ତ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓଡ଼ିଶାର ପରିବେଶ ସମ୍ପୂର୍ଣ୍ଣ ଶିଳ୍ପ ଅନୁକୂଳ। ଯାହା ଶିଳ୍ପ ପାଇଁ ଆବଶ୍ୟକ, ସବୁକିଛି ଓଡ଼ିଶାରେ ଅଛି। ଓଡ଼ିଶାରେ ଦେଶର ସର୍ବାଧିକ ଖଣିଜ ପଦାର୍ଥ, ତିନୋଟି ପ୍ରମୁଖ ବନ୍ଦର, ଦୁଇଟି ବାଣିଜ୍ୟିକ ବିମାନବନ୍ଦର, ୫୭୫ କିଲୋମିଟର ପରିବ୍ୟାପ୍ତ ଉପକୂଳ, ଉନ୍ନତ ରେଳ ଏବଂ ସଡ଼କ ନେଟୱାର୍କ, ଅତିରିକ୍ତ ବିଦ୍ୟୁତ୍, ପର୍ଯ୍ୟାପ୍ତ ଜଳର ଉପଲବ୍ଧତା ସହ ତାଲିମପ୍ରାପ୍ତ ମାନବଶକ୍ତି ମଧ୍ୟ ଅଛି। ଏଣୁ ଓଡ଼ିଶା ପୂର୍ବ ଭାରତର ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କାର୍ଯ୍ୟକ୍ରମରେ ଶିଳ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଥିଲେ ଯେ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ ଆମ ରାଜ୍ୟର ବିକାଶ-କେନ୍ଦ୍ରିତ ଶିଳ୍ପାୟନ ରଣନୀତିକୁ ପ୍ରତିଫଳିତ କରୁଛି। ପ୍ରଗତିଶୀଳ ନୀତି, ସମର୍ପିତ ଶିଳ୍ପ ପାର୍କ, ଦକ୍ଷ ମାନବ ସମ୍ବଳ ସହିତ ଓଡ଼ିଶା ବର୍ତ୍ତମାନ ଔଷଧ ଏବଂ ଚିକିତ୍ସା ଉପକରଣ ନିର୍ମାତାଙ୍କ ପାଇଁ ଏକ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରିବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପ୍ରମୁଖ ଉପସ୍ଥିତ ଥିଲେ। ଶିଳ୍ପ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ସଚିବ ଶ୍ରୀମତୀ ଅଶ୍ଵତୀ ଏସ୍ ଧନ୍ୟବାଦ ଦେଇଥିଲେ।