ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ପୀଠରେ ନୀତିକାନ୍ତି ବନ୍ଦ କଲେ ପୂଜାପଣ୍ଡା। ପତ୍ରି ଓ ପୂଜା ପଣ୍ଡା ସେବାୟତଙ୍କ ମଧ୍ୟରେ ସେବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବଡ଼ସିଂହାର ବେଶ ପରଠାରୁ ପୂଜା ପଣ୍ଡା ସେବାୟତ ନୀତିକାନ୍ତି ବନ୍ଦ କରିଥିବା ସୂଚନା।
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ପୀଠରେ ନୀତିକାନ୍ତି ବନ୍ଦ କଲେ ପୂଜାପଣ୍ଡା। ପତ୍ରି ଓ ପୂଜା ପଣ୍ଡା ସେବାୟତଙ୍କ ମଧ୍ୟରେ ସେବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବଡ଼ସିଂହାର ବେଶ ପରଠାରୁ ପୂଜା ପଣ୍ଡା ସେବାୟତ ନୀତିକାନ୍ତି ବନ୍ଦ କରିଥିବା ସୂଚନା।
ଭୁବନେଶ୍ୱର: ଜନସ୍ୱାସ୍ଥ୍ୟର ସୁରକ୍ଷା, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି ତଥା ତମାଖୁ ବ୍ୟବହାରର କୁପ୍ରଭାବରୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନୋଟିଫିକେସନ୍ ଜାରି କରାଯାଇଛି। ତମାଖୁ ବ୍ୟବହାର କ୍ୟାନ୍ସର, ହୃଦ୍ରୋଗ ଓ ଫୁସଫୁସଜନିତ ରୋଗ ସମେତ ବିଭିନ୍ନ ଅଣସଂକ୍ରାମକ ରୋଗର ଏକ ପ୍ରମୁଖ କାରଣ । ତମାଖୁ ବ୍ୟବହାର ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବା ନୋଟିଫିକେସନ୍ରେ ଉଲ୍ଲେଖ କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, “ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ତମାଖୁ ସେବନ ବିରୋଧୀ ଅଭିଯାନକୁ ଆହୁରି ସୁଦୃଢ଼ କରାଯାଉଛି। ଆମ ଆଗାମୀ ପିଢ଼ିକୁ ଏକ ସୁସ୍ଥ ଜୀବନ ଓ ସଠିକ୍ ବାର୍ତ୍ତା ଦେବା ପାଇଁ ଆମେ ସର୍ବଦା ତତ୍ପର ଅଛୁ। ତମାଖୁ ବ୍ୟବହାରରୁ ସମ୍ପୂର୍ଣ୍ଣ ବିରତି ପାଇଁ ଆଗାମୀ ଦିନରେ ମଧ୍ୟ ଆମର ପ୍ରୟାସ ଜାରି ରହିବ।” ନୋଟିଫିକେସନ୍ ଅନୁଯାୟୀ, ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁ ସେବନ ଏବଂ ତମାଖୁ ଛେପ ପକାଇବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ନିୟମର ଉଲ୍ଲଂଘନକୁ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଦିନ ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା ରୋପଣ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସୁସ୍ଥ, ସୁଖୀ ଓ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦୀଜୀଙ୍କ ସାର୍ବଜନୀନ ଜୀବନରେ ୨୫ ବର୍ଷ ପୂରଣ କରିଥିବା ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। “ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ। ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ସାର୍ବଜନୀନ ଜୀବନରେ ୨୫ ବର୍ଷ ପୂରଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି,” ବୋଲି ରାଜ୍ୟପାଳ କହିଥିଲେ। ଚାରା ରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ 'ଏକ ପେଡ୍ ମା କେ ନାମ’ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରିୟ କାର୍ଯ୍ୟକ୍ରମ। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ଏଭଳି ପଦକ୍ଷେପର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ମୋଦୀଙ୍କ ସାର୍ବଜନୀନ ଜୀବନ କାଳରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣମୂଳକ ପଦକ୍ଷେପକୁ ମଧ୍ୟ ରାଜ୍ୟପାଳ ସ୍ମରଣ କରିଛନ୍ତି। ଏଥିସହ ଭାରତର ବିକାଶ ସହ ବିଶ୍ୱସ୍ତରରେ ଦେଶର ଛବିକୁ ଅଧିକ ସୁଦୃଢ଼ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟପାଳ ଉଲ୍ଲେଖ କରିଥିଲେ। ଏହି ଅବସରରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ସୁସ୍ଥ ଓ ସୁଖୀ ଜୀବନ କାମନା କରୁଛି ଏବଂ ମୋର ଶୁଭେଚ୍ଛା ଜଣାଉଛି ବୋଲି ରାଜ୍ୟପାଳ କହିଛନ୍ତି।
ଲଣ୍ଡନ: ବିଶ୍ୱର ସାଂସ୍କୃତିକ ରାଜଧାନୀ ଲଣ୍ଡନଠାରେ ନିକଟରେ “ଯୋଗ ଦ୍ୱାରା ଶାନ୍ତି କାମନା” ଶୀର୍ଷକ ଏକ ଅନନ୍ୟ ଓ ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାବେଶକୁ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ, ବ୍ରହ୍ମ ବିଦ୍ୟା, ଶ୍ରୀ ଜଗନ୍ନାଥ ସୋସାଇଟି, ୟୁ.କେ. (ଏସଜେଏସୟୁକେ) ଏବଂ ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍ କିଙ୍ଗଡମ୍ (ଓସୁକ) ଆଦି ସଂଗଠନ ଆୟୋଜନ କରିଥିଲେ। ସମ୍ମିଳନୀରେ ଶତାଧିକ ଅଗ୍ରଣୀ ଆଧ୍ୟାତ୍ମିକ ଗୁରୁ, ବିଶିଷ୍ଟ ସମ୍ପ୍ରଦାୟ ନେତୃମଣ୍ଡଳୀ ଏବଂ ପ୍ରଶାସନିକ ପଦାଧିକାରୀ ମାନେ ଯୋଗ ଦେଇଥିଲେ।ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୯ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ଆଧ୍ୟାତ୍ମିକ ଉଚ୍ଛ୍ବାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଲଣ୍ଡନର ନେହରୁ ସେଣ୍ଟରରେ ଆୟୋଜିତ ଏହି ଭବ୍ୟ ସମାରୋହକୁ କେନ୍ଦ୍ର କରି ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ଅପ୍ରତ୍ୟାଶିତ ଉତ୍ସାହ ଓ ଅଭୂତପୂର୍ବ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ବୈଦିକ ମନ୍ତ୍ର ପାଠ ମଧ୍ୟରେ ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉଦ୍ଘାଟନ ସମୟରେ ପ୍ରେମ ସାହୁଙ୍କ ଦ୍ୱାରା ଖୁବ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ ଏବଂ ସ୍ୱାମୀ ଶିବାନନ୍ଦଙ୍କ ଜୀବନ ଓ ଦର୍ଶନ ଉପରେ ଏକ ଆକର୍ଷଣୀୟ ଭିଡିଓ କ୍ଲିପ୍ ପ୍ରଦର୍ଶନ କରାଯାଇଥିଲା। ବୈଠକକୁ ସମ୍ବୋଧନ କରି ବରେଣ୍ୟ ବକ୍ତା ମାନେ ସମ୍ପ୍ରତି ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଅଶାନ୍ତି ପର୍ଯ୍ୟାୟରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ନିଃସ୍ୱାର୍ଥ ସେବା,ଚୀରନ୍ତନ ପ୍ରେମ, ଆଧ୍ୟାତ୍ମିକ ସାଧନା, ସାର୍ବଜନୀନ ଭ୍ରାତୃତ୍ୱ, ପାରସ୍ପରିକ ବୁଝାମଣା ଓ ବିଶ୍ୱ ଶାନ୍ତି ସମ୍ପର୍କିତ ଉପଦେଶ ଗୁଡ଼ିକର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ଇଂରାଜୀ ଭାଷା ରେ ଲିଖିତ “ଶିବାନନ୍ଦ ଯୋଗ–ଏ ୱାର୍ଲଡ଼ ୱ।ଇଡ଼ ଫେଂନୋମେନନ” ଶୀର୍ଷକ ପୁସ୍ତକକୁ ଏହାର ଲେଖକ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ ଓ ବ୍ରହ୍ମ ବିଦ୍ୟାର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମ ନିଷ୍ଠାନନ୍ଦ ସରସ୍ୱତୀ ଏବଂ ଇଂଲଣ୍ଡରେ ଅବସ୍ଥାପିତ ମରିସସ ଗଣରାଜ୍ୟର ଡେପୁଟି ହାଇ କମିଶନର ମହାମାନ୍ୟ ଶ୍ରୀ କେଭିନ୍ ପାୟେଣ୍ଡୀ ମିଳିତ ଭାବେ ଉନ୍ମୋଚନ କରିଥିଲେ। ପୁସ୍ତକଟିରେ ଡିଭାଇନ ଲାଇଫ ସୋସାଇଟିର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦଙ୍କର ମୌଳିକ ଉପଦେଶ ଯଥା:-ସେବା କର, ପ୍ରେମ କର, ଦାନ କର, ଶୁଦ୍ଧତା ରଖ, ଧ୍ୟାନ କର ଏବଂ ଉତ୍ସର୍ଗୀକୃତ ସେବା, ଭକ୍ତି ଓ ଧ୍ୟାନ ମାଧ୍ୟମରେ ଈଶ୍ୱରଙ୍କ ସହିତ ସଂଯୋଗ ସ୍ଥାପନ କରି ମୋକ୍ଷ ପ୍ରାପ୍ତି କରିବା ଆଦି ବିଷୟବସ୍ତୁ ଉପରେ ବିସ୍ତୃତ ଵ୍ୟାଖ୍ୟାନ ସନ୍ନିବେଶିତ କରାଯାଇଛି। ବହିରେ ବ୍ୟକ୍ତିଗତ ଦାୟିତ୍ୱବତ୍ତା ଠାରୁ ଆରମ୍ଭ କରି ଶାନ୍ତି ଓ ସଦ୍ଭାବ ପୂର୍ଣ୍ଣ ବିଶ୍ୱ ଗଠନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ପୁସ୍ତକଟି ଜଗନ୍ନାଥ ଧାମ, ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଲିଖିତ ଅଗ୍ରସୂଚନା ଲାଭ କରିବାର ବିରଳ ସମ୍ମାନ ଉପଲବ୍ଧ କରିଛି। ଏଥିରେ ୟୁରୋପୀୟ ଯୋଗ ଫେଡରେସନ, ଆମେରିକାର ମିଆମି, ଫ୍ଲୋରିଡାସ୍ଥିତ ଯୋଗ ରିସର୍ଚ୍ ଫାଉଣ୍ଡେସନର ସ୍ୱାମୀ ଜ୍ୟୋତିର୍ମୟାନନ୍ଦ, ଉତ୍ତରକାଶୀର ଶିବାନନ୍ଦ ସେବା ସମିତିର ସ୍ୱାମୀ ପ୍ରେମାନନ୍ଦ ଏବଂ ଜର୍ମାନୀର ଯୋଗ ବିଦ୍ୟା ମୁଖ୍ୟାଳୟର ଶୁଭେଚ୍ଛା ବାର୍ତ୍ତା ମାନ ମଧ୍ୟ ସ୍ଥାନ ପାଇଛି । ଏହି କାର୍ଯ୍ୟକ୍ରମ ‘ଚିଦାନନ୍ଦ ଦଶକ ୨୦୧୬–୨୬ : ଏକ ବିଶ୍ୱ ଶାନ୍ତି ଅଭିଯାନ’ ର ଅଂଶ ବିଶେଷ ଥିଲା। ସମାବେଶରେ ଉଦବୋଧନ ଦେଇ ଲେଖକ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ ଯୋଗ କେବଳ ଶାରୀରିକ ଅଭ୍ୟାସ ବା ଆସନ ମଧ୍ୟରେ ସୀମିତ ନରହି ଦୈନଦିନ ଜୀବନର ଅଂଶ ହେବା ଉପରେ ଜୋର ଦେଇଥିଲେ। ଏହା ଜାତି, ସମ୍ପ୍ରଦାୟ ଓ ଧର୍ମ ନିର୍ବିଶେଷରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ସ୍ୱାମୀଜୀ ଦର୍ଶାଇଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଉପସ୍ଥାପିତ ଯୋଗର ଚାରି ମାର୍ଗ ଯଥା:- ଞାନ ଯୋଗ, ରାଜ ଯୋଗ, ଭକ୍ତି ଯୋଗ ଓ କର୍ମ ଯୋଗ ସହିତ ସଂଯୋଗ ସ୍ଥାପନ କରିବାର ଆବଶ୍ୟକତା ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ଶାନ୍ତି ପ୍ରଥମେ ବ୍ୟକ୍ତି ଭିତରେ, ତା’ପରେ ପରିବାର ମଧ୍ୟରେ ଏବଂ ସବା ଶେଷରେ ସାରା ବିଶ୍ୱକୁ ବ୍ୟାପ୍ତ ହେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ସ୍ୱାମୀଜୀ ତାଙ୍କର ଅନୁଗାମୀ ଓ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଉପଦେଶାବଳୀକୁ ବ୍ୟକ୍ତିଗତ ଅଭ୍ୟାସରେ ପରିଣତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏସଜେଏସୟୁକେର ଟ୍ରଷ୍ଟି ଏବଂ ଓସୁକର ସମ୍ପାଦକ ସୁକାନ୍ତ ସାହୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ସେ ୨୧ ଜୁନ୍କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରାଇ ସମଗ୍ର ବିଶ୍ୱକୁ ଏକତ୍ର କରିପାରିଛନ୍ତି ବୋଲି ଉଲ୍ଲେଖ କରିଥିଲେ। ସାଉଥ୍ ହଲ୍ ସ୍ଥିତ ଶ୍ରୀ ରାମ ମନ୍ଦିରର ଟ୍ରଷ୍ଟି ଜୟ ଶର୍ମା ଅଖଣ୍ଡ ବିଶ୍ୱାସ ଓ ନିରନ୍ତର ସାଧନା ଆଧାରରେ ଭକ୍ତି ଯୋଗର ରୂପାନ୍ତରକାରୀକରଣ ଶକ୍ତି ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ୟୁ.କେ. ସ୍ଥିତ ରାମକୃଷ୍ଣ ବେଦାନ୍ତ ସେଣ୍ଟରର ଦାୟିତ୍ୱାଧୀନ ମନ୍ତ୍ରୀ ସ୍ୱାମୀ ସର୍ବସ୍ଥାନନ୍ଦ, ପାର୍ବତୀ ଚୈତନ୍ୟ, ଡଃ ସହଦେବ ସ୍ୱାଇଁ, ଅନୁରାଧା ପାଣ୍ଡେ, ଡଃ ପ୍ରକାଶ ଦେ , ଅନୀତା ମିଶ୍ର, ପାର୍ଥ ପଣ୍ଡା, ସୁନୀତା ଗୁପ୍ତା, ନିତ୍ୟାନନ୍ଦ ପଟ୍ଟନାୟକ ଏବଂ ଶୁଭକାନ୍ତ ଦାସ ପ୍ରମୁଖ ଅନ୍ୟତମ ଥିଲେ। ଇଂଲଣ୍ଡରେ ଅବସ୍ଥାପିତ ଭାରତୀୟ ହାଇ କମିଶନ, ଲଣ୍ଡନସ୍ଥିତ ମରିସସ ହାଇ କମିଶନ ଏବଂ ନେହରୁ ସେଣ୍ଟର ଏହି କାର୍ଯ୍ୟକ୍ରମର ପ୍ରୟୋଜକ ଥିଲେ।
ରାଉରକେଲା: ପ୍ରବଳ ବର୍ଷା ଓ ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ୍। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସିଭିଲ ଟାଉନସିପ୍ ଅଞ୍ଚଳରେ ଥିବା ଗଣେଶ ପୂଜା ପେଣ୍ଡାଲ ଭାଙ୍ଗିଥିବା ସୂଚନା। ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି।
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ମେଗା ରକ୍ତଦାନ ଶିବିର ଉଦ୍ଘାଟନ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଆରମ୍ଭ ହୋଇ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ଏହି ଶିବିର। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଜିର ରକ୍ତଦାନ ଶିବିର କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ମାନବ ସେବା। ରକ୍ତ ଅଭାବରୁ ଯେପରି କାହାରି ମୃତ୍ୟୁ ନ ହୁଏ ଆମ ସରକାର ଯତ୍ନବାନ ଅଛନ୍ତି ବୋଲି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମାଝୀ।
ଭୁବନେଶ୍ୱର: ଭୁବନେଶ୍ୱର ରାସ୍ତାରେ ବୁଲୁଛି ଦନ୍ତା ହାତୀ। ଭରତପୁର-ଚନ୍ଦକା ରାସ୍ତାର ଅନ୍ଧାରୁଆ ଛକ ଉପରେ ଦନ୍ତା ବୁଲୁଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଦନ୍ତାର ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଛୋଟେଇ ଛୋଟେଇ ଚାଲୁଛି। ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରାଯାଇଥିଲା। ହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।