କଟକ: ମଧୁସୂଦନ ରାଓଙ୍କ ଅନେକ କବିତାରେ ଭକ୍ତିଭାବ ତଥା ଆଧ୍ୟାତ୍ମିକତା ନିଛକ ଭାବରେ ପ୍ରକଟିତ । ଏଥିଯୋଗୁଁ ତାଙ୍କୁ ଯଥାର୍ଥରେ ‘ଭକ୍ତକବି’ କୁହାଯାଏ । କବି ତଥା ଲେଖକ, ଶିକ୍ଷକ, ଶିକ୍ଷାବିତ୍, ସମାଜସେବୀ ଓ ସଂସ୍କାରକ ଭାବରେ ତାଙ୍କର ସୁଖ୍ୟାତି ରହିଛି । ଓଡ଼ିଆ ଜାତିର ଭାଷା, ସାହିତ୍ୟ, ସଂସ୍କୃତି ଓ ଶିକ୍ଷାର ବିକାଶ ଦିଗରେ ତାଙ୍କର ଅବଦାନ ଅତୁଳନୀୟ । ‘ବର୍ଣ୍ଣବୋଧ’ ପୁସ୍ତକର ପ୍ରଣେତା ଭାବରେ ସେ ଓଡ଼ିଆମାନଙ୍କ ଘରେଘରେ ସୁପରିଚିତ । ତାଙ୍କର ନୀତି, ଆଦର୍ଶ ଓ କାର୍ଯ୍ୟଧାରା ଓଡ଼ିଆ ଜାତିକୁ କାଳକାଳ ଧରି ଅନୁପ୍ରାଣିତ କରିଚାଲିବ ବୋଲି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆଲୋଚନା ସଭାରେ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ, ସଂଗଠନ ସଂପାଦକ ଶଶିକାନ୍ତ ରାଉତ, ପୂର୍ବତନ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ, ପୃଷ୍ଠପୋଷକ ସଭ୍ୟ ଉମାଶଙ୍କର ମିଶ୍ର, ଆଜୀବନ ସଭ୍ୟ ଅରୁଣ କୁମାର ଅଗ୍ରୱାଲ, ବାବାଜୀ ଚରଣ ବେହେରା, ରଶ୍ମିରେଖା ସାହୁ, ଆକାଶ କୁମାର ଗୁପ୍ତା, ସୁମିତ୍ରା ବେହେରା, ଅଭିଳାଷ ବିଶ୍ୱାଳ ପ୍ରମୁଖ ଅଂଶଗ୍ରହଣ କରି ଓଡ଼ିଆ ଜାତି ପ୍ରତି ଭକ୍ତକବି ମଧୁସୂଦନଙ୍କ ବହୁବିଧ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଧନ୍ୟବାଦ ଜ୍ଞାପନ କରିଥିଲେ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ । ପ୍ରାରମ୍ଭରେ ଅନୁଷ୍ଠାନ ପରିସରସ୍ଥ ଭକ୍ତକବି ମଧୁସୂଦନ ରାଓଙ୍କ ସମେତ ଅନ୍ୟ ସାରସ୍ୱତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।