“୧୪ତମ ଓଡ଼ିଶୀ ରାଗ ମହୋତ୍ସବ ଓ ପୁରସ୍କାର ପ୍ରଦାନ ଉତ୍ସବ - ୨୦୨୬”ର ଉଦ୍ଘାଟନୀ ସନ୍ଧ୍ୟାରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟରେ ଦର୍ଶକ ବିଭୋର
ଭୁବନେଶ୍ୱର: ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ଦ୍ୱାରା ଆୟୋଜିତ “୧୪ତମ ଓଡ଼ିଶୀ ରାଗ ମହୋତ୍ସବ ଓ ପୁରସ୍କାର ପ୍ରଦାନ ଉତ୍ସବ - ୨୦୨୬” ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗମଞ୍ଚରେ ଔପଚାରିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୭ ନଭେମ୍ବର ୨୦୨୬ ତାରିଖରେ ମଧ୍ୟ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବରେ ଓଡ଼ିଶୀ ସଙ୍ଗୀତ ଏବଂ ଏହାର ‘ଉତ୍କଳ ଶୈଳୀ’ର ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା, ଯେଉଁଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଶିଷ୍ଟ ସଙ୍ଗୀତଜ୍ଞ, ଗୁରୁ ଏବଂ କଳାକାରମାନେ ନିଜର ଅମୂଲ୍ୟ ପ୍ରଦର୍ଶନ ଓ ମତାମତ ଉପସ୍ଥାପନ କରିଥିଲେ । ଏହି ମହୋତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶୀ ସଙ୍ଗୀତର ଗୌରବମୟ ପରମ୍ପରା ଓ ଏହାର ନିରନ୍ତର ବିକାଶକୁ ଉତ୍ସର୍ଗ କରିବା ଏବଂ ଓଡ଼ିଶୀ ସଙ୍ଗୀତକୁ ଏକ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବା । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ହୃଦୟସ୍ପର୍ଶୀ ସୁର ଏବଂ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟର ଲାଳିତ୍ୟପୂର୍ଣ୍ଣ ଅଭିବ୍ୟକ୍ତିର ଏକ ସୁନ୍ଦର ସମାହାର ଦେଖିବାକୁ ମିଳିଥିଲା, ଯାହା ଦର୍ଶକଙ୍କ ପାଇଁ ଏକ ସ୍ମରଣୀୟ ସାଂସ୍କୃତିକ ଅନୁଭୂତି ସୃଷ୍ଟି କରିଥିଲା । କାର୍ଯ୍ୟକ୍ରମର ଆରମ୍ଭରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଇଲିଆନା ଚିତାରିଷ୍ଟି, ବିଚିତ୍ରାନନ୍ଦ ସ୍ଵାଇଁ ଏବଂ ସଚିଦାନନ୍ଦ ଦାସ, ସେହିପରି ବିସ୍ମିଲ୍ଲା ଖାନ ଯୁବ ପ୍ରତିବା ସମ୍ମାନ ପ୍ରାପ୍ତ ଗୌରିଶଙ୍କର ଦାସ, ମାତୃପ୍ରସାଦ ଦାସ ଏବଂ ଦେବିପ୍ରସାଦ ମିଶ୍ରଙ୍କୁ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ଦ୍ୱାରା ସମ୍ମାନିତ କରଯାଇଥିଲା । ସନ୍ଧ୍ୟାର ସଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ‘ଓଡ଼ିଶୀ ବୃନ୍ଦ ଗାୟନ’ରୁ, ଯେଉଁଥିରେ ରାଗ: ମଙ୍ଗଳ ଗୁଜ୍ଜରୀକୁ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀର ବରିଷ୍ଠ ଶିଷ୍ୟମାନେ ପରିବେଷଣ କରିଥିଲେ। ସମବେତ ସଙ୍ଗୀତ ପରିବେଷଣରେ ଓଡ଼ିଶୀ ସଙ୍ଗୀତ ପରମ୍ପରାର ଗଭୀରତା ପ୍ରତିଫଳିତ ହୋଇଥିଲା, ଯାହା ଭକ୍ତିଭାବ, ସୁସମନ୍ୱିତ ବାଦ୍ୟ ସଂଯୋଜନା ଏବଂ ଶୃଙ୍ଖଳିତ ସଙ୍ଗୀତ ଅଭିବ୍ୟକ୍ତିରେ ପରିପୂର୍ଣ୍ଣ ଥିଲା । ଏହି ପରିବେଷଣ ବରିଷ୍ଠ ଶିଷ୍ୟମାନଙ୍କ ମଧ୍ୟରେ ଲାଳିତ ଓଡ଼ିଶୀ ସଙ୍ଗୀତ ପ୍ରତି ସେମାନଙ୍କର ନିଷ୍ଠା, ସାମୂହିକ ଭାବନା ଏବଂ ଗଭୀର ବୁଝାମଣାକୁ ସୁନ୍ଦର ଭାବେ ପ୍ରଦର୍ଶିତ କରିଥିଲା । ସନ୍ଧ୍ୟାର ଅନ୍ୟ ଏକ ଉଲ୍ଲେଖନୀୟ ପରିବେଷଣ ଥିଲା ‘ବିବିଧତା’, ଯାହା ଓଡ଼ିଶୀ ସଙ୍ଗୀତର ସମୃଦ୍ଧ ଓ ବହୁମୁଖୀ ପରମ୍ପରାକୁ ଉତ୍ସର୍ଗୀକୃତ ଏକ ସଙ୍ଗୀତମୟ ଉତ୍ସବ ଥିଲା । ବିବିଧ ସଙ୍ଗୀତ ଅଭିବ୍ୟକ୍ତି ମାଧ୍ୟମରେ ଏହି ପରିବେଷଣ ଏହି ଶାସ୍ତ୍ରୀୟ କଳାରୂପର ଗଭୀରତା, ସୌନ୍ଦର୍ଯ୍ୟ ଏବଂ ସ୍ୱତନ୍ତ୍ର ପରିଚୟକୁ ପରିକଳ୍ପନା କରିବା ସହ ଦର୍ଶକମାନଙ୍କୁ ଏହାର ବିବିଧ ଦିଗକୁ ଉପଭୋଗ କରିବାର ସୁଯୋଗ ପ୍ରଦାନ କରିଥିଲା । ସାଂସ୍କୃତିକ ସନ୍ଧ୍ୟାରେ ଗୁରୁ ଆଶିଷ କୁମାର ଦାସ ଏବଂ ତାଙ୍କ ଦଳଙ୍କ ଦ୍ୱାରା ‘ଓଡ଼ିଶୀ ନୃତ୍ୟ’ର ଏକ ଚିତ୍ତାକର୍ଷକ ପରିବେଷଣ ମଧ୍ୟ ସ୍ଥାନ ପାଇଥିଲା । ଓଡ଼ିଶୀ ନୃତ୍ୟର ସୂକ୍ଷ୍ମ ଅଳଙ୍କାରିକ ମୁଦ୍ରା, ଜଟିଳ ଲୟାତ୍ମକ ବିନ୍ୟାସ, ଭାବପୂର୍ଣ୍ଣ ଅଭିନୟ ଏବଂ ମନୋରମ ଗତିଭଙ୍ଗୀକୁ ପ୍ରଦର୍ଶନ କରି ଏହି ପରିବେଷଣ ଏକ ନୂତନ ନୃତ୍ୟ ସଂରଚନା ମାଧ୍ୟମରେ ଏହି ଶାସ୍ତ୍ରୀୟ ନୃତ୍ୟ ପରମ୍ପରାର ନୈସର୍ଗିକ ସମୃଦ୍ଧିକୁ ଜୀବନ୍ତ କରିଥିଲା । ସମନ୍ୱିତ ନୃତ୍ୟଭଙ୍ଗୀ ଏବଂ କଳାତ୍ମକ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଉଦ୍ଘାଟନୀ ଉତ୍ସବର ଅତିଥିମାନେ ଥିଲେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଓ ସଙ୍ଗୀତକାର ପ୍ରଫେସର ଗୁରୁ ରାମହରି ଦାସ, ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଶ୍ରୁତି ମହାପାତ୍ର, ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀର ପ୍ରତିଷ୍ଠାତା ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ପ୍ରସିଦ୍ଧ ଓଡ଼ିଶୀ କଣ୍ଠଶିଳ୍ପୀ ସଙ୍ଗୀତା ପଣ୍ଡା । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ ଓ ଶୀଲା ମହାପାତ୍ର । ସଙ୍ଗୀତା ପଣ୍ଡା କାର୍ଯ୍ୟକ୍ରମଟିର ପରିକଳ୍ପନା ଓ ପରିଚାଳନା କରିଥିଲେ ।
