କରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ପରାମର୍ଶ
ଭୁବନେଶ୍ୱର: କୋଭିଡର ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ ସହର ମାନଙ୍କରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଗୁରୁତର ଚାପରେ ରହିଛି । ଓଡିଶାରେ ମଧ୍ୟ ଗତ କିଛି ଦିନ ଧରି କୋଭିଡ ସଂଖ୍ୟାରେ ବୃଦ୍ଧି ହେଉଛି। ଆମର ପୂର୍ବ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ଯୋଗୁ ଆମେ ଅନେକ ମାତ୍ରାରେ ପରିସ୍ଥିତିକୁ ଏ ପର୍ଯ୍ୟନ୍ତ ଠିକ୍ ଭାବରେ ପରିଚଳିତ କରିପାରିଛୁ । ତେବେ ଆମକୁ ସବୁଠାରୁ ଖରାପ ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ ଏବଂ ସମସ୍ତ ରୋଗୀ ଯେପରି ସମ୍ମାନର ସହିତ ଚିକିତ୍ସା ପାଇବେ, ଏବଂ ପ୍ରତ୍ୟେକ ଜୀବନକୁ ଆମେ ଯେପରି ବଞ୍ଚାଇପାରିବା, ସେଥିପାଇଁ ଆମକୁ ସମସ୍ତ ପ୍ରକାର ଉଦ୍ୟମ କରିବା ଆବଶ୍ୟକ ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉଭୟ ରାଜ୍ୟ ସରକାର ଓ ଜନସାଧାରଣ କେହି ଲକ୍ଡାଉନ୍ ଚାହାନ୍ତି ନାହିଁ । ବିନା ଲକ୍ଡାଉନ୍ରେ ପରିସ୍ଥିତିର ମୁକାବିଲା କରାଯିବା ଜରୁରୀ । ଏ ଦିଗରେ ମାସ୍କର ବ୍ୟବହାର ଓ ସାମାଜିକ ଦୂରତ୍ବ ରକ୍ଷା ଆମକୁ ବହୁତ ପରିମାଣରେ ସାହାଯ୍ୟ କରିପାରିବ। ତେଣୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଏଥିପାଇଁ ସହଯୋଗ ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ବର୍ତ୍ତମାନ ସବୁଠାରୁ ଗମ୍ଭୀର ପରିସ୍ଥିତିର ସାମ୍ନା କରୁଛୁ । ତେଣୁ ଆମେ ଯଦି ସମସ୍ତେ ଦାୟିତ୍ବୂବାନ ହୋଇ ପରିସ୍ଥିତିର ମୁକାବିଲା କରିବା, ତେବେ ଆମ ନିଶ୍ଚିତ ଭାବରେ ଏ ପରିସ୍ଥିତିରୁ ସଫଳ ଭାବେ ବାହାରି ପାରିବା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ଏକ ୬ ସୂତ୍ରୀ ପରାମର୍ଶ ଦେଇଛନ୍ତି।
୧. ସାରା ରାଜ୍ୟରେ କୋଭିଡ ହସ୍ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ କୋଭିଡ କେୟାର ସେଣ୍ଟର ସ୍ଥାପନ ।
ଯେତେଦୂର ସମ୍ଭବ ସର୍ବାଧିକ ସଂଖ୍ୟାରେ ଶଯ୍ୟା ଗୁଡିକରେ ଅକ୍ସିଜେନ ବ୍ୟବସ୍ଥା ରଖାଯାଉ।
ଅକ୍ସିଜେନ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯାଉ।
୨. ଅକ୍ସିଜେନ ଯୋଗାଣ ବ୍ୟବସ୍ଥାକୁ ଭଲ ଭାବରେ ତଦାରଖ କରାଯାଉ ଏବଂ ହସ୍ପିଟାଲ ଗୁଡିକରେ ଏଥିପାଇଁ ସମସ୍ତ ଆବଶ୍ୟକ ଉପକରଣକୁ ପ୍ରାଥମିକତା ଭିତ୍ତିରେ ଉପଲବ୍ଧ କରାଯାଉ।
୩. ଅନେକ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଛି ।
ଯଦିଓ ବର୍ତ୍ତମାନ ଆମର ମେଡିସିନ୍ ଷ୍ଟକ୍ ଯଥେଷ୍ଟ ରହିଛି, ତଥାପି ଆଗକୁ ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଔଷଧର ଏକ ବଫର ଷ୍ଟକ୍ ରଖାଯାଉ ।
୪. IEC ଅଭିଯାନରେ ଅଧିକ ଉନ୍ନତି ଅଣାଯିବା ଉପରେ ଗୁରୁତ୍ୱ ।
। ଜନସାଧାରଣ ଦ୍ବିତୀୟ ଲହରର ଭୟାବହତା ସଂପର୍କରେ ସଚେତନ ହେବା ଜରୁରୀ ଏବଂ କୋଭିଡ ନିୟମାବଳୀକୁ ମାନିବା କେତେ ଜରୁରୀ, ସେ ସଂପର୍କରେ ଅନୁଭବ କରିବା ଦରକାର ।
ଜନସାଧାରଣଙ୍କ ସହିତ ମିଶନ ଶକ୍ତି ଏବଂ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉ।
୫. ସମସ୍ତ କୋଭିଡ ନିୟମାବଳୀ ଦୃଢ ଭାବରେ ଲାଗୁ କରିବା କାର୍ଯ୍ୟକ୍ରମ ଜାରି ରହିବା ଜରୁରୀ।
୬. ଅନ୍ୟ ରାଜ୍ୟରେ ଯେଉଁଠାରେ କୋଭିଡ ପରିସ୍ଥିତି ସାଂଘାତିକ ରହିଛି, ସେଠାରୁ ପ୍ରବାସୀମାନେ ଆସିବାର ସମ୍ଭାବନା ଅଛି ।
ତେଣୁ ଏଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ପୂର୍ବରୁ ଯେଉଁ ପ୍ରୋଟୋକଲ୍ ଅନୁଯାୟୀ ପ୍ରବାସୀଙ୍କ ଆଗମନ ପରିଚାଳନା କରାଯାଉଥିଲା, ତାକୁ ବର୍ତ୍ତମାନର ଡାଟାବେସ୍ ଅନୁଯାୟୀ ପୁନର୍ବାର କାର୍ଯ୍ୟକାରୀ କରାଯାଉ ।
ପ୍ରବାସୀମାନଙ୍କ ପାଇଁ ଟେଷ୍ଟିଂ ଓ ସଂଗରୋଧର ବ୍ୟବସ୍ଥା ସୁନିଶ୍ଚିତ କରାଯାଉ।
ଏଥିପାଇଁ ଯେଉଁ ବରିଷ୍ଠ ଅଧିକାରୀମାନେ Observer ଭାବରେ କାର୍ଯ୍ୟ କରୁଛନ୍ତି, ସେମାନେ ଓ ଅନ୍ୟ ଅଧିକାରୀମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ଉଦ୍ୟମ ଜାରି ରଖନ୍ତୁ ।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ମୁକାବିଲାକୁ ଜୋରଦାର କରାଯିବ । ମାସ୍କ ବ୍ୟବହାର ସହିତ ସମସ୍ତ କୋଭିଡ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରାଯିବ ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ବଭିନ୍ନ ରାଜ୍ୟର ପରିସ୍ଥିତି ଓ ଓଡିଶାର ପରିସ୍ଥିତି ସଂପର୍କରେ ଏକ ତୁଳନାତ୍ମକ ଉପସ୍ଥାପନା ପ୍ରଦାନ କରିଥିଲେ ।
ଦେଶର କୋଭିଡ ପଜିଟିଭ ସଂଖ୍ୟାର ୧.୮୩ ପ୍ରତିଶତ ଏବେ ଓଡିଶାର ବୋଲି ସେ କହିଥିଲେ ।
ରାଜ୍ୟରେ ଏବେ ସୁସ୍ଥତା ହାର ୯୨.୧୦ ପ୍ରତିଶତ ରହିଛି ।
ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସେ ମୁଖ୍ୟତଃ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।
କଟକର ଧର୍ମାନୁଷ୍ଠାନରେ ଲାଗିଲା କଟକଣା
କଟକ: କୋଭିଡ ମାମଲା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି କଟକ ମୁନିସିପାଳ କର୍ପୋରେସନ ଅଞ୍ଚଳରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଆସନ୍ତାକାଲି ଠାରୁ ବନ୍ଦ ରହିବ। କେବଳ ପୂଜାକଙ୍କ ଦ୍ୱାରା କରାଯିବ ନୀତି କାର୍ଯ୍ୟ। ଭକ୍ତଙ୍କ ପ୍ରଵେଶ ଉପରେ ଲାଗିଲା କଟକଣା।
୧୮ ବର୍ଷରୁ ଉର୍ଦ୍ଧ ଯୁବପିଢିଙ୍କୁ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ
ଭୁବନେଶ୍ୱର: ମେ ୧ ରୁ ଯୁବବର୍ଗଙ୍କୁ ଟିକାକରଣ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଓଡିଶା ୧୮ ବର୍ଷରୁ ଉର୍ଦ୍ଧ ଯୁବବର୍ଗଙ୍କୁ ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ସରକାରୀ ଓ ଘରୋଇ ହସ୍ପିଟାଲରେ ହେବ ଯୁବବର୍ଗଙ୍କ ପାଇଁ ଟିକାକରଣ। ଅଧିକ ସେସନ୍ ସାଇଟ ସହ ଟିକାକରଣ କେନ୍ଦ୍ର ବୃଦ୍ଧି ପାଇବ।
ଯୁବକ ମାନେ CoWIN ଆପରେ ନିଜ ନାମ ପଞ୍ଜିକରଣ କରିପାରିବେ।
ଅଧାରେ ଅଟକିଲା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ
ଭୁବନେଶ୍ୱର: ସୂର୍ଯ୍ୟ ଅସ୍ତ ଯୋଗୁ ଅଧାରେ ଅଟକିଲା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ। ଭୁବନେଶ୍ୱର ଗୋସାଗରେଶ୍ୱର ଛକ ଠାରେ ଅଟକିଲା ରଥ। କାଲି ଅପରାହ୍ନ ୨ ଟା ପରେ ଆରମ୍ଭ ହେବ ରଥ ଟଣା। ଆଜି ବିନା ଭକ୍ତରେ ଗଡ଼ିଥିଲା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ। ପ୍ରାୟ ୫୦ ମିନିଟ ବିଳମ୍ବିତରେ ଆରମ୍ଭ ହୋଇଥିଲା ରଥଟଣା। ଅପରାହ୍ନ ୩:୩୦ ରେ ରଥଟଣା ଆରମ୍ଭ ହେବାପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ସୀମିତ ସେବାୟତ ଓ ପୋଲିସ କର୍ମଚାରୀ ଙ୍କ ଦ୍ଵାରା ରଥ ଟଣା ଯାଇଥିଲା।
ବିନା ଭକ୍ତରେ ଗଡ଼ିଲା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ
ଓଡିଶାକୁ ଆଜି ଆସୁଛି ଲକ୍ଷେ କୋଭିସିଲଡ୍ ଟିକା
ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜ୍ୟକୁ ଏକ ଲକ୍ଷ କୋଭିସିଲଡ୍ ଟିକା ଆସୁଥିବାର ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରାଜ୍ୟରେ କରୋନା ଟିକାର ଅଭାବ ଦୃଷ୍ଟିରୁ ସରକାର ବାରମ୍ବାର ଟିକା ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ। ସହରାଞ୍ଚଳରେ ସପ୍ତାହନ ସଟ୍ ଡାଉନ ସମୟରେ ଟିକାକରଣ ବନ୍ଦ ରହିବ ବୋଲି ମଧ୍ୟ ସେ କହିଛନ୍ତି।
