ଭୁବନେଶ୍ୱର (୨୨.୦୪.୨୧): କୋଭିଡ ସଚେତକ, ନାଗରିକ ସଂଗଠନ, ବରିଷ୍ଠ ନାଗରିକ, ମହିଳା ସ୍ବେଛାସେବୀ, ବସ୍ତି ଉନ୍ନୟନ କମିଟି, ପୂଜା କମିଟି ଓ ହାଟ ବ୍ୟବସାୟୀ ସଂଘ ଭଳି ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାଙ୍ଗରେ ନେଇ ଭୁବନେଶ୍ୱର ମହାନଗର ନିଗମ ଆରମ୍ଭ କରିଛି ସମ୍ପର୍କ ଅଭିଯାନ ସଚେତନତା କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳ ଅନ୍ତର୍ଗତ ୱାର୍ଡ ନଂ ୩୦ ନିମନ୍ତେ ସହିଦ ନଗର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୋଭିଡ ନିୟମାବଳୀ ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୩୦ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ବକ୍ତବ୍ୟରେ କହିଥିଲେ ଯେ ସହିଦ ନଗର ଅଂଚଳ ରାଜଧାନୀ ଭୁବନେଶ୍ବରର କେନ୍ଦ୍ରବିନ୍ଦୁ । ବିଗତ ସମୟରେ ସହିଦ ନଗରର ନାଗରିକବୃନ୍ଦ ଯେଉଁ ଭଳି ଭାବରେ ନିଜ ଅଞ୍ଚଳକୁ ଏକ ଆଦର୍ଶ ଅଞ୍ଚଳ ଭାବେ ଗଢ଼ି ତୋଳିଛନ୍ତି, ଠିକ ସେହି ଭଳି ଭାବରେ କୋଭିଡ଼ ମହାମାରୀର ମୁଳୋତ୍ପାଟନ ପାଇଁ ମଧ୍ୟ ଏହି ଅଞ୍ଚଳ ନୂତନ ଦିଗଦର୍ଶନ ଦେବ ବୋଲି ଆଶାବ୍ୟକ୍ତ କରିବା ସହ ସହିଦ ନଗର ଅଂଚଳକୁ କୋଭିଡ଼ ସଚେତକ କାର୍ଯ୍ୟକ୍ରମର ଏନ୍ତୁଡ଼ିଶାଳ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ଅନ୍ୟ ସମସ୍ତ ରାଜ୍ୟ ତୁଳନାରେ ଓଡିଶାର କୋଭିଡ ପରିଚାଳନା ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ଯୋଗୁଁ ଅନ୍ୟ ରାଜ୍ୟ ମଧ୍ୟ ଓଡ଼ିଶାର ସାହାଯ୍ୟ ଲୋଡୁଛନ୍ତି ବୋଲି ବିଧାୟକ ଶ୍ରୀ ଜେନା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଏମସି ଚେୟାରମ୍ୟାନ ଡ଼. ଜଗନ୍ନାଥ ମହାପାତ୍ର, ଶିଶୁରୋଗ ବିଶେଷଜ୍ଞ ଡ଼. ଅରବିନ୍ଦ ମହାନ୍ତି, ପୂର୍ବତନ କର୍ପୋରେଟର ଉର୍ମିଳା ଦାସ, ପୂର୍ବତନ କର୍ପୋରେଟର ପଦ୍ମନାଭ ଦାଶ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ସହୀଦ ନଗର ପୂଜା କମିଟିର ସମ୍ପାଦକ ନାରାୟଣ ମହାପାତ୍ର, ଅବସରପ୍ରାପ୍ତ ପ୍ରଫେସର ପ୍ରଦ୍ୟୁମ୍ନ ଦାସ, ବରିଷ୍ଠ ନାଗରିକ ସଂଘର ସଭାପତି ଆଦିତ୍ୟ ମହାନ୍ତି ଓ ଯୁବ ସମାଜସେବୀ ଦୀପକ ବେହେରା, ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ବିଶିଷ୍ଟ ସମାଜସେବୀ ଜିତେନ୍ଦ୍ର ରଥ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିବା ବେଳେ ସଚେତକ ରାଜକିଶୋର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । କୋଭିଡ ମହାମାରୀ ସମୟରେ ସମାଜ ମଙ୍ଗଳ ନିମନ୍ତେ କାର୍ଯ୍ୟ କରି ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଏମସି ଦକ୍ଷିଣ ପୂର୍ବ ଜୋନ୍ ଡେପୁଟି କମିଶନର ଅଂଶୁମାନ ରଥ ଏହି ସମ୍ପର୍କ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ମଣ୍ଡଳ ଗୋଷ୍ଠୀ ସହାୟିକା ସଂଯୁକ୍ତା ପଣ୍ଡା, ୱାର୍ଡ ସୁପରଭାଇଜର କ୍ଷେତ୍ରମୋହନ ଦାସ, ଗୋଷ୍ଠୀ ସହାୟିକା ପ୍ରଣତି ପ୍ରଧାନ, ୱାର୍ଡ ଅଧିକାରୀ ଅରୁଣ ସାହୁ, ଶକ୍ତି ପ୍ରସାଦ ପଣ୍ଡା ଓ ସନ୍ତୋଷ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ବିଏମସି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ୩୧ ଓ ୩୨ ନମ୍ବର ୱାର୍ଡ ଅନ୍ତର୍ଗତ ଲାଲ ବାହାଦୁର କମ୍ୟୁନିଟି ସେଣ୍ଟର ଠାରେ ୨୩ ଏପ୍ରିଲ ଦିନ ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟକ୍ରମ ରହିଛି ।